ସମ୍ବଲପୁରର ଯୁବ ଗବେଷକ ମାନସଙ୍କୁ ଆନ୍ତର୍ଜାତୀୟ ଖ୍ୟାତି

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ସମ୍ବଲପୁରର ପ୍ରତିଭାବାନ ଛାତ୍ର ମାନସ ନନ୍ଦ ପ୍ରାକୃତିକ ଡିଟରଜେଣ୍ଟ ପ୍ରସ୍ତୁତ କରି ଏଥିସକାଶେ କରିଥିବା ଗବେଷଣା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି। ସ୍ଥାନୀୟ ସେଂଟ୍ଯୋଶେଫ୍ କନ୍ଭେଂଟ୍ ସ୍କୁଲ୍ ଏବଂ ପରେ ଗଙ୍ଗାଧର ମେହେର ଜୁନିୟର କଲେଜରୁ ପ୍ରଥମ ଶ୍ରେଣୀରେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ମାନସ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରୁ ଅର୍ଥନୈତିକ ବ୍ୟାପାରରେ ସ୍ନାତକ ଡିଗ୍ରୀ ହାସଲ କରି ପୁଞ୍ଜି ନିବେଶ ଗବେଷକ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ପୁଞ୍ଜି ନିବେଶ ଏବଂ ଅନୁକୂଳ ଅଂଶଧନ ସହିତ ଅର୍ଥନୈତିକ ଉପାଦାନ ଗଠନ କ୍ଷେତ୍ରରେ ସେ ବିଶ୍ୱର ମାନ୍ୟତାପ୍ରାପ୍ତ କମ୍ପାନୀମାନଙ୍କରେ ୫ ବର୍ଷ ଅବସ୍ଥାପିତ ହୋଇଥିଲେ। ଏହି ସମୟରେ ସେ ଚାଟାର୍ଡ଼ ଫାଇନାନ୍ସିଆଲ ଆନାଲିଷ୍ଟ -ସିଏଫଏ ଉପାଧି ମଧ୍ୟ ହାସଲ କରିଥିଲେ।

ହେଲେ କ୍ୟାରିଅରର ଏକ ନିର୍ଦ୍ଦିଷ୍ଟ ଏବଂ ସଫଳ ସ୍ତରରେ ପହଞ୍ଚିଥିଲେ ମଧ୍ୟ ମାନସ ନିଜର ଦକ୍ଷତାକୁ ଜନହିତରେ ଲଗାଇବା ପାଇଁ ଆର୍ଟ ଅଫ୍ ଲିଭିଙ୍ଗ ଫାଉଣ୍ଡେସନରେ ମଧ୍ୟ ସେ ଯୋଗ ଦେଇଥିଲେ। ଏଠାରେ ତାଙ୍କୁ ଭାରତରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପରିଚାଳାନା ଦାୟିତ୍ୱ ଦିଆଯାଇଥିଲା। ଏହି ସମୟରେ ମାନସ ଗ୍ରାମୀଣ ଏବଂ ଆଦିବାସୀମାନଙ୍କ ସହ ଭାରତର ଅଭ୍ୟନ୍ତରୀଣ ଅଞ୍ଚଳରେ କାର୍ଯ୍ୟକରି କୃଷି, ସ୍ୱଚ୍ଛ ଉର୍ଜା ସହିତ ପରିବେଶ ସଂରକ୍ଷଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଝାଡ଼ଖଣ୍ଡରେ ଥିବାବେଳେ ଲଘୁ ବନଜାତ ସାମଗ୍ରୀ ମାଧ୍ୟମରେ ଜନଜାତିମାନଙ୍କ ଜୀବିକାକୁ ସହାୟତା କରିବା ପାଇଁ ସାମାଜିକ ଉଦ୍ୟୋଗ ନେଇ ତାଙ୍କ ମନରେ ଚିନ୍ତା ଆସିଥିଲା। ଏହିଭଳି ଉଦ୍ୟୋଗ ଆରମ୍ଭ କରିବା ସକାଶେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ଏମବିଏ ପାଠ୍ୟକ୍ରମରେ ନାମ ଲେଖାଇ ମାନସ ସାମାଜିକ ଉଦ୍ୟୋଗକୁ ମଜଭୂତ କରିବା ସକାଶେ କଠିଣ ପରିଶ୍ରମ କରିଥିଲେ। ତାଙ୍କୁ ୱେଡ଼େନ୍ଫିଲ୍ଡ ସ୍କଲାରସିପ ମିଳିଥିଲା। ଯାହାକି ଉଚ୍ଚଦରମାର ପଦପଦବୀ ବଦଳରେ ତାଙ୍କୁ ଜୀବନର ଦାୟିତ୍ୱବୋଧ ସମ୍ପାଦନ କରିବାକୁ ଉତ୍ସାହିତ କରିଥିଲା। ମାନସ ଏମବିଏ ଡିଗ୍ରୀ କରିବା ସମୟରେ ନିଜ ସହପାଠୀ ଏବଂ ଶିକ୍ଷକମାନଙ୍କ ସହ ମିଶି ଭବିଷ୍ୟତ ଯୋଜନା ବାବଦରେ ରୂପରେଖ ପ୍ରସ୍ତୁତ କରିଥିଲେ। ଏକ୍ୟୁମେନ୍ ଓ ସେଲ ଫାଉଣ୍ଡେସନ ପକ୍ଷରୁ ଗବେଷଣା ସମୟରେ ତାଙ୍କୁ ସାମାଜିକ ଅର୍ଥନୀତି ବାବଦରେ ପ୍ରାକୃତିକ ତଥ୍ୟ ମିଳିଥିଲା। ମାନସ ଏହି କ୍ରମରେ ନିଜ ଜନ୍ମମାଟିକୁ ଆସି ଜଙ୍ଗଲ ଅଞ୍ଚଳର କେତେକ ବନଜାତ ସାମଗ୍ରୀକୁ ପରୀକ୍ଷା ସମୟରେ ରିଠା ପ୍ରଭୃତି ଔଷଧୀୟ ଲତା ଗୁଲ୍ମ ଉପରେ ଗବେଷଣା ଆରମ୍ଭ କରିଥିଲେ। ଏହାକୁ କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଏକ ପ୍ରାକୃତିକ ଡିଟରଜେଣ୍ଟ ଭାବରେ ଜଙ୍ଗଲ ଅଞ୍ଚଳର ଅଧିବାସୀଙ୍କୁ ବଜାର ସଂଯୋଗ ଦେବାପାଇଁ ମାନସ କାର୍ଯ୍ୟକରି ସଫଳ ହୋଇଛନ୍ତି। ବବୁଲନଟ୍ ୱାସ ନାମକ ବ୍ରାଣ୍ଡରୁ ସେ ପରିଧାନ, ବାସନକୁସନ, ହାତ ଏବଂ ଘର ପରିସ୍କାର କରିବା ଉପାଦନ ତିଆରିରେ ସଫଳ ହୋଇଥିଲେ। ସମ୍ବଲପୁର ନନ୍ଦପଡ଼ା ମୂଳନିବାସୀ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁରେଶ ଚନ୍ଦ୍ର ନନ୍ଦ ଏବଂ ଭୂମିସୂତା ନନ୍ଦଙ୍କ ସୁପୁତ୍ର ମାନସ ଏହାଦ୍ୱାରା ରସାୟନିକ ପଦାର୍ଥ ବ୍ୟବହାରକୁ ରୋକିବା ସହିତ ପ୍ରାକୃତିକ ଜଳସ୍ରୋତକୁ ପ୍ରଦୂଷଣ ମୁକ୍ତ କରିବାରେ ମଧ୍ୟ ସଫଳ ହେବାରେ ଲାଗିଛନ୍ତି। ମାନସଙ୍କ ଏହି ଉଦ୍ୟମ ପାଇଁ ବିଭିନ୍ନ ସ୍ତରରେ ପୁରସ୍କୃତ କରାଯାଇଛି। ଜୈବିକ ଉପାଦାନ, ଜଳ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ପାଇଁ ତାଙ୍କୁ ଇତିମଧ୍ୟରେ ବାଙ୍ଗାଲୁରୁ ଠାରେ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ କର୍ଣ୍ଣାଟକ ଗ୍ରାଣ୍ଟ ଚ୍ୟାଲେଞ୍ଜ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *