ଓଡ଼ିଶା

ସମଲେଶ୍ୱରୀଙ୍କ ଠାରେ ଆଜି ଅର୍ପିତ ହେଲା ନୂଆଁ ଧାନର ନୂଆଁଖାଇ ଭୋଗ

ସମ୍ବଲପୁର, ୧୪/୯ (ଓଡ଼ିଆ ପୁଅ) – ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଠାରେ ଗଣନା କରାଯାଇ ସ୍ଥିର ହୋଇଥିବା ଲଗ୍ନ ଅନୁସାରେ ପୁର୍ବାହ୍ନ ୮ଟା ୧୦ରୁ ୮ଟା ୪୦ ମିନିଟ ମଧ୍ୟରେ ନବାନ୍ନ ଭୋଗ ଅର୍ପଣ କରାଯାଇଥିଲା। ଏହା ପରେ ପରେ ପାର୍ଶ୍ୱ ଦେବାଦେବୀଙ୍କ ଠାରେ ତଥା ସହର ଓ ଗ୍ରାମର ଅନ୍ୟାନ୍ୟ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପିତ ହୋଇଥିଲା। ଘରେ ଘରେ ନିଜ ନିଜ ପରିବାରର ଇଷ୍ଟ ଦେବାଦେବୀ ଏବଂ ପୂଜା ପାଉଥିବା ଅନ୍ୟାନ୍ୟ ଦେବାଦେବୀଙ୍କ ଠାରେ ନୂଆଁଖାଇର ଭୋଗ ଲଗାଯାଇଛି। ପରମ୍ପରା ଅନୁସାରେ ଘରର ମୂରବୀ ଏହି ଭୋଗ ଲଗାଇଲା ପରେ ପରିବାରର ସମସ୍ତଙ୍କୁ ଅର୍ପଣ କରିବେ। ନୂଆଁ ଚାଉଳରେ ପ୍ରସ୍ତୁତ ଅଥବା ମିଶ୍ରିତ ଭୋଗ ସେବନ କଲାପରେ ଜୁହାର ଭେଟର ପର୍ବ ଆରମ୍ଭ ହେବ। କନିଷ୍ଠମାନେ ବରିଷ୍ଠମାନଙ୍କୁ ଜୁହାର ମୁଣ୍ଡିଆ ମାରି ଆଶୀର୍ବାଦ ଲୋଡ଼ିବେ।

ନୂଆଁଖାଇ ପାଇଁ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ଭାବରେ ସମସ୍ତ ପ୍ରସ୍ତୁତି କରାଯାଇଛି। ଇତିମଧ୍ୟରେ ନୂଆଁ ଧାନ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମନ୍ଦିରର ମୁଖ୍ୟ ପୂଜକଙ୍କ ବାସଭବନରେ ପହଞ୍ଚି ଯାଇଛି। ତାଙ୍କ ଘରେ ଭୋଗ ପ୍ରସ୍ତୁତ ହେଲାପରେ ନବବସ୍ତ୍ର ଧାରଣ ପୂର୍ବକ ଶୁଦ୍ଧପୁତ୍ତ ମନରେ ଭାର ଆସି ମନ୍ଦିର ଗମ୍ଭୀରା ମଧ୍ୟରେ ପ୍ରବେଶ କରିଥିଲେ। ନିର୍ଦ୍ଧାରିତ ଲଗ୍ନ ସମୟ ପୂର୍ବରୁ ଗମ୍ଭୀରା କବାଟ ବନ୍ଦ କରାଯାଇ ଆବଶ୍ୟକୀୟ ପ୍ରସ୍ତୁତି ହେବ ତଥା ଲଗ୍ନ ସମୟ ଉପନୀତ ହେଲେ ଭୋଗ ଅର୍ପଣ କରାଯିବ। ବିଗତ କିଛି ବର୍ଷ ଧରି ନୂଆଁଖାଇ ସମୟରେ ମଧ୍ୟ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗି ରହୁଥିବାରୁ ଏବଂ ନୂଆଁ ଧାନରେ ପ୍ରସ୍ତୁତ ଭୋଗ ପ୍ରାପ୍ତି ପାଇଁ ଭକ୍ତଙ୍କ ଆକାଂକ୍ଷାକୁ ଆଖି ଆଗରେ ରଖି ଟ୍ରଷ୍ଟବୋର୍ଡ଼ ପକ୍ଷରୁ ସମୂଚିତ ବ୍ୟବସ୍ଥା କରାଯାଇଛି।

ଅପରାହ୍ନରୁ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ ଆରମ୍ଭ ହୋଇଯିବ। ଗ୍ରାମାଞ୍ଚଳରେ ଅପରାହ୍ନରେ ବିଭିନ୍ନ ଖେଳ କୌତୁକ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ବେଳେ ସହରାଞ୍ଚଳରେ ଅପରାହ୍ନରେ ବିଭିନ୍ନ ପ୍ରତିଯୋଗିତା ଓ ସାରସ୍ୱତ କାର୍ଯ୍ୟକ୍ରମ ତଥା ସନ୍ଧ୍ୟାରେ ସାଂସ୍କୃତିକ ଆସର ହୋଇଥାଏ। ଏହି କ୍ରମରେ ସମ୍ବଲପୁରରେ ଅପରାହ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ସମଲେଶ୍ୱରୀ ଯୁବକ ସଂଘ ପକ୍ଷରୁ ସମ୍ବଲପୁରୀ କବିତା ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଅଛି। ସେହିଭଳି ପଣ୍ଡିତ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ସଂସଦ ଏବଂ ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ନନ୍ଦପଡ଼ା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଝାଡ଼ୁଆପଡ଼ା ଆରଣ୍ୟକ ମଞ୍ଚରେ ନୂଆଁଖାଇ ଭେଟଘାଟ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି। ଏହା ବ୍ୟତୀତ ଲାୟନ୍ସ କ୍ଲବ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ମଧ୍ୟ ନୂଆଁଖାଇ ଭେଟଘାଟର ଆୟୋଜନ କରାଯାଇଛି। ମାନେଶ୍ୱର ମାନ୍ଧାତା ବାବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ପରିସରରେ ତଥା ସାଲଡ଼ ଗ୍ରାମରେ ନୂଆଁଖାଇ ଭେଟଘାଟ କମିଟୀ ପକ୍ଷରୁ ଭେଟଘାଟ ଉତ୍ସବ ଆୟୋଜିତ ହୋଇଛି।

ତେଣେ ସମ୍ବଲପୁର ସହରର ବହୁ କଳାକାର ଦେଶ ବିଦେଶରେ ଆୟୋଜିତ ନୂଆଁଖାଇ ଭେଟଘାଟ ଉତ୍ସବ ଗୁଡ଼ିକରେ ଭାଗନେବା ପାଇଁ ଯାଇଛନ୍ତି। ଗୋଟିଏ ଦଳ ଦୁବାଇ ଯାଇଥିବା ବେଳେ ଅନ୍ୟମାନେ ଦେଶ ଭିତରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଭେଟଘାଟ ଉତ୍ସବରେ କାର୍ଯ୍ୟକ୍ରମ ପରିବେଷଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top