ସମ୍ବଲପୁରରେ ଗଣେଶ ପୂଜା : ମୁକ୍ତାକାଶ ମଣ୍ଡପରେ ସୁନ୍ଦର ସାଜସଜ୍ଜା

ସମ୍ବଲପୁର, ୧୩/୯ (ଓଡ଼ିଆ ପୁଅ) ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ଆଜି ବିଦ୍ୟାଦାତା ଶ୍ରୀଗଣେଶଙ୍କ ପୂଜା ଆରାଧନା ପାଇଁ ସମ୍ବଲପୁର ଜିଲ୍ଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, କ୍ଲବ, କଲୋନୀ ଏବଂ ଛକମାନଙ୍କରେ ଭକ୍ତିଭାବନାର ସହିତ ଶ୍ରୀଗଣେଶଙ୍କ ପୂଜା କରାଯାଉଛି। ଏଥର ଗଣେଶଙ୍କ ମୂର୍ତ୍ତିକୁ ପ୍ରସ୍ତରର ରୂପ ସହିତ ରାଜଗାଦିରେ ଅନେକ ସ୍ଥାନରେ ଆସୀନ କରାଯାଇଛି। କ୍ଷେତରାଜପୁରର ନଟରାଜ କ୍ଲବରେ ଏଥର ପୂଜା ୪୮ ବର୍ଷରେ ପହଞ୍ଚିଛି। ଏଠାରେ ସୁସଜ୍ଜିତ ମୁକ୍ତାକାଶ ମଣ୍ଡପରେ ୩୦ ଫୁଟ ଉଚ୍ଚର ଗଣେଶ ମହାପ୍ରଭୁ ଝିଲମିଲ କପଡ଼ା ଓ ମୋ୍ତିରେ ଖଚିତ ହୋଇ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ଏଠାରେ ଗଣେଶଙ୍କ ପ୍ରତିମାକୁ ଜଗନ୍ନାଥଙ୍କ ଗଜାନନଙ୍କ ରୂପ ପ୍ରଦାନ କରାଯାଇଛି। ଏହି ମୂର୍ତ୍ତିକୁ ସୁନ୍ଦର କାରୁକାର୍ଯ୍ୟର ବସ୍ତ୍ର ପିନ୍ଧା ଯାଇଥିବା ବେଳେ ପାଖରେ ଏକ ରଥରେ ଜଗନ୍ନାଥ ଦର୍ଶନ ଦେଉଛନ୍ତି। ନ୍ୟୁ ୟଙ୍ଗ ଏସୋସିଏସନର ୫୮ତମ ବର୍ଷ ପୂଜାରେ ଏଥର ମଣ୍ଡପକୁ କୈଳାସ ପର୍ବତର ରୂପ ଦିଆଯାଇଥିବା ବେଳେ ଝରଣା, ବୃକ୍ଷରାଜି ଏବଂ ହରିଣ ପ୍ରଭୃତି ପ୍ରାଣୀଙ୍କ ମୃର୍ତ୍ତି ଦୃଷ୍ଟିଗୋଚର ହେଉଛନ୍ତି। ପର୍ବତ ଉପରେ ଗଣେଶ ଶିବ ଏବଂ ପାର୍ବତୀଙ୍କ ସହିତ ପୂଜିତ ହେଉଛନ୍ତି। ଏଠାର ମୂର୍ତ୍ତିକୁ ରାଜନନ୍ଦଗାଓଁ ଗ୍ରାମରୁ ଅଣାଯାଇଛି। ପୋଦ୍ଦାର କଲୋନୀରେ ମଧ୍ୟ ପ୍ରସାଦକୁ ମଣ୍ଡପର ରୂପ ଦିଆଯାଇଛି। ସେହିଭଳି ୟଙ୍ଗ ଏସୋସିଏସନ ଦ୍ୱାରା ଆୟୋଜିତ ପୂଜାରେ ପ୍ରଭଊ ଗଣେଶଙ୍କ ରାଜ୍ୟାଭିଷେକ ମୂର୍ତ୍ତି ଶୋଭା ପାଉଛି। ବୈଦ୍ୟନାଥ ଛକରେ ସଦୃଶ୍ୟ ଗଣେଶ ପ୍ରତିମାଙ୍କୁ ପ୍ରସ୍ତର ଆକୃତି କରାଯାଇଥିବା ବେଳେ ସ୍ୱର୍ଣ୍ଣାଭ ରଙ୍ଗର ପ୍ରଭା ଖଞ୍ଜା ଯାଇଛି। ଫାର୍ମରୋଡ଼ରେ ଏକ ମନ୍ଦିର ଆକୃତିର ମଣ୍ଡପରେ ଗଣେଶ ପୂଜିତ ହେଉଥିବା ବେଳେ ଚେରୁଆପଡ଼ା ଛକରେ ମୁକ୍ତାକାଶ ରାଜଦରବାର କରାଯାଇଛି। ଧର୍ମଶାଳା ଗଳିରେ ସୋଲ ସାମଗ୍ରୀକୁ ମଣ୍ଡପରେ ବ୍ୟବହାର କରାଯାଇଛି। ଗେଇଟୀ ରୋଡ଼ରେ ଶିଳ୍ପୀମାନେ ମାଟି ପାତ୍ରରେ ପ୍ରତିମାକୁ ଗଣେଶଙ୍କ ରୂପ ଦେଇଛନ୍ତି। ସେହିଭଳି ବୈଦ୍ୟନାଥ ଛକ, କ୍ଷେତରାଜପୁର ମୁଖ୍ୟ ରାସ୍ତାରେ ରଙ୍ଗିନ ତଥା ଇଲେକ୍ଟ୍ରୋନିକ୍ସ ଆଲୋକମାଳା ଓ ବିଭିନ୍ନ ମୋଡ଼େଲ ସ୍ଥାପନ କରାଯାଇଛି। ଆଜି ଅନେକ ଶିଶୁ ଘର ଆଖପାଖର ବିଦ୍ୟାଳୟରେ ବିଦ୍ୟାରମ୍ଭ ପାଇଁ ଖଡ଼ିଛୁଆ କରିଛନ୍ତି। ଛାତ୍ରଛାତ୍ରୀମାନେ ନୂଆ ବସ୍ତ୍ର ପରିଧାନ କରି ଉତ୍ସାହର ସହ ନିଜ ନିଜ ଶିକ୍ଷାନୁଷ୍ଠାନରେ ଶ୍ରୀଗଣେଶଙ୍କୁ ଆରାଧନା କରିଛନ୍ତି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଭଜନ ଓ ଅର୍କେଷ୍ଟ୍ରାର ଆୟୋଜନ କରାଯାଇଛି।

Leave a Reply

Your email address will not be published. Required fields are marked *