ଓଡ଼ିଶା

ସମସ୍ତ ପ୍ରତିବନ୍ଧକ ସତ୍ୱେ ମାନବୀୟ ସଂଘର୍ଷର ନିଜସ୍ୱ ଖବରକୁ ରୂପ ଦେବା ଲାଗି ଏସିଆ ପାଇଁ ସୁଯୋଗ ଆସିଛି : କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂ ରାଠୋର

– କର୍ଣ୍ଣେଲ ରାଠୋର ପ୍ରଦାନ କଲେ ବିଶ୍ୱ ଟିଭି ପୁରସ୍କାର ୨୦୧୮

ନୂଆ ଦିଲ୍ଲୀ ୧୧ ମଇ (ଓଡ଼ିଆ ପୁଅ) ସମସ୍ତ ପ୍ରତିବନ୍ଧକ ସତ୍ୱେ ମାନବୀୟ ସଂଘର୍ଷର ନିଜସ୍ୱ ଖବରକୁ ରୂପ ଦେବା ଏବଂ ସେମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ଲାଗି ଏସିଆ ପାଇଁ ସମୟ ଆସିଛି ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର(ସ୍ୱାଧୀନ ଦାୟିତ୍ୱ) ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂ ରାଠୋର। ସେ ଆଜି ଏଠାରେ ଏସୀୟ ଗଣମାଧ୍ୟମ ଶିଖର ସମ୍ମିଳନୀ ୨୦୧୮ର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେଇ ଏହା କହିଛନ୍ତି। ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଏସିଆ ଦୃଢ଼ ପ୍ରଗତି ହାସଲ କରୁଛି। ସାମାଜିକ ଗଣମାଧ୍ୟମର ଯୁଗରେ ଗଣମାଧ୍ୟମ କିପରି ଭଲ ଭାବେ ଲୋକମାନଙ୍କୁ ସେମାନଙ୍କ ବିକାଶ ଲାଗି ଆବଶ୍ୟକ ସୂଚନା ଉପଲବ୍ଧ କରାଇପାରିବେ ତାହା ଏହି ଦୁଇ ଦିନିଆ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ବୋଲି କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଥିଲେ।

କର୍ଣ୍ଣେଲ ରାଠୋର ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଶିଖର ସମ୍ମିଳନୀ କାଳରେ ଗୁରୁତ୍ୱପୂର୍ଣ୍ଣ ବିଚାର ଆଲୋଚନା କରିବା ଲାଗି ୪୧ଟି ରାଷ୍ଟ୍ରର ପାଖାପାଖି ୩୯୫ ଜଣ ପ୍ରତିନିଧିମାନଙ୍କର ପ୍ରଶଂସା କରିଥିଲେ। ଗଣମାଧ୍ୟମ ପ୍ରଯୁକ୍ତି, ବିଷୟବସ୍ତୁ ଏବଂ ନୂତନ ଆହ୍ୱାନ ସମ୍ପର୍କରେ ଏହି ଆଲୋଚନା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମତ ବିନିମୟରେ ସହାୟକ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହାଦ୍ୱାରା ଲକ୍ଷ ଲକ୍ଷ ବଂଚିତ ଏସୀୟଙ୍କ ନିକଟରେ ପହଂଚିବାରେ ସହାୟତା ମିଳିପାରିବ ଏବଂ ସେମାନଙ୍କ ବିକାଶ ନିମନ୍ତେ ସୂଚନାର ଶ୍ରେଷ୍ଠ ଉପଯୋଗରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ।

ଉଦ୍ୟାପନୀ ସମାରୋହ ଅବସରରେ ମନ୍ତ୍ରୀ ଦୁଇଟି ବର୍ଗରେ ବିଶ୍ୱ ଟେଲିଭିଜନ ପୁରସ୍କାର ୨୦୧୮ ପ୍ରଦାନ କରିଥିଲେ। ‘ଦେଶାନ୍ତର ଏବଂ ପ୍ରବାସ’ ଉପରେ ମାନବୀୟ ବର୍ଗରେ ଶ୍ରେଷ୍ଠ ଟିଭି ପ୍ରାମାଣିକ ଚଳଚ୍ଚିତ୍ର ଏବଂ ବିଜ୍ଞାନ/ପରିବେଶ ବର୍ଗରେ ‘ଜୀବନ ପାଇଁ ସ୍ୱଚ୍ଛ ଜଳ’ ଲାଗି ଶ୍ରେଷ୍ଠ ଟିଭି କାର୍ଯ୍ୟକ୍ରମ ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ହାଙ୍ଗ ସିଓକଙ୍କ ନିର୍ଦ୍ଦେଶିତ ‘ଜର୍ଣ୍ଣି ଅନ୍ ଫୁଟ – ହୋମୱାର୍ଡସ’ (Journey on Foot – Homewards)କୁ ମାନବୀୟ ବର୍ଗରେ ପ୍ରବାସ ଓ ଦେଶାନ୍ତର ଉପରେ ନିର୍ମିତ ଶ୍ରେଷ୍ଠ ଟିଭି ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହି ପ୍ରାମାଣିକ ଚଳଚ୍ଚିତ୍ର କୋରିଆର କେବିଏସୱାନରେ ପ୍ରସାରଣ କରାଯାଇଥିଲା।

ସେହିପରି ମାକ୍ ୟିଙ୍ଗ କ୍ୱାନଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ବ୍ଲୁପ୍ରିଂଟ ଫର ସର୍ଭାଇଭାଲ: ନେୱାଟର’ (Blueprint for Survival: NEWater) ବିଜ୍ଞାନ/ପରିବେଶ ବର୍ଗରେ ‘ଜୀବନ ପାଇଁ ସ୍ୱଚ୍ଛ ଜଳ’ ଲାଗି ଶ୍ରେଷ୍ଠ ଟିଭି କାର୍ଯ୍ୟକ୍ରମ ପୁରସ୍କାର ପାଇଥିଲା। ଏହି କାର୍ଯ୍ୟକ୍ରମ ସିଙ୍ଗାପୁରର ନ୍ୟୁ ଏସିଆ ଚାନେଲରେ ପ୍ରସାରଣ କରାଯାଇଥିଲା।

ଉଦଯାପନୀ ଅଭିଭାଷଣ ରଖି ଏସିଆ-ପାସିଫିକ ଇନଷ୍ଟିୁଚ୍ୟୁଟ ଅଫ ବ୍ରଡକାଷ୍ଟିଂ ଡେଭଲପମେଂଟ (ଏଆଇବିଡି)ର ନିର୍ଦ୍ଦେଶକ ମିଃ. ଚାଙ୍ଗ ଜିନ ଏହି ଶିଖର ସମ୍ମିଳନୀର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ ଏବଂ ମାରାଥନ ଅଧିବେଶନରୁ ହାସଲ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧୀ ବିଷୟରେ ଉଲ୍ଲେଖ କରିଥିଲେ। ବର୍ଦ୍ଧିତ ବାସ୍ତବତା ଏବଂ ଯଥାର୍ଥ ବାସ୍ତବତା, ଗଣମାଧ୍ୟମ ଆଇନ ଏବଂ ନୈତିକତା, ମୋବାଇଲ ସାମ୍ବାଦିକତା ଆଦି ବିଷୟରେ ଗତ ୪ ଦିନ ଧରି ୬ଟି ପ୍ରାକ-ଶିଖର ସମ୍ମିଳନୀ କର୍ମଶାଳାର ଆୟୋଜନ କରାଯାଇଥିଲା। ଗଣମାଧ୍ୟମ ନିୟାମକ ନୀତି, ଖବର ଉପସ୍ଥାପନକୁ ସମ୍ପ୍ରସାରିତ କରିବା ଲାଗି ପ୍ରସାରଣ ଏବଂ ଚଳଚ୍ଚିତ୍ର ଶିଳ୍ପରେ ନୂତନ ପ୍ରଯୁକ୍ତି, ନୂଆ ଯୁଗରେ ଗଣମାଧ୍ୟମ ବ୍ୟବସାୟ ମଡେଲ, ନିରନ୍ତର ବିକାଶ ଖବର, ଗୋଷ୍ଠୀ ରେଡିଓ ଆଦି ବିଷୟରେ ୫ଟି ପୂର୍ଣ୍ଣ ଅଧିବେଶନ ଏବଂ ୪ଟି ସମାନ୍ତରାଳ ଅଧିବେଶନ ସହ ସିଇଓ ଗୋଲଟେବୁଲ ଅଧିବେଶନ ଆଦି ଆୟୋଜନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top