ଜିଲ୍ଲା ପରିକ୍ରମା

ସମୁଦ୍ର ଉପକୂଳରେ ବଢୁଛନ୍ତି ବାଂଲାଦେଶୀ ଆରଡିସି ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶ ଶୀତଳ ଭଣ୍ଡାରରେ

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବୈତରଣୀ ନଦୀକୂଳ ଓ ବଙ୍ଗୋପସାଗର କୂଳେ କୂଳେ ବାଲାଂଦେଶୀଙ୍କ ଭିଡ ଜମୁଛି। ଏମାନଙ୍କୁ ହଟାଯିବା ପାଇଁ ବାରମ୍ବାର ଦାବି ହେବା ପରେ ତତ୍କାଳୀନ ରେଭିନ୍ୟୁ ଡିଭିଜ୍ନାଲ କମିଶନର ହୃଷିକେଶ ପଣ୍ଡା ୨୦୦୧ ମସିହାରେ ଏମାନଙ୍କୁ ଚିହ୍ନଟ ଓ ହଟାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାରଣ ସମୁଦ୍ର ଉପକୂଳ ଓ ଧାମରା ବନ୍ଦରରେ ଥିବା ପ୍ରତିରକ୍ଷା ବିଭାଗ ଉପରେ ବିଦେଶୀ ଗୁଇନ୍ଦା ସଂସ୍ଥାର ଆଖି ପଡିପାରେ। ଏହି ନିର୍ଦ୍ଦେଶ ପରେ ଭଦ୍ରକ ଜିଲା ପ୍ରଶାସନ ସକ୍ରିୟ ହୋଇ ଉଠିଥିଲା। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଆଦେଶ ପରେ ଭଦ୍ରକ ଜିଲାର ସମୁଦ୍ର ଉପକୂଳରେ ୫୩୩ ଜଣ ଅନୁପ୍ରବେଶକାରୀ ଅଛନ୍ତି ବୋଲି ତାଲିକା ପ୍ରସ୍ତୁତ ହେଲା। ଯଥା ୨୫/୩/୧୯୭୧ ମସିହା ପୂର୍ବରୁ ୨୨୦ ଜଣ ଏବଂ ୨୫/୩/୧୯୭୧ ରୁ ୧୬/୧୨/୧୯୭୧ ମଧ୍ୟରେ ୪୧ ଜଣ ଏବଂ ୧୬/୧୨/୧୯୭୧ ପରେ ୨୭୨ ଜଣ ଅନୁପ୍ରବେଶକାରୀ ଜିଲାର ସମୁଦ୍ର ଉପକୂଳରେ ଜାଗାମାଡି ବସିଛନ୍ତି ବୋଲି ତାଲିକା ପ୍ରସ୍ତୁତ ହେଲା। ଏହି ଅନୁପ୍ରବେଶକାରୀଙ୍କୁ ହଟିଯିବା ପାଇଁ ପାଗ ଭିଡୁ ଭିଡୁ ସରକାର ବଦଳି ଯିବାରୁ ପୂର୍ବ ପାକିସ୍ତାନୀ ହଟାଯିବା ଫାଇଲ୍ର ଡୋରି ବନ୍ଧା ହେଲା। ପୁଣି ଦାବି ଓ ଆନ୍ଦୋଳନ ହେବାରୁ ରାଜ୍ୟ ସରକାର ଏକ ନୂତନ ତାଲିକା କଲେ। ଭଦ୍ରକ ଗୁଇନ୍ଦା ବିଭାଗକୁ ୪/୧/୨୦୦୨ ରେ ଏକ ପତ୍ର ଆସିଲା, ଯେଉଁଥିରେ ଲେଖାଥିଲା ୨୬୯ ଜଣକୁ କୁଇଟ୍ ଇଣ୍ଡିଆ ନୋଟିସ୍ ଦେବା ପାଇଁ ନାୟକାଣୀଡିହି ଥାନା ଅଧୀନରେ ଥିବା ସାନ ହାବେଳିସାହି, ବଡ ହାବେଳିସାହି ଓ ବାଲିମୁଣ୍ଡା ଗ୍ରାମରେ ଅନୁପ୍ରବେଶକାରୀଙ୍କୁ ଖୋଜିଥିଲା। ଦୀର୍ଘ ୬ ମାସ ପ୍ରଶାସନ ଏହି ନୋଟିସ୍କୁ ଧରି ଘରେ ଘରେ ବୁଲି ପୂର୍ବ ପାକିସ୍ତାନୀଙ୍କୁ ଠାବ କରିଥିଲା। ଏହି ୨୬୯ ଟି ନୋଟିସ୍ ମଧ୍ୟରୁ ପ୍ରଶାସନ ୧୬୩ ପୂର୍ବ ପାକିସ୍ତାନୀଙ୍କୁ ନୋଟିସ୍ ଦେଇଥିବାବେଳେ ବାକି ୬ ଜଣ ନୋଟିସ୍ ବଳି ପଡିଥିଲା। ଏହି ୬ ଜଣ ଅନୁପ୍ରବେଶକାରୀ ପ୍ରଶାସନର ସହାୟତା ଯୋଗୁଁ ନିଜ ଦେଶକୁ ଫେରି ଯାଇଥିଲେ। ତେଣୁ ଜିଲା ପ୍ରଶାସନ ୨୫/୭/୨୦୦୨ ରେ ରାଜ୍ୟ ସରକାରଙ୍କୁ ୬ଟି ନୋଟିସ୍ ଫେରସ୍ତ କରିଥିଲା। ଏହି ନୋଟିସ୍ରେ ଉଲ୍ଲେଖ ଥିଲା ଯେ ଅନୁପ୍ରବେଶକାରୀ ନୋଟିସ୍ ପାଇବାରେ ୩୦ ଦିନ ମଧ୍ୟରେ ଭାରତବର୍ଷ ଛାଡି ପଳାଇଯିବେ। ଏହି ୧୬୩ ଜଣ ଅନୁପ୍ରବେଶକାରୀ ଜିଲା ପ୍ରଶାସନ ଆଗରେ ଯୁକ୍ତି ବାଢିଥିଲେ, ଆମକୁ ବାଂଲାଦେଶ ସୀମାରେ ଛଡାଯାଉ। ନିୟମାନୁଯାୟୀ ପ୍ରଶାସନ ଏହି ପୂର୍ବ ପାକିସ୍ତାନୀକୁ ବାଲାଂଦେଶ ସୀମାକୁ ନେଇ ତାଙ୍କ ଦେଶର ଅଧିକାରୀଙ୍କୁ କାଗଜପତ୍ର ସହ ହସ୍ତାନ୍ତର କରିବା କଥା। ମାତ୍ର କାଦୁଅକୁ କିଏ ଯାଉଛି ଗୋଡ କିଏ ଧୋଉଛି ନିୟମରେ ପ୍ରଶାସନ ଏମାନଙ୍କୁ ନେବା କଥା ମନରୁ ପାସୋରି ଦେଲେ। ୨୦୦୨ ମସିହାରୁ ଧାମରା କୂଳରେ ଥିବା ଏହି ୩ ଖଣ୍ଡ ଗାଁରେ ୧୬୩ ଜଣ ଅନୁପ୍ରବେଶକାରୀଙ୍କୁ କୁଇଟ୍ ଇଣ୍ଡିଆ ନୋଟିସ୍ ଲାଗିଥିଲେ ମଧ୍ୟ ତାହା ଶୀତଳ ଭଣ୍ଡାରରେ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ବାଂଲାଦେଶର ମୁକ୍ତି ଯୁଦ୍ଧ ହୋଇଥିଲା। ଭାରତର ସେନାବାହିନୀ ଚଟ୍ଟଗ୍ରାମ, ଢାକା ତଥା ଚାଇନା ବଜାର ମଧ୍ୟକୁ ମାଡି ଯାଇଥିଲେ। ଏହି ସମୟରେ ଅନେକ ବାଂଲାଦେଶୀ ହ୍ୱାଓଡା ଦେଇ ଅବିଭକ୍ତ ବାଲେଶ୍ୱର ଜିଲାରେ ପ୍ରବେଶ କରି ସମୁଦ୍ର ଓ ନଦୀକୂଳରେ ଥିବା ଜଂଗଲ ମଧ୍ୟରେ ବସତି ସ୍ଥାପନ କରୁଥିଲେ। ଏହି ଅନୁପ୍ରବେଶକାରୀ ଧାମରା ମୁହାଣରୁ ପାରାଦ୍ୱୀପ ମୁହାଣ ପର୍ଯ୍ୟନ୍ତ ଅବାଧରେ ପ୍ରବେଶ କରି ହାଟ ମେଲେଇଛନ୍ତି। ୨୦୦୧ ମସିହାରେ ବାଲିମୁଣ୍ଡା ଗ୍ରାମରେ ସୁମନ୍ତ ମଣ୍ଡଳ ନାମକ ଅନୁପ୍ରବେଶକାରୀ ନକଲି ବେତାର କେନ୍ଦ୍ର ସ୍ଥାପନ କରିଥିଲେ। ପୁଲିସ୍ର ତନାଘନା ପାଇ ସୁମନ୍ତ ନଦୀ ପାର ହୋଇ ତାଳଚୁଆ ଅଂଚଳକୁ ପଳାଇଯାଇଥିଲା ଓ ସେଠାରେ ରାଜନଗର ପୁଲିସ୍ ହାତରେ ଧରା ପଡିଥିଲା। ସେହିପରି ୨୦୦୩ ମସିହାରେ ସମୁଦ୍ର ବାଲିରେ ବନ୍ୟାପକ୍ଷୀ ଶ୍ୟାମସୁନ୍ଦରଙ୍କୁ ହତ୍ୟା ଓ ୧୫ ବାଂଲାଦେଶୀ ଗିରଫ କରାଯାଇଥିଲା। ୨୦୦୪ ରେ ଅଗଷ୍ଟ ୧୫ ରେ କନକନଗର ପ୍ରାଥମିକ ବିଦ୍ୟାଳୟରେ ବାଂଲାଦେଶର ଜାତୀୟ ପତାକା ଉଡିବା ଆଦି ଘଟଣା ସହ ଜଡିତ ହୋଇଯାଇଛନ୍ତି ଏହି ବାଂଲାଦେଶୀ। ସରକାର ଏଥିପ୍ରତି ବେଳହୁଁ ସାବଧାନ ନହେଲେ ନେଡିଗୋଡ କହୁଣୀକୁ ବୋହିଯିବ ନିଶ୍ଚିତ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top