ଆମ ସଂସ୍କୃତି, କଳା ଓ ଐତିହ୍ୟ

ସମ୍ବଲପୁରରେ ରଣଜିତା ଉତ୍ସବ ପାଳିତ

ସମ୍ବଲପୁର, ୨୧/୧୦ (ଓଡ଼ିଆ ପୁଅ) – ଆଶ୍ୱିନ୍ୟ ଶୁକ୍ଲ ପକ୍ଷ ବିଜୟା ଦଶମୀ ତିଥିରେ ସମ୍ବଲପୁର ଅଞ୍ଚଳରେ ଦେବୀ ମନ୍ଦିର ପୀଠମାନଙ୍କରେ ରଣଜି୍ତା ଉତ୍ସବ ପାଳନ କରାଯାଇଛି। ସମଲେଶ୍ୱରୀଙ୍କ ମନ୍ଦିରରେ ଶହ ଶହ ବର୍ଷ ଧରି ଚାଲି ଆସିଥିବା ରଣଜିତା ଉତ୍ସବକୁ ସମ୍ପୂର୍ଣ୍ଣ ରୀତିନୀତି ସହକାରେ ପାଳନ କରାଯାଇଥିଲା। ଅଧିଷ୍ଠାତ୍ରୀ ଦେବୀ ସମଲାଇ ଓ ପାର୍ଶ୍ୱ ଦେବାଦେବୀଙ୍କ ସାନ୍ଧ୍ୟ ଆଳତୀ ସମ୍ପୂର୍ଣ୍ଣ ହେବାପରେ ମନ୍ଦିରର ପୂଜକବୃନ୍ଦ, ଟ୍ରଷ୍ଟ କର୍ମକର୍ତ୍ତା, ଦଶହରା କମିଟୀ ସଦସ୍ୟ ଏବଂ ପୁରୁଖା ବ୍ୟକ୍ତିଗଣ ବୀର ବାଦ୍ୟ ସହ ଏକ ପଟୁଆରରେ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚି ଖଣ୍ଡା ପୂଜା କରିଥିଲେ। ଏହାବାଦ୍ ଏହି ପଟୁଆରରେ ଯାଇ ମଛିନ୍ଦ୍ର ଘାଟରେ କଳସ ବିସର୍ଜନ କରିଥିଲେ। ଏହି ପଟୁଆରରେ ଆଖଡ଼ା ପ୍ରଦର୍ଶନ ସହିତ ଭକ୍ତମାନେ ଶୋଭାଯାତ୍ରାରେ ଯାଉଥିବା ଝଣ୍ଡାକୁ ପୂଜା କରିଥିଲେ। ସେଠାରେ ଅଗ୍ନି ବନାଟୀ ଖେଳ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ବିସର୍ଜନ ପରେ ଆଖଡ଼ା ସାମଗ୍ରୀକୁ ପୂଜାର୍ଚ୍ଚନା ପରେ ହନୁମାନଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା। ପୂର୍ବରୁ ଏହି ପଟୁଆର ଆଖଡ଼ା ମାଷ୍ଟର ସୁରେନ୍ଦ୍ର ନାୟକଙ୍କ ଘରକୁ ଯାଇ ତାଙ୍କୁ ନୀତି ଅନୁସାରେ ଆମନ୍ତ୍ରଣ କରାଯାଇଥିଲା। ମାଷ୍ଟର ଏହି ପଟୁଆରରେ ଅଂଶଗ୍ରହଣ କରି ଆଖଡ଼ା ଓସ୍ତାଦ ପୀତାମ୍ବର ରାୟଙ୍କ ଘରେ ପହଞ୍ଚି ପଗଡ଼ି ଓ ବୀରବସ୍ତ୍ର ପ୍ରଦାନ ପୂର୍ବକ ସମ୍ମାନ ପ୍ରଦର୍ଶନ କରିଥିଲେ। ଏହାବାଦ୍ ଯୁଦ୍ଧରେ ପ୍ରତିକାତ୍ମକ ବିଜୟ ପାଇଁ ସମସ୍ତେ ଦେବୀଙ୍କ ଆଶୀର୍ବାଦ ନେଇଥିଲେ। ପୀତାମ୍ବର ରାୟ, ପ୍ରଶାନ୍ତ ରାୟ, ରାଜେନ୍ଦ୍ର ରାୟ, ହିମାଂଶୁ ରାୟ, ଟ୍ରଷ୍ଟର ସଭାପତି ସଞ୍ଜୟ କୁମାର ବାବୁଙ୍କ ସହିତ ସଞ୍ଜୀବ ସିଂହ, ସୁବ୍ରତ ପଣ୍ଡା, ପଞ୍ଚାନନ ତ୍ରିପାଠୀ, ରାମଦାସ ପଣ୍ଡା ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ।

ସେହିଭଳି ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟ ପାଳନ ପୂର୍ବକ ଗତକାଲି ସହର ଓ ଆଖପାଖ ଅଞ୍ଚଳରେ ରାବଣ ଦହନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଭିନ୍ନ ସ୍ଥାନରୁ ବାଳକ ଓ ବାଳିକା ମାନେ ପଟୁଆରମାନଙ୍କରେ ଶ୍ରୀରାମ, ଲକ୍ଷ୍ମଣ, ସୀତା, ହନୁମାନ ପ୍ରଭୃତି ବେଶ ଧାରଣ କରି ସହର ପରିକ୍ରମା ଉତ୍ତାରୁ ଧାର୍ଯ୍ୟ ସ୍ଥାନରେ ପହଞ୍ଚିଥିଲେ। ରିଙ୍ଗରୋଡ଼ର ଦଳେଇପଡ଼ା, ମନ୍ଦଲିଆ-ଚନ୍ଦନନଗର, ଧନକଉଡ଼ା, ଅଇଁଠାପାଲି ପିଏଚଡ଼ି ପଡ଼ିଆ, ସିଦ୍ଦେଶ୍ୱର ବେର୍ଣ୍ଣା, ସିନ୍ଦୁରପଙ୍କ, ବୁର୍ଲା, ହୀରାକୁଦ, ରେଢ଼ାଖୋଲ, ପଡ଼ିଆବାହାଲ, କୁଚିଣ୍ଡା ପ୍ରଭୃତି ସ୍ଥାନମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବ୍ୟାପକ ଆତଶବାଜି କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top