ସମ୍ବଲପୁର ରାସ୍ତାଘାଟରେ ନୂଆଁଖାଇର ଭିଡ଼

ସମ୍ବଲପୁର, ୧୪/୯ (ଓଡ଼ିଆ ପୁଅ) – ସମ୍ବଲପୁରରେ ନୂଆଁଖାଇର ଘନଘଟା ଖୁବ୍ ବଢ଼ି ଯାଇଥିବା ବେଳେ ସହରରେ ବିଭିନ୍ନ ପ୍ରକାର ଗତିବିଧି ଦେଖିବାକୁ ମିଳିଛି। ରାସ୍ତାଘାଟରେ ଖୁବ୍ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି ବଜାରରେ ନାହିଁ ନଥିବା ଭିଡ଼ ଲାଗି ରହିଛି। ଗତକାଲି ଓ ଆଜି ପନିପରିବା ବଜାରରେ ତଥା କପଡ଼ା ବଜାରରେ ଖୁବ୍ କିଣାବିକା ହୋଇଛି। ନୂଆଖାଇ ଅବସରରେ ପନିପରିବା ଦର ଯେଭଳି ଦ୍ୱିଗୁଣିତ ହୋଇଥାଏ ଏଥର ସେପରି ହୋଇନାହିଁ। ବାହାରୁ ବହୁ ପରିମାଣରେ ପନିପରିବା ଆସିଥିବା ସହିତ ସ୍ଥାନୀୟ ଅଞ୍ଚଳରୁ ମଧ୍ୟ ପ୍ରଚୁର ଉତ୍ପାଦନ ବଜାରକୁ ଆସି ଯାଇଥିବାରୁ ଦରବୃଦ୍ଧି ହୋଇପାରି ନାହିଁ। କିଛି ଦିନ ପୂର୍ବରୁ ପନିପରିବା ଦର ଯାହା ଥିଲା ତାହା ଅପରିବର୍ତ୍ତିତ ରହିଛି। ପୋଟଳ ୩୦/୪୦ ଟଙ୍କା, ଭେଣ୍ଡି ୪୦/୬୦, ଝୁଡ଼ଙ୍ଗ ୬୦/୮୦, ପାତଲଘଣ୍ଟା ୨୦, ଜହ୍ନି ୩୦, ମାଖନ ୧୦/୧୫, ସାରୁ ୪୦/୬୦, କଞ୍ଚା କଦଳୀ ଡ଼ଜନ ୮୦, ମୂଳା ୬୦/୮୦, ଫୁଲକୋବି ୬୦/୭୦, ବନ୍ଧାକୋବି ୩୦, କୁନ୍ଦୁରୁ ୬୦/୮୦ଟଙ୍କା ଦରରେ ବିକ୍ରି ହୋଇଛି। ତେବେ ନୂଆଁଖାଇ ପାଇଁ ସାରୁ ଓ ସାରୁପତ୍ରର ଚାହିଦା ରହିଛି। ସେହିଭଳି ନୂତନ ମାଟିପାତ୍ର, ବାଉଁଶ ପାତିଆ, ଖଲିଦନା ଓ ପତ୍ର, ନୂଆ ଧାନ, ରାକ୍ଷୀ ଆଦି ମଧ୍ୟ ଖୁବ୍ ବିକ୍ରି ହେଉଛି। ସମ୍ବଲପୁର ସହରକୁ ଆସୁଥିବା ଏବଂ ଏଠାରୁ ବିଭିନ୍ନ ସ୍ଥାନକୁ ଯାଉଥିବା ଟ୍ରେନ୍ ତଥା ବସରେ ମଧ୍ୟ ଖୁବ୍ ଭିଡ଼ ହୋଇଛି।

Leave a Reply

Your email address will not be published. Required fields are marked *