ସମାଜ ଓ ନାଟକ ପରସ୍ପର ପରିପୂରକ ‘ଭଦ୍ରକ ନାଟକ ମହୋତ୍ସବ’ ଉଦ୍ଘାଟିତ

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସମାଜ ଓ ନାଟକ, ମଞ୍ଚ ଓ ଦର୍ଶକ ତଥା ସଂଗୀତ ଓ ସାହିତ୍ୟ ପରସ୍ପର ପରିପୂରକ। ନାଟକ, ସାହିତ୍ୟଧାରାର ସର୍ବଶ୍ରେଷ୍ଠ ସ୍ତର, ଯାହା ଦୃଶ୍ୟକାବ୍ୟର ପରିଚିତି ଲାଭ କରିଛି ଏବଂ ସମାଜର ସବୁ ସ୍ତରର ଲୋକ ନାଟକକୁ ଉପଭୋଗ କରି ପ୍ରଭାବିତ ହୋଇଥାନ୍ତି ବୋଲି ଝରା ବଉଳ ନାଟ୍ୟ ପରିଷଦ, ଭଦ୍ରକ ତଥା ପୂଣ୍ୟ ଉତ୍କଳ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ-୨୦୧୮ ଉଦ୍ଘାଟନୀ ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଝରା ବଉଳ ନାଟ୍ୟ ପରିଷଦର ସଭାପତି ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ସଭାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟବକ୍ତା, ପୌରପାଳ ମାନସ କୁମାର ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଓ ଧୀରେନ୍ଦ୍ର ନାଥ ମଲ୍ଲିକ, ବ୍ୟଙ୍ଗ କବି ଅଶୋକ କୁମାର ନାୟକ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନାଟକ ମହୋତ୍ସବର ସମ୍ପାଦକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଉପସଭାପତି ରାମନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ମହୋତ୍ସବ ସଭାପତି ରବିନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବର ଆବାହକ ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କ ପରିଚାଳନାରେ ପ୍ରଖ୍ୟାତ ଦୂରଦର୍ଶନ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ମିହିର କୁମାର ମେହେର, ଅବସରପ୍ରାପ୍ତ ପ୍ରଫେସର ତଥା ବିଶିଷ୍ଟ ନାଟ୍ୟକାର ଡ. ବିଜୟ ଶତପଥୀ ଏବଂ ମଞ୍ଚ ଅଭିନେତା ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଉପରାନ୍ତେ ଶତାବ୍ଦୀର କଳାକାର, ଭୁବନେଶ୍ୱରର କାଳାକରଙ୍କ ଦ୍ୱାରା ସ୍ୱର୍ଗତ ରତି ରଞ୍ଜନ ମିଶ୍ରଙ୍କ ରଚିତ ତଥା ଧୀରେନ୍ଦ୍ର ନାଥ ମଲ୍ଲିକଙ୍କ ନିର୍ଦ୍ଦେଶିତ ନାଟକ ‘ମାଛ କାନ୍ଦଣାର ସ୍ୱର’ ପ୍ରଦର୍ଶିତ ହୋଇଥିଲା। ଶିଶୁ ଶିଳ୍ପୀ ପ୍ରତୀକ ରାୟ ପ୍ରାରମ୍ଭିକ ନୃତ୍ୟ ପ୍ରଦର୍ଶନ କରିଥିଲେ ଏବଂ ସଂଗଠନ ସମ୍ପାଦକ ଅପୂର୍ବ ରଞ୍ଜନ ବେହେରା ଓ କୋଷାଧ୍ୟକ୍ଷ ଅମରେନ୍ଦ୍ର ବିଶ୍ୱାଳ ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *