ସମ୍ଭାବ୍ୟ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍‌ସିଂ ଫସଲର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ

ଭୁବନେଶ୍ବର, ତା.୦୫.୧୨.୧୭ (ଓଡ଼ିଆ ପୁଅ) ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ଦକ୍ଷିଣାଞ୍ଚଳ, ଉତ୍ତରାଞ୍ଚଳ ଓ କେନ୍ଦ୍ରାଞ୍ଚଳର ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନ୍ଫରେନ୍‌ସିଂ ଜରିଆରେ ଆଲୋଚନା କରିଥିଲେ। ଚାକ୍ଷୀ ମାନଙ୍କ ଫସଲର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଆଲୋଚନାରୁ ଜଣାଯାଇଥିଲା ଯେ ଡିସେମ୍ବର ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡିଶାର ଅଧିକାଂଶ ଜିଲ୍ଲାରେ ବିଶେଷ କରି ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଅମଳ ହୋଇଥିବା ଫସଲ ତଥା ବିଲରେ ରହିଥିବା ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଚାଷୀ ମାନଙ୍କୁ ସେମାନଙ୍କ ଫସଲର ସୁରକ୍ଷା ପାଇଁ ଆବଶ୍ୟକ ପରାମର୍ଶ ପ୍ରଦାନ କରିବାକୁ ସେ ନିର୍ଦେଶ ଦେଇଥିଲେ। ଏହା ସହିତ ନିୟନ୍ବିତ ବଜାର ଗୁଡିକ ସେମାନଙ୍କ ପାଖରେ ଥିବା ପାଣ୍ଠିର ବିନିଯୋଗ କରି ମଣ୍ଡିରେ ରହିଥିବା ଧାନର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମରୁଡି, ରୋଗରପୋକ ଓ ଅଦିନିଆ ବର୍ଷା ପାଇଁ କୃଷି କ୍ଷେତ୍ରରେ ଇନ୍‌ପୁଟ ସବ୍ସିଡି ଆକାରରେ ୨୯ଟି ଜିଲ୍ଲା ପାଇଁ ୬୧୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ସହାୟତା ଚାଷୀ ମାନଙ୍କୁ ଶୀଘ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।

ଏହି ବୈଠକରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *