ଓଡ଼ିଶା

ସମାଜବାଦୀ ପାର୍ଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ : ବିଜେପିକୁ ଗାଦିଚ୍ୟୁତ୍ କରିବା ପାଇଁ ସମସ୍ତ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଶକ୍ତି ଏକ ହେବାକୁ ଆହ୍ୱାନ ଏବଂ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନଗ୍ୟାସର ଦରଦାମ୍ ବିରୁଦ୍ଧରେ ବିକ୍ଷୋଭ

ଭୁବନେଶ୍ୱର, ୨ା୯ (ଓଡ଼ିଆ ପୁଅ): ଦେଶବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ୨୦୧୪ ମସିହାରେ ପାଶବିକ ସଂଖ୍ୟା ଗରିଷ୍ଠତା ବଳରେ କେନ୍ଦ୍ରରେ ଶାସନ କରୁଥିବା ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଦେଶବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କମିଟି ବୈଠକରେ ବିଭିନ୍ନ ପ୍ରତିନିଧିମାନେ ମତପ୍ରକାଶ କରିଛନ୍ତି। ଦେଶରେ ସାମ୍ପ୍ରଦାୟିକତାର ବିଷ ମଞ୍ଜି ବୁଣି ଭାରତର ସାମାଜିକ ସଂହତି, ସାମ୍ପ୍ରଦାୟିକ ସଦ୍ଭାବନା ଓ ଗଣତନ୍ତ୍ରର କଣ୍ଠରୋଧ କରୁଥିବା ଏହି ସାମ୍ପ୍ରଦାୟିକ ଦଳ ବିରୁଦ୍ଧରେ ସମସ୍ତେ ଏକ ହୋଇ ଏହାକୁ ଗାଦିଚ୍ୟୁତ କରିବାକୁ ଏହି କାର୍ଯ୍ୟକାରିଣୀରେ ଆହ୍ୱାନ ଦିଆଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଲୋହିଆ ଏକାଡେମୀ ସଭା ଗୃହରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ୨୬ଟି ଜିଲ୍ଲାର ପ୍ରତିନିଧିମାନେ ଯୋଗଦେଇ ଅଂଶଗ୍ରହଣ କରିଥିଲେ। ପାର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, କ୍ଷମତାକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ‘ଆଚ୍ଛେଦିନ’ର ଆହ୍ୱାନ ଦେଇଥିଲେ ତାହା ଆଜି ମିଥ୍ୟା ପ୍ରତିଶ୍ରୁତିରେ ପରିଣତ ହୋଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଆସିବା, ବର୍ଷକୁ ୨କୋଟି ବେକାରଙ୍କୁ ନିଯୁକ୍ତି ସୁଯୋଗ ଦେବା, ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା, ଦେଶରୁ କଳାଧନ ଓ ଦୁର୍ନୀତି ଦୂର କରିବା ସବୁ ଆଜି ପାଣିର ଗାରରେ ପରିଣତ ହୋଇଛି। ଦେଶରେ ଚାଷୀ ଆତ୍ମହତ୍ୟା ବଢିଛି, ବେକାର ଯୁବକ କାମଧନ୍ଦା ନ ପାଇ ଦୁବାଇ, ଆମେରିକା ଓ ଇଂଲଣ୍ଡରେ ଗୋତି ଖଟୁଛି, ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ ଦିନକୁ ଦିନ ବଢିବଢି ଚାଲିବା ସହିତ ଟଙ୍କାର ଅବମୂଲ୍ୟାୟନ ହେବା ଫଳରେ ଟଙ୍କା ଆଜି ଡଲାର ତୁଳନାରେ ୭୧ ଟଙ୍କାରେ ଆସି ପହଞ୍ଚିଛି। ଭୁଲ୍ ବିମୁଦ୍ରିକରଣ ଓ ଅପରିଣାମଦର୍ଶୀ ଜିଏସ୍ଟି ନୀତି ଯୋଗୁଁ ୧୫ କୋଟି ଲୋକ ଜୀବନ ଜୀବିକା ହରାଇଛନ୍ତି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଯାଇଛି, କୃଷି ଓ କୃଷକମାନଙ୍କର ପରିସ୍ଥିତି ଦୟନୀୟ ହୋଇପଡ଼ିଛି। ସାଧାରଣ ଲୋକର ବଞ୍ଚିବାର ସର୍ବନିମ୍ନ ଅଧିକାର ମଧ୍ୟ ଆଜି ବିପନ୍ନ। ଚାଷୀଙ୍କ ଋଣ ଛାଡ ହେବା ପରିବର୍ତ୍ତେ ବଡ଼ବଡ଼ ଶିଳ୍ପପତିମାନଙ୍କର ୨ଲକ୍ଷ ୮୬ ହଜାର କୋଟି ଟଙ୍କାର ଋଣ ଛାଡ କରାଯାଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମାରେ ବନ୍ୟା, ବାତ୍ୟା, ମରୁଡ଼ି ଓ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ କ୍ଷତିପୂରଣ ପାଇପାରୁନାହିଁ। ସମଗ୍ର ଦେଶର ଗଣତନ୍ତ୍ର ଆଜି ଏକ ଅଘୋଷିତ ଜରୁରୀ ପରିସ୍ଥିତିର ଦ୍ୱାର ଦେଶରେ ଛିଡ଼ାହୋଇଛି। ଭିଡ଼ତନ୍ତ୍ର ଯୋଗୁଁ ସାମ୍ପ୍ରଦାୟିକ ଘୃଣା ଓ ବିଦ୍ୱେଷ ଓ ହତ୍ୟା ବଢିବଢି ଚାଲିଛି। ଦେଶରେ ନାରୀ ଧର୍ଷଣ, ଆତଙ୍କବାଦ ମଧ୍ୟ ବୃଦ୍ଧି ପାଇଛି। ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧଂଦେହି ଡାକରା ଦେଇଥିବା ମୋଦି ସରକାର ଜନଲୋକପାଳ ନିଯୁକ୍ତି କରିବାରେ ବିଫଳ। ଦେଶରେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଏଭଳିକି ସୁପ୍ରିମକୋର୍ଟର ବିଚାରପତିମାନେ ମଧ୍ୟ ନିଜର ସୁରକ୍ଷା ପାଇଁ ଶଙ୍କାଗ୍ରସ୍ତ ହୋଇ ଦେଶବାସୀଙ୍କୁ ସୁରକ୍ଷା ମାଗୁଛନ୍ତି। ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ଏହି ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଓ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ସମସ୍ତ ପ୍ରଗତିଶୀଳ ରାଜନୈତିକ ଦଳ ଓ ଗୋଷ୍ଠୀମାନେ ଏକତାବଦ୍ଧ ହୋଇ ବିଜେପି ଭଳି ସାମ୍ପ୍ରଦାୟିକ ଦଳକୁ ଗାଦିଚ୍ୟୁତ କରିବା ପାଇଁ ଏହି କାର୍ଯ୍ୟକାରିଣୀରେ ଆହ୍ୱାନ ଦିଆଯାଇଛି। ଓଡ଼ିଶାରେ ମଧ୍ୟ ବେକାରୀ ବଢିଛି, ଚାଷୀ ଆତ୍ମହତ୍ୟା ବଢିଛି, ପଛୁଆବର୍ଗ କମିଶନ ଗଠନ ନ ହେବା ଫଳରେ ରାଜ୍ୟର ୫୨ ଭାଗ ଲୋକ ତାଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଅନ୍ୟ ରାଜ୍ୟମାନଙ୍କରେ ପଛୁଆବର୍ଗଙ୍କ ପାଇଁ ନାମଲେଖ ଓ ନିଯୁକ୍ତି କ୍ଷେତ୍ରରେ ୨୭ ଭାଗ ସ୍ଥାନ ସଂରକ୍ଷଣ ବହୁ ଦିନରୁ ଲାଗୁ ହୋଇଆସୁଥିଲାବେଳେ ଓଡ଼ିଶାରେ ତାହା କାର୍ଯ୍ୟକାରୀ କରାଯାଉନାହିଁ। ରାଜ୍ୟରେ ଖାଲିପଡ଼ିଥିବା ୧ଲକ୍ଷ ୩୦ ହଜାର ପଦବୀରେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦିଆଯାଉଥିଲାବେଳେ ପଛୁଆବର୍ଗର ଯୁବକଯୁବତୀମାନେ ସେଥିରୁ ବଞ୍ଚିତ ହେଉଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଗରିବ ଲୋକଙ୍କ ପାଇଁ ମହଙ୍ଗା ହେବାରେ ଲାଗିଛି। ଜନସାଧାରଣଙ୍କର ଏହି ମୌଳିକ ଅଧିକାରକୁ ନେଇ ଆଗାମୀ ଦିନରେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଜିର ଏହି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି। ଆଗାମୀ ନିର୍ବାଚନରେ ଦଳ ପଛୁଆବର୍ଗ, ସଂଖ୍ୟାଲଘୁ, ଦଳିତ ଆଦିବାସୀ ଓ ମହିଳାମାନଙ୍କୁ ଅଗ୍ରାଧିକାର ଦେଇ ପ୍ରାର୍ଥୀ କରିବ ବୋଲି ଆଜିର ଏହି କାର୍ଯ୍ୟକାରିଣୀରେ ଘୋଷଣା କରାଯାଇଛି। ପାର୍ଟିର ରାଜ୍ୟ ଅଫିସ୍ ଉଦ୍ଘାଟନ ପାଇଁ ଦଳର ଜାତୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍ୟବର ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପାର୍ଟିର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ ଆଗତ କରିଥିବା ଚିଠା ପ୍ରସ୍ତାବକୁ ଏହି କାର୍ଯ୍ୟକାରିଣୀରେ ଅନୁମୋଦନ କରାଯାଇଛି। ଅକ୍ଟୋବର ୧୫ ତାରିଖ ସୁଦ୍ଧା ବୁଥ୍ କମିଟି ଗଠନ କାର୍ଯ୍ୟ ସାରିବା ପାଇଁ ସମସ୍ତ ଜିଲ୍ଲା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକାରିଣୀରେ ଜିଲ୍ଲା ପ୍ରତିନିଧିମାନଙ୍କ ମଧ୍ୟରୁ କଳାହାଣ୍ଡିରୁ ସର୍ବଶ୍ରୀ ଶିବ ପ୍ରସାଦ ହାତୀ, ବଲାଙ୍ଗୀରରୁ ପ୍ରଦୀପ କୁମାର, ନୂଆପଡ଼ାରୁ ଗଙ୍ଗାରାମ ବନ୍ଛୋର, ଝାରସୁଗୁଡାରୁ ମହମ୍ମଦ ଅଖତର, ସୁନ୍ଦରଗଡ଼ରୁ ମିଲନ୍ ମହାନ୍ତ, ରାଉରକେଲାରୁ ବ୍ରିଜଭୂଷଣ କୁଶୱା, ସମ୍ବଲପୁରରୁ ଅନୀଲ ଯାଦବ, ବାଲେଶ୍ୱରରୁ ମହମ୍ମଦ ସଫିକ୍, ମୟୁରଭଞ୍ଜରୁ ଦିବ୍ୟସିଂହ ପରିଡ଼ା, ଭଦ୍ରକରୁ ଅବଦୁଲ୍ ଇସ୍ତାହାର, କଟକରୁ ତରୁଣ କୁମାର ଦାସ, ଜଗତ୍ସିଂହପୁରରୁ ପ୍ରଭଞ୍ଜନ ଦାସ, ପୁରୀରୁ ସତ୍ୟମନୁ ପ୍ରଧାନ, ଖୋର୍ଦ୍ଧାରୁ ଦୀପଦାସ ଯାଦବ, କେନ୍ଦୁଝରରୁ ଲିଙ୍ଗରାଜ ବାରିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ମହିଳାଶାଖା ସମ୍ପାଦିକା ନିରୂପମା ଦାସ, ଯୁବଶାଖା ସଭାପତି ଏନ୍. ସମ୍ବିତ୍ ଦାସ, ଛାତ୍ରଶାଖା ସଭାପତି ପ୍ରଦୀପ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସମ୍ପାଦକ ମାନସ ମହାନ୍ତି, ସୁବ୍ରତ ଲେଙ୍କା ଓ ରାଜ୍ୟପ୍ରିୟ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ବିଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଠଟି ଜିଲ୍ଲାର ପ୍ରାୟ ୫୦ଜଣ କର୍ମୀ ବିଭିନ୍ନ ଦଳରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିରେ ଆଜି ଯୋଗଦାନ କରିଛନ୍ତି। ବୈଠକ ପରେ ଲୋହିଆ ଏକାଡେମୀଠାରୁ ଏକ ଶୋଭାଯାତ୍ରା ବାହାରି ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସ ଦରଦାମ୍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top