ଜିଲ୍ଲା ପରିକ୍ରମା

ସମ୍ବଲପୁର : ୪ ପାର୍କ ନବୀକରଣ ଯୋଜନା ପାଇଁ ପଥ ପରିଷ୍କାର

ସମ୍ବଲପୁର, ୨୬/୧ (ଓଡ଼ିଆ ପୁଅ) – ସମ୍ବଲପୁର ସହରରେ ଥିବା ଜଗନ୍ନାଥ ମନ୍ଦିର କଲୋନୀ ପାର୍କର ଉନ୍ନତିି ଏବଂ ଅନ୍ୟ ତିନୋଟି ପାର୍କର ନବୀକରଣ ତଥା ସୌନ୍ଦର୍ଯ୍ୟକରଣ ପାଇଁ ପଥ ପରିଷ୍କାର ହୋଇଛି। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଯୋଜନା କରାଯାଇଥିବା ଏହି ୪ଟି ପାର୍କରେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଜଗନ୍ନାଥ ମନ୍ଦିର ପାର୍କର ବିକାଶ ଏବଂ ମୁଦିପଡ଼ାର ପଦ୍ମକେଶରୀ ପାର୍କ, ବୁର୍ଲାର ଶ୍ରୀରାମ ବିହାର ପାର୍କ ଏବଂ ହୀରାକୁଦର ଶିଶୁ ଉଦ୍ୟାନର ସୌନ୍ଦର୍ଯ୍ୟକରଣ ପାଇଁ ମହାନଗର ନିଗମ ତରଫରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏଥିପାଇଁ ୩ ଥର ଟେଣ୍ଡର ଆହ୍ୱାନ କରାଯାଇଥିଲା। ତିନିଥର ଯାକ ଗୋଟିଏ ଲେଖାଏଁ ଟେଣ୍ଡର ପଡ଼ିଥିଲା। ଯଦ୍ୱାରା ଏଥିପାଇଁ ମହାନଗର ନିଗମ କର୍ତ୍ତୃପକ୍ଷ ଟେଣ୍ଡର ଚୂଡ଼ାନ୍ତ କରିବା ବାବଦରେ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିଥିଲେ। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟୀ ମହାନଗର ନିଗମର ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛି। ଯଦ୍ୱାରା ଏବେ ଏହି ଗୁଡ଼ିକର ନିର୍ମାଣ କାର୍ଯ୍ୟ ପାଇଁ ଖୁବ୍ ଶୀଘ୍ର ଉକ୍ତ ଠିକାସଂସ୍ଥା ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ୪ଟି ପାର୍କ ପାଇଁ ୧ କୋଟି ୬୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଅଟଳ ମିଶନ ଫର ରି-ଜୁଭେନେସନ ଏଣ୍ଡ ଅର୍ବାନ୍ ଟ୍ରାନ୍ସଫର୍ମେସନ (ଅମୃତ) ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ପ୍ରାୟ ଦେଢ଼ ଏକର ଜମି ପରିମିତ ଜଗନ୍ନାଥ କଲୋନୀ ପାର୍କ ପାଇଁ ୯୦ ଲକ୍ଷ ଟଙ୍କା ଅଟକଳ ରଖାଯାଇଛି। ହେଲେ ୪ଟି ଯାକ କାର୍ଯ୍ୟକୁ କାର୍ଯ୍ୟାଦେଶର ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜଗନ୍ନାଥ କଲୋନୀର ପାର୍କ ଠାରେ ଥିବା ଜଳାଶୟର ପଙ୍କୋଦ୍ଧାର କରାଯିବ ଓ ଆଡ଼ିବନ୍ଧକୁ ସୁଦୃଢ଼ କରାଯିବ। ପାର୍କରେ ମୁକ୍ତାକାଶ ବ୍ୟୟାମଶାଳା, ଶିଶୁମାନଙ୍କ ପାଇଁ କ୍ରୀଡ଼ା ଉପକରଣ, ଚାରିପଟେ ପାଦଚଲା ରାସ୍ତା, ବେଞ୍ଚ, ଲେଣ୍ଡସ୍କେପିଂ ପ୍ରଭୃତି ବ୍ୟବସ୍ଥା ଏହି ପାର୍କରେ ରହିବ। ଅନ୍ୟପକ୍ଷରେ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ପକ୍ଷରୁ ବଡ଼ବଜାରର ଗୌରୀଶଙ୍କର ସାହାଣୀ ପାର୍କ, ମହାନଗର ନିଗମ ପକ୍ଷରୁ ଦାନୀପାଲିର ଭୀମଭୋଇ ଶିଶୁ ଉଦ୍ୟାନ ଏବଂ ସେନ୍ ପାର୍କର ବିକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top