ଓଡ଼ିଶା

ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀ: ସବୁ ପ୍ରକାର ସମ୍ଭାବନା ଥିବା ପରେ ବି ରାଜ୍ୟର ପଶ୍ଚିମାଂଚଳ ହକ୍ ଓ ବିକାଶରେ ଯେଉଁ ମାପଦଣ୍ଡରେ ପହଂଚିବା କଥା ସେହି ସ୍ଥାନରେ ପହଂଚି ପାରି ନାହିଁ – ଧର୍ମେନ୍ଦ୍ର ପ୍ରଧାନ

– ବ୍ୟବସ୍ଥା ଚଲାଉଥିବା ଲୋକଙ୍କୁ ସମାଜ ପ୍ରଶ୍ନ ନ ପଚାରିଲେ ସମାଜର ହିଁ ସବୁଠୁ ବଡ କ୍ଷତି ଘଟେ

ସମ୍ବଲପୁର, ୧୦ ଜୁନ (ଓଡ଼ିଆ ପୁଅ) – ସବୁ ପ୍ରକାର ସମ୍ଭାବନା ଥିବା ପରେ ବି ରାଜ୍ୟର ପଶ୍ଚିମାଂଚଳ ହକ୍ ଓ ବିକାଶରେ ଯେଉଁ ମାପଦଣ୍ଡରେ ପହଂଚିବା କଥା ସେହି ସ୍ଥାନରେ ପହଂଚି ପାରି ନାହିଁ ବୋଲି ସମ୍ବଲପୁର ଠାରେ ଏକ ବୁଦ୍ଧିଜୀବୀ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କାହିଁକି ହେଲାନି କଣ ପାଇଁ ହେଲାନି, ସମାଜକୁ ବ୍ୟବସ୍ଥା ଚଲାଉଥିବା ଲୋକଙ୍କୁ ପଚାରିବାର ଆବଶ୍ୟକତା ରହିଛି। ସମାଜ ଯେତେବେଳେ ସହି ଯିବା ମାନସିକତାକୁ ଆସେ ପ୍ରଶ୍ନ କରେ ନାହିଁ ସେତେବେଳେ ସମାଜକୁ ହିଁ ସବୁଠୁ ବଡ କ୍ଷତି ସହିବାକୁ ପଡେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ୟବସ୍ଥା ଚଲାଉଥିବା ଲୋକ ମାନେ ଯେତେବେଳେ ଭାବିବାକୁ ଆରମ୍ଭ କରନ୍ତି ଯେ ସାଧାରଣ ଲୋକ ମାନଙ୍କୁ ବୋକା ବନା ଯାଇ ପାରେ ସେତେବେଳେ ସମାଜ ଅନର୍ଥ ଆଡକୁ ଯାଏ। ରାଜନେତା ଯଦି ଭାବେ ସମାଜକୁ ବୋକା ବନାଇ ନିର୍ବାଚନ ଜିତି ହେବ ପ୍ରଶାସନିକ ଅଧିକାରୀ ମାନେ ଦାୟିତ୍ୱ ପାଳନ ନ କଲେ ବି ସେମାନେ ଜନ ସମୀକ୍ଷାରୁ ଦୂରରେ ରହିବେ ସେତେବେଳେ ବିକାଶ ବାଧାପ୍ରାପ୍ତ ହେବ ବୋଲି ଏହି ବୁଦ୍ଧିଜୀବୀ ସମ୍ମିଳନୀରେ କହିଛନ୍ତି ଶ୍ରୀ ପ୍ରଧାନ।

ବ୍ୟବସ୍ଥା ଚଲାଉଥିବା ଲୋକ ମାନଙ୍କୁ ସମାଜ ଯଦି ପ୍ରଶ୍ନ ନ କରେ ତା ହେଲେ ସାଧାରଣ ଲୋକ ମାନଙ୍କର ହିଁ କ୍ଷତି ହୁଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଏକ ଯୁବକ ମାନଙ୍କର ଦେଶ। ଜାପାନ ଭଳି ଦେଶ ବିକାଶର ଚରମ ସୀମାରେ ପହଂଚିବା ବେଳେ ସେଠାରେ ଯୁବକଙ୍କ ସଂଖ୍ୟା କମ ଓ ବୟସ୍କଙ୍କ ସଂଖ୍ୟା ଅଧିକ ହୋଇଛି। ଭାରତରୁ ଯୁବ ମାନବ ସମ୍ବଳକୁ ସେମାନଙ୍କର ଦେଶକୁ ବିଭିନ୍ନ ସେବାରେ ନିୟୋଜନ କରିବା ପାଇଁ ନେବା ପାଇଁ ଚାହୁଁଛନ୍ତି। ଭାରତ ଭଳି ଦେଶର ପଶ୍ଚିମ, ଉତର ଭାରତର କିଛି ଅଂଶ ଓ ଦକ୍ଷିଣ ଭାରତର କିଛି ଅଂଶ ତୁଳନାରେ ପୂର୍ବ ଭାରତରେ ଯୁବ ପୀଢୀର ସଂଖ୍ୟା ଦେଶର ଆନୁପାତିକ ହାରରେ ଅଧିକ। ମାତ୍ର ଓଡିଶା ସରକାର ଶିଶୁ ମୃତ୍ୟୁ ହାରରେ ରାଷ୍ଟ୍ରୀୟ ହାରାହାରି ହାର ଠାରୁ ଓଡିଶାର ହାର ଭଲ ବୋଲି ଡିଣ୍ଡିମ ପିଟୁଛି। କିନ୍ତୁ ସୁକ୍ଷ୍ମ ଭାବରେ ଦେଖିଲେ ଉପକୂଳ ଓଡିଶାର କିଛି ଜିଲ୍ଲାକୁ ଛାଡିଦେଲେ ୨୩-୨୪ ଜିଲ୍ଲାର ଶିଶୁଙ୍କ ଓଜନ ଓ ଉଚ୍ଚତା କମ ରହିଛି। ଓଜନ, ଉଚ୍ଚତା କମ ରହିଲେ ଶିଶୁର ମାନସିକ ଅଭିବୃଦ୍ଧି ମଧ୍ୟ ଖରାପ ହୋଇ ଯିବ। ତାହେଲେ ଏପରି ସ୍ଥିତିରେ ବିଶ୍ୱରେ ଯେଉଁ ମାନବ ସମ୍ବଳର ଆବଶ୍ୟକତା ଅଛି ଆଗାମୀ ଓଡିଶାର ପୀଢୀ ସେ ଆବଶ୍ୟକତାକୁ ପୂରଣ କରିବ କିପରି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ସରକାରୀ ବ୍ୟବସ୍ଥା ଉପରେ ସମାଜ ନିର୍ଭର କରିବା ମଧ୍ୟ ସଠିକ ମାର୍ଗ ନୁହେଁ। ଆମ ରାଜ୍ୟରେ ଝିଅଟି ଗର୍ଭବତୀ ହେଲେ ସାହି ପଡିଶା ଭଲ ଖାଦ୍ୟ ପଠାଇବାର ପରମ୍ପରା ଆଜି ସମାଜ କାହିଁକି ପାଳନ କରି ପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଗର୍ଭଧାରଣରୁ ଶିଶୁ ଜନ୍ମ ଓ ହଜାରେ ଦିନ ପର୍ଯ୍ୟନ୍ତ ମା ଓ ଶିଶୁର ସୁପୋଷଣର ଦାୟିତ୍ୱ ସମାଜ ନେଲେ ଓଡିଶାର ଆଗାମୀ ପୀଢି ସୁସ୍ଥ ସବଳ ହେବା ସହ ସମସ୍ତ ଆହ୍ୱାନର ସାମନା କରି ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ମୋଦି ସରକାରର ଚାରି ବର୍ଷରେ ସରକାରର ବିକାଶମୂଳକ କାର୍ଯ୍ୟ ଓ ବିଶ୍ୱସନୀୟତାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top