ଜିଲ୍ଲା ପରିକ୍ରମା

ସମ୍ଭାବ୍ୟ ବନ୍ୟାପାଇଁ ଜଳସେଚନ ବିଭାଗ ପ୍ରସ୍ତୁତ ; ଯାଜପୁର ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ

ଯାଜପୁର -୨୧/୭(ଓଡିଆ ପୁଅ/ଏ.ରାଉତ) – ଗତ କିଛିଦିନ ଧରି ସାରା ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବର୍ଷା ହେବା ଫଳରେ ବିଭିନ୍ନ ନଦୀରେ ସମ୍ଭାବ୍ୟ ବନ୍ୟା ଆସିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେବାପରେ ରାଜ୍ୟ ସରକାର ସମ୍ଭାବ୍ୟ ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳମାନଙ୍କୁ ସତର୍କ ରହିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି। ଯାଜପୁର ଜିଲାରେ ପ୍ରବଳ ବର୍ଷା ହେବା ଫଳରେ ସମ୍ଭାବ୍ୟ ବନ୍ୟାର ଆଶଙ୍କା ଦେଖାଦେଇଛି। ବିଶେଷକରି ବୈତରଣୀ ନଦୀ ଓ ତାର ଶାଖା ବୁଢ଼ା ନଦୀ, ଖରସ୍ରୋତା ନଦୀ ଓ ତାର ଶାଖା ତନ୍ତୀଘାଇ ନଦୀ, ବ୍ରାହ୍ମଣୀ ନଦୀ, ଦୁଧେଇ ନଦୀ, ବିରୂପା ନଦୀ, ଗେଙ୍ଗୁଟି ନଦୀରେ ବର୍ଷା ହେବା ଫଳରେ ବନ୍ୟାଜଳ ଆସିଲେ ଯାଜପୁର ଜିଲାରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳେ। ୨୦ ତାରିଖରୁ ବୈତରଣୀ ନଦୀର ଉପରମୁଣ୍ଡ କେନ୍ଦୁଝରରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ବୈତରଣୀ ନଦୀରେ ବନ୍ୟାଜଳ ଆସିଲେ ଯାଜପୁର, ଦଶରଥପୁର, କୋରେଇ ବ୍ଲକ୍ କ୍ଷତିଗ୍ରସ୍ତ ହୋଇଥାଏ। ବୁଢ଼ା ନଦୀର ବନ୍ୟା ଜଳରେ ଯାଜପୁର ବ୍ଲକ୍ କ୍ଷତିଗ୍ରସ୍ତ ହୋଇଥାଏ। ଖରସ୍ରୋତା, ତନ୍ତୀଘାଇ, ଦୁଧେଇ ନଦୀରେ ବନ୍ୟାଜଳ ଆସିଲେ ବରୀ, ବିଞ୍ଝାରପୁର, ରସୁଲପୁର, ଦାନଗଦୀ ଓ ସୁକିନ୍ଦା ଅଞ୍ଚଳ ବନ୍ୟାଜଳ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ। ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ଆସିଲେ ଧର୍ମଶାଳା, ରସୁଲପୁର, ବରୀ ବ୍ଲକ୍ ପ୍ରଭୃତି ବନ୍ୟାଜଳ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ। ବିରୂପା ଓ ଗେଙ୍ଗୁଟି ନଦୀରେ ବନ୍ୟାଜଳ ଆସିଲେ ଧର୍ମଶାଳା ବ୍ଲକ୍ କ୍ଷତିଗ୍ରସ୍ତ ହୋଇଥାଏ। ସମ୍ଭାବ୍ୟ ବନ୍ୟାର ଆଶଙ୍କା ଥିବାରୁ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଯାଜପୁର ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ ସୂଚନା ଦେଇଛନ୍ତି। ଯାଜପୁର ଜିଲାରେ ଯାଜପୁର ଓ ଜାରକାରେ ଦୁଇଗୋଟି ଜଳସେଚନ ବିଭାଗ କାର୍ଯ୍ୟରତ। ଦୁଇଗୋଟି ଜଳସେଚନ ବିଭାଗ ପକ୍ଷରୁ ସମ୍ଭାବ୍ୟ ବନ୍ୟାକୁ ମୁକାବିଲା କରିବାପାଇଁ ୩ ଲକ୍ଷ ବସ୍ତା ପାଇଁ ବାଲି ବିଭିନ୍ନ ସେକ୍ସନ ଅଫିସ ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଗଚ୍ଛିତ ରଖାଯାଇଛି। ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ଯାଜପୁର, ବିଞ୍ଝାରପୁର, ଦଶରଥପୁର ବ୍ଲକ୍ ଅଞ୍ଚଳର ସମ୍ଭାବ୍ୟ ବନ୍ୟାପାଇଁ ୨ ଲକ୍ଷ ବସ୍ତା ନିମନ୍ତେ ବାଲି ଗଚ୍ଛିତ ରଖାଯାଇଛି। ଚିତାହଟା, ଦେବିଲ, କମଳପୁର, ରୁଢ଼ିଆ ସେକ୍ସନ ଅଫିସ, ମହମ୍ମଦ ଜମାପୁର, ସରସଦା, ରଣପୁର, ଅହିୟାସ, ଅର୍ଦ୍ଧାଉଳିଆ, ଦଶରଥପୁର ସେକ୍ସନଠାରେ ସମ୍ଭାବ୍ୟ ବନ୍ୟା ପାଇଁ ବାଲିବସ୍ତା ଗଚ୍ଛିତ ରଖାଯାଇଛି। ବନ୍ୟାର ମୁକାବିଲା କରିବାପାଇଁ ୨ ଶହ ବଲ୍ଲା ଓ ୫୦୦ ବଣ୍ଡଲ ତଲେଇ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ମହଜୁଦ ରଖାଯାଇଛି। ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧ ସୁଦୃଢ଼ ଅଛି ବୋଲି ପ୍ରକାଶ କରିଛନ୍ତି। ସେହିପରି ଜାରକା ଡିଭିଜନ, ବରୀ, ରତ୍ନଗିରି, ବରୁଆଁ, ରୁଦ୍ରପୁର, ମଧୁବନ, ଜୋକଡ଼ିଆ, କୁଆଖିଆ, କୋତପୁର ସେକ୍ସନ ଅଫିସ ନିକଟରେ ବାଲି ଓ ଅଖା ମହଜୁଦ ରଖାଯାଇଛି। ଶଙ୍ଖଦେଇପୁର, ଚଟୁମାରୀ, ଭୁରୁଙ୍ଗା, ସାଆନ୍ତରାପୁର, ରୁଦ୍ରପୁର, ବାଙ୍କସାହି, ଅରୁଆଳ, ବାଲିକଣ୍ଟିଆଠାରେ ଜାରକା ଡିଭିଜନ ପକ୍ଷରୁ ସମ୍ଭାବ୍ୟ ବନ୍ୟାପାଇଁ ବାଲି ଓ ଅଖା ମହଜୁଦ ରଖାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ବନ୍ୟାରେ ବରୀ ବ୍ଲକ୍ ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ବରୀ ସେକ୍ସନ କାର୍ଯ୍ୟାଳୟ ପକ୍ଷରୁ ହଜାର ବଲ୍ଲା ମହଜୁଦ ରଖାଯାଇଛି। ସମ୍ଭାବ୍ୟ ବନ୍ୟାକୁ ଆଖିଆଗରେ ରଖି ଦୁଇଗୋଟି ଡିଭିଜନ ପକ୍ଷରୁ ବନ୍ୟାକୁ ମୁକାବିଲା କରିବାପାଇଁ କର୍ମଚାରୀ ଓ ଶ୍ରମିକମାନଙ୍କୁ ପ୍ରସ୍ତୁତ ରଖାଯାଇଛି। ଏତଦ୍ ବ୍ୟତୀତ ସମ୍ଭାବ୍ୟ ବନ୍ୟାପାଇଁ ଯାଜପୁର ଜିଲାର ସମସ୍ତ ତହସିଲ କାର୍ଯ୍ୟାଳୟରେ ବନ୍ୟା କ୍ଷତିଗ୍ରସ୍ତଙ୍କ ନିମନ୍ତେ ପଲିଥିନ୍ ମହଜୁଦ ରଖାଯାଇଛି ବୋଲି ଜିଲା ପ୍ରଶାସନ ସୂଚନା ଦେଇଛନ୍ତି। ଜିଲାର ସମସ୍ତ ବନ୍ୟା ଆଶ୍ରୟସ୍ଥଳୀକୁ ସଫାସୁତୁରା କରାଯାଇ ଆବଶ୍ୟକ ପଡ଼ିଲେ ବ୍ୟବହାର କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାଜପୁର ଜିଲା ପ୍ରଶାସନ ସମ୍ଭାବ୍ୟ ବନ୍ୟାକୁ ଆଖିଆଗରେ ରଖି ସମସ୍ତ ବ୍ଲକ୍ମାନଙ୍କୁ ଯନ୍ତ୍ରଚାଳିତ ବୋଟ୍ ଓ ଦେଶୀ ଡଙ୍ଗା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲାର ସମ୍ଭାବ୍ୟ ବନ୍ୟାରେ ପ୍ରଭାବିତ ହେଉଥିବା ୯୦ ଗୋଟି ପଞ୍ଚାୟତ ପାଇଁ ୨୩୫୯୪.୮୩ ଚାଉଳ ୧୦ ଗୋଟି ବ୍ଲକ୍ରେ ମହଜୁଦ ରଖାଯାଇଛି ବୋଲି ଜିଲା ପ୍ରଶାସନ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top