ସମ୍ବଲପୁରର ବେଜବରୁଆ ଭବନ ଦେଖାଇଲା ବାଟ

ସମ୍ବଲପୁର, ୧୩/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁରର ଲକ୍ଷ୍ମୀନାଥ ବେଜବରୁଆ ଭବନର ସଂରକ୍ଷଣ ପଦକ୍ଷେପ ଅନ୍ୟାନ୍ୟ ମହାପୁରୁଷଙ୍କ ସ୍ମୃତି ବହନ କରୁଥିବା ଭବନର ସଂରକ୍ଷଣ ପାଇଁ ରାସ୍ତା ଦେଖାଇଛି। ସମ୍ବଲପୁରର ଲକ୍ଷ୍ମୀନାଥ ବେଜବରୁଆ ଭବନକୁ ଭାଙ୍ଗିଦେବାରୁ ରୋକାଯିବା ତଥା ଏହାକୁ ସଂରକ୍ଷିତ କରି ରଖିବା ସଂକ୍ରାନ୍ତରେ ଗତ ଦିନରେ ଓଡ଼ିଶା ଏବଂ ଆସାମରେ ଦେଖାଦେଇଥିବା ଉଦ୍ବେଳନ ଓ ଘଟଣାକ୍ରମର ବହୁଳ ପ୍ରଚାର ଅନ୍ୟାନ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଛି। ଖୋଦ ଆସାମ ସରକାର କଲିକତାରେ ଥିବା ବିଶିଷ୍ଟ ଅହମିଆ ଗାୟକ ଭୂପେନ ହଜାରିକାଙ୍କ ଘରକୁ ହାସଲ କରିବା ପାଇଁ ଏବେ ପଦକ୍ଷେପ ନେଇଛନ୍ତି। ଭୂପେନ ହଜାରିକା କଲିକତାର ଅତ୍ୟନ୍ତ ବ୍ୟସ୍ତବହୁଳ ଟାଲିଗଞ୍ଜ ଗଲ୍ଫକୋର୍ସ ରୋଡ଼ ସ୍ଥିତ ହାଉସ ନମ୍ବର ୭୭ବି’ରେ ୧୯୫୬ ମସିହାରୁ ବାସ କରୁଥିଲେ। ୮୦ ଦଶକରେ ସେ ଏହି ଭଡ଼ା ଘରଟିକୁ ନିଜେ କିଣି ପକାଇଥିଲେ। ତେବେ ୯୦ ଦଶକରେ ମୁମ୍ବାଇରେ ଭୂପେନ୍ ହଜାରିକାଙ୍କ ଚାହିଦା ବୃଦ୍ଧି ପାଇବା ଯୋଗୁଁ ସେ ମୁମ୍ବାଇକୁ ସ୍ଥାନାନ୍ତରିତ ହୋଇଥିଲେ। ପରେ କେବେ ଏହି ଘରଟି ବିକ୍ରି ହେଇଗଲା ସେ ସମ୍ପର୍କରେ କେହି ଜାଣି ପାରିଲେ ନାହିଁ। ଏବେ ଆସାମ ସରକାର ଘରଟିକୁ ତା’ର ବର୍ତ୍ତମାନ ମାଲିକଙ୍କ ଠାରୁ କିଣିବା ପାଇଁ ପଦକ୍ଷେପ ନେଇଛନ୍ତି।

ଆସାମ ସରକାରଙ୍କ ଭଳି ପଶ୍ଚିମବଙ୍ଗ ସରକାର ମଧ୍ୟ ବେଜବରୁଆ ଭବନ ପ୍ରକରଣରୁ ଆକର୍ଷିତ ହୋଇ ଲଣ୍ଡନରେ ବିଶ୍ୱକବି ରବୀନ୍ଦ୍ରନାଥ ଟ୍ୟାଗୋର କିଛି ସମୟ ବିତାଇଥିବା ଏକ ଘରକୁ କିଣିବା ପାଇଁ ଆଗଭର ହୋଇଛନ୍ତି। ୧୯୧୨ ମସିହାରେ ଉତ୍ତର ଲଣ୍ଡନର ହାମ୍ପଷ୍ଟିଡ଼ ହେଥ୍ରେ ଥିବା ଭିଲ୍ଲା ନମ୍ବର ୩ରେ ରବୀନ୍ଦ୍ରନାଥ ଟ୍ୟାଗୋର କିଛି ସମୟ ପାଇଁ ବିତାଇଥିଲେ। ଘରଟିର ମହତ୍ତ୍ୱ ଏଥିପାଇଁ ଅଧିକ ଯେ, କବିଗୁରୁ ଏହି ଘରେ ଗୀତାଞ୍ଜଳିର ଇଂରାଜୀ ଅନୁବାଦ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ ବ୍ରିଟେନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *