ସମସ୍ୟା ଘେରରେ ପତିତପାବନ ବିଦ୍ୟାପୀଠ, ପ୍ରଶାସନ ଦୃଷ୍ଟି ପଡୁ?

ରାଉରକେଲା ୨ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସହରର ଗୋପବନ୍ଧୁପାଲ୍ଲୀ ଠାରେ ଥିବା ପତିତପାବନ ବିଦ୍ୟାପୀଠ ବହୁ ସମସ୍ୟା ମଧ୍ୟରେ ଗତି କରୁଛି ବୋଲି ବିଦ୍ୟାଳୟ ପରିଚାଳନା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି। ଉକ୍ତ ବିଦ୍ୟାଳୟଟି ୧୯୭୩ ମସିହାରୁ ପ୍ରତିଷ୍ଠିତ ହୋଇଅଛି। ଏହି ବିଦ୍ୟାଳୟରେ ହିନ୍ଦି ଓ ଓଡ଼ିଆ ଦୁଇଟି ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଏ। ବିଦ୍ୟାଳୟରେ ପ୍ରାୟ ୨୦୦ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରଥମରୁ ବିଦ୍ୟାଳୟଟି ୪ଟି ଟିଣ ଛପର କୋଠରୀରେ ଚାଲୁଥିଲା। ପର୍ଯ୍ୟାୟକ୍ରମେ ସର୍ବଶିକ୍ଷା ଅଭିଯାନ ତରଫରୁ ୪ଟି କୋଠରୀ ନିର୍ମିତ ହୋଇଅଛି। ପୁରାତନ ଗୃହ ଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ଅଛି ଓ ବର୍ଷା ସମୟରେ ଶ୍ରେଣୀ ଗୁଡ଼ିକରେ ବର୍ଷାଜଳ ପଡ଼ି ଅଧ୍ୟୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଅଛି ଏହାର ସମାଧାନ ନିମନ୍ତେ ମାନ୍ୟବର ବିଧାୟକ ରାଉରକେଲା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଆଠ ଲକ୍ଷ ଟଙ୍କା ମଂଜୁର କରାଯାଥିଲା। ଏହି ଅନୁଦାନ ଅର୍ଥରେ ୪ଟି ଟିଣ ଛପର କୋଠରୀ ମଧ୍ୟରୁ ୨ଟିର ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିଲେ ସୁଦ୍ଧା ଗତ ୨୦୧୭ ଅଗଷ୍ଟରୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଯାଇଥିଲେ ମଧ୍ୟ ଅଦ୍ୟାବଧି ଅବଶିଷ୍ଟ ଦୁଇଟି କୋଠରୀ ଖୋଲାପଡ଼ିଛି ଓ ଏହାର ନିର୍ମାଣ କାର୍ଯ୍ୟ ଅଟକି ଯାଇଛି। ଏ ବାବଦରେ ଠିକାଦାରଙ୍କୁ ପଚାରିଲେ ସଂପୁର୍ଣ୍ଣ ହୋଇ ଯାଇଥିବା କାର୍ଯ୍ୟର ବିଲ୍ ପୈଠ ହୋଇ ନଥିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ ବୋଲି ସେ ପ୍ରକାଶ କରିଥିଲେ। ଏହା ଦ୍ୱାରା ବିଦ୍ୟାଳୟ ପରିଚାଳନାରେ ଘୋର ଅସୁବିଧା ସୃଷ୍ଟି ହେଉଛି। ବିଦ୍ୟାଳୟରେ ପାନୀୟ ଜଳର ବ୍ୟବସ୍ଥା ନାହିଁ। କାରଣ ବିଦ୍ୟାଳୟରେ ଥିବା ଗଭୀର ନଳକୂପରୁ ସବମର୍ସିବଲ ପମ୍ପ ଟି ଚୋରି ହୋଇ ଯାଇଛି। ଏହାର ପ୍ରତିକାର ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ଅଦ୍ୟାବଧି ମିଳି ପାରିନାହିଁ। ଖରାଦିନେ ଜଳ ଅଭାବରୁ ଶୌଚାଳୟ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଏହାଛଡ଼ା ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇ ପାରି ନାହିଁ। ଏପରିକି ବିଦ୍ୟାଳୟର ତିନି ପାଖରେ ଡ୍ରେନ ରହିଛି। ଡ୍ରେନକୁ ଲାଗି ପୂର୍ବରୁ ଥିବା ବିଦ୍ୟାଳୟ ପାଚେରୀର କିଛି ଅଂଶ ଭାଙ୍ଗି ଯାଇଥିବାରୁ ଡ୍ରେନ ପାଣି ବିଦ୍ୟାଳୟ ହତା ମଧ୍ୟକୁ ପଶି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ତା’ ସହିତ ବିଦ୍ୟାଳୟ ପରିସରରେ ଅସାମାଜିକ ତତ୍ୱଙ୍କ ଦୌରତ୍ମ୍ୟ ଦୁର୍ବିସହ ହୋଇ ପଡ଼ିଛ। ଏହାଦ୍ୱାରା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ସର୍ବଦା ଆତଙ୍କର ବାତାବରଣରେ ରହୁଥିବା ଦେଖିବାକୁ ମିଳୁଛି। ଏହି ସବୁ ଅସୁବିଧା ଯୋଗୁ ସ୍ଥାନୀୟ ଅଭିଭାବକ ମାନଙ୍କ ମଧ୍ୟରେ ସମୟ ସମୟରେ ଅସନ୍ତୋଷ ଲାଗି ରହୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ନେବାକୁ ବିଦ୍ୟାଳୟ ପରିଚାଳନା ସମିତି ପକ୍ଷରୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *