ଖୋର୍ଦ୍ଧା

ସମାଜର ଉନ୍ନତି ପାଇଁ ସମସ୍ତେ ବଦ୍ଧ ପରିକର ହୁଅନ୍ତୁ

ବାଲୁଗାଁ ୩୦-୧ (ଓଡ଼ିଆ ପୁଅ) : ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରଗତିଶୀଳ ସୃଜନୀ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତି ଭିକାରୀ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବଡକୂଳସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ନଗର ଉନ୍ନୟନ ବିଭାଗର ପୂର୍ବତନ ନିର୍ଦେଶକ ଇଂ ମୀନକେତନ ଦାସ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ସମାଜ ହେଉଛି ଦେଶର ମେରୁଦଣ୍ଡ। ଏହାର ସୁରକ୍ଷା ତଥା ଉନ୍ନତି ପାଇଁ ସମସ୍ତେ ବଦ୍ଧ ପରିକର ହୁଅନ୍ତୁ। ଟାଙ୍ଗୀ ଚାନ୍ଦପୁର ରୋଟାରି କ୍ଲବର ସଭାପତି ଡା. ମଧୁସୂଦନ ସେନାପତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ଅନୁଷ୍ଠାନର ସମସ୍ତ କାର୍ଯ୍ୟାବଳୀକୁ ଭୂୟସୀ ପ୍ରଶଂସା କରି କହିଲେ ସୃଜନୀ ସଂସଦ ସ୍ଥାନୀୟ ସ୍ତରରେ ଯେଉଁସବୁ କାର୍ଯ୍ୟ କରିଚାଲିଛି ତାହା ଏକ ପ୍ରଗତିଶୀଳ ସମାଜ ଗଠନର ଲକ୍ଷଣ। ଉପଯୁକ୍ତ ଶିକ୍ଷା ସହିତ ସାମାଜିକ ସଚେତନତା ଦ୍ୱାରା ହିଁ ଦେଶର ପ୍ରଗତି ସମ୍ଭବ। ଖୋର୍ଦ୍ଧାସ୍ଥିତ ବିବେକାନନ୍ଦ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ତଥା ସ୍ୱଦେଶୀ ଜାଗରଣ ମଂଚର ରାଜ୍ୟ ସହସଂଯୋଜକ ଶିକ୍ଷାବିତ୍ ଡ. ଧୀରେନ୍ଦ୍ର ନନ୍ଦ ସମ୍ମାନୀତ ବକ୍ତା ଭାବରେ ଯୋଗଦେଇ କହିଲେ ଦେଶର ଉନ୍ନତି ପାଇଁ ଆମର ସ୍ୱଦେଶୀ ସଂସ୍କୃତି, ସଭ୍ୟତା ଓ ପରମ୍ପରାକୁ ବିଶେଷ ଭାବରେ ଗୁରୁତ୍ୱ ଦେବାକୁ ହେବ। ଆଜି ଆମର ଅବକ୍ଷୟର ମୁଖ୍ୟ କାରଣ ହେଉଛି ଆମ ମହାନ୍ ସଂସ୍କୃତିକୁ ଛାଡି ବିଦେଶୀଙ୍କୁ ଅନୁକରଣ କରିବା। ଅନ୍ୟମାନଙ୍କ ମଧ୍ୟରେ ବଡକୂଳ ସରପଂଚ ପ୍ରମିଳା ଦଳବେହେରା ଓ ବଉଳାବନ୍ଧ ସରପଂଚ ଦେବାଶିଷ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ସଂସଦ ପକ୍ଷରୁ ସଂପାଦକ ପ୍ରମୋଦ କୁମାର ସ୍ୱାଇଁଙ୍କ ସଂଯୋଜନାରେ ସ୍ୱନାମଧନ୍ୟ ବ୍ୟକ୍ତିତ୍ୱ ଭାବରେ ଭୁବନେଶ୍ୱରର ଶିଶୁ ସାହିତ୍ୟିକ କବି ତଥା ବିଜ୍ଞାନ ଶିକ୍ଷକ ଦିଲ୍ଲୀପ କୁମାର ତ୍ରିପାଠୀ, ବଉଳାବନ୍ଧର ବିଶିଷ୍ଠ ପାଲାଗାୟକ ସାହିତ୍ୟରତ୍ନ ଗୈାରୀଙ୍କର ରଥଶର୍ମା, ଖୋର୍ଦ୍ଧା ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସରୋଜ କୁମାର ସିଂହ, ବାଣପୁରର ନାଟ୍ୟ ନିର୍ଦ୍ଦେଶକ ସତ୍ୟନାରାୟଣ ସାମନ୍ତରାୟ ଏବଂ ବଡକୂଳର ଯୁବ ଉଦୀୟମାନ ପାଲାଗାୟକ କାଳୁଚରଣ ଦାଶଙ୍କୁ ମାନପତ୍ର ସହିତ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସଂସଦ ତରଫରୁ ସମ୍ପାଦିତ ‘ସ୍ୱର୍ଣ୍ଣଉଷା’ର ଚତୁର୍ଥ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଶେଷରେ ସଂସଦ ପକ୍ଷରୁ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ପରେ ଗୀତିନାଟ୍ୟ ‘ବିଜୟୀ ପୁରୁଷୋତମ’ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଂଚସ୍ଥ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top