ସମ୍ବଲପୁରର ପ୍ରାଚୀନ କୀର୍ତ୍ତିରାଜୀର ସଂରକ୍ଷଣ ପାଇଁ ଆବଶ୍ୟକ ଅତିରିକ୍ତ ରାଶି ଦିଆଯିବ : ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

ସମ୍ବଲପୁର, ୭/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁରରେ ଚାଲିଥିବା ପ୍ରାଚୀନ କୀର୍ତ୍ତିରାଜୀର ସଂରକ୍ଷଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ସମଲେଶ୍ୱରୀ ମନ୍ଦିର, ରାନୀ ବଖରୀ, ଭିକ୍ଟୋରିଆ ଟାଉନ ହଲ ଏବଂ ବେଜବରୁଆ ଭବନ ପରିଦର୍ଶନ କରିବା ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ଇନ୍ଟାକ୍, ସମ୍ବଲପୁର ଚାପ୍ଟରର ସଦସ୍ୟମାନଙ୍କ ସହିତ ଏକ ବୈଠକରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା ତଥା ଆବଶ୍ୟକତା ସମ୍ପର୍କରେ ଅଲୋଚନା କରିଛନ୍ତି। ସମ୍ବଲପୁର ବିଧାୟିକା ଡା. ରସେଶ୍ୱରୀ ପାଣିଗ୍ରାହୀ, ଇନ୍ଟାକ୍ର ସଂରକ୍ଷଣ ବିଭାଗ ଓଡ଼ିଶା ମୁଖ୍ୟ ସୁଶ୍ରୀ ମଲ୍ଲିକା ମିତ୍ର, ସମ୍ବଲପୁର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଳେଇ ପ୍ରମୁଖ ଏ ଅବସରରେ ଉପସ୍ଥିତ ଥିଲେ। ରାନୀ ବଖରୀ ଏବଂ ଭିକ୍ଟୋରିଆ ଟାଉନ ହଲର ଆନୁସାଙ୍ଗିକ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଏଗୁଡ଼ିକର ଉପଯୋଗ ସକାଶେ ପ୍ରାୟ ୨ କୋଟି ଟଙ୍କାର ଆବଶ୍ୟକତା ଥିବା ଆକଳନ କରାଯାଇଛି। ରାନୀ ବଖରୀର ଚତୁପାଶ୍ୱର୍ରେ ଏକ ଅଳିନ୍ଦ ଏବଂ ଏହାର ସୌନ୍ଦର୍ଯ୍ୟକରଣ ସକାଶେ ଭୂମି ଅଧିଗ୍ରହଣର ଆବଶ୍ୟକତା ଥିବା ଦୃଷ୍ଟିରୁ ଏ ବାବଦ ୬୦ ଲକ୍ଷ ଟଙ୍କାରୀ କ୍ଷତିପୂରଣ ରାଶି ଦିଆଯିବାର ଅଛି। ଏହି ଟଙ୍କା କେଉଁ ସୂତ୍ରରୁ ଦିଆଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ଏବେ ଆର୍ଥିକ ବର୍ଷ ସରିଯିବା ଉପରେ ଥିବାରୁ ଆସନ୍ତା ଆର୍ଥିକ ବର୍ଷ ପ୍ରାରମ୍ଭରୁ ଆବଶ୍ୟକ ଥିବା ୨ କୋଟି ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି। ରାନୀ ବଖରୀର ଉପଯୋଗ ପାଇଁ ଏକ ଟ୍ରଷ୍ଟ ଗଠନ କରାଯିବ ତଥା ଏହି ଟ୍ରଷ୍ଟ ଅଧୀନରେ ଏଠାରେ ଏକ ଚିତ୍ରକଳା ଏବଂ ଫଟୋଗ୍ରାଫି ଗ୍ୟାଲେରୀ ପରିଚାଳିତ ହେବ। ଏହି ଗ୍ୟାଲେରୀରେ ସମ୍ବଲପୁର ମାଟିର ଗତ ଦିନର ପ୍ରଖ୍ୟାତ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା, ବର୍ତ୍ତମାନ ସମୟର ଚିତ୍ରଶିଳ୍ପୀଙ୍କ ଉକ୍ରୃଷ୍ଟ କଳା ଏବଂ ନୂଆ କଳାକାରଙ୍କ ସୃଷ୍ଟିକୁ ଭିନ୍ନ ରୂପେ ବର୍ଗୀକରଣ କରାଯାଇ ସୁସଜ୍ଜିତ କରାଯିବ। ଫଟୋଗ୍ରାଫି ପ୍ରଦର୍ଶନୀରେ ମଧ୍ୟ ସମାନ ଉପାୟ ଅବଲମ୍ବନ କରାଯିବ। ଭିକ୍ଟୋରିଆ ଟାଉନ ହଲରେ ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି ଏବଂ ଜନଜୀବନ ଆଧାରିତ ଏକ ମ୍ୟୁଜିୟମ ସ୍ଥାପିତ ହେବ। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସମଲେଶ୍ୱରୀ ମନ୍ଦିରରେ ଲାଇଟ ଏଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ ପାଇଁ ୭ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ରାନୀ ବଖରୀ ପାଇଁ ୧ କୋଟି ଟଙ୍କା ଅନୁଦାନ ରାଶି ଯୋଗାଇ ଦେଇଛନ୍ତି। ଏହା ବାହାରେ ଭିକ୍ଟୋରିଆ ଟାଉନ ହଲ, ହୁମା ବିମଳେଶ୍ୱର ମନ୍ଦିର, ରେଢ଼ାଖୋଲର କନ୍ଧରା ସକାଶେ ମଧ୍ୟ ଅନୁଦାନ ପ୍ରଦାନ କରିଛନ୍ତି। ଏଥିପାଇଁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଦିଚ୍ଛା ତଥା ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ଏବଂ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *