ସମବାୟ ସମିତି ସମୂହର ନିବନ୍ଧକଙ୍କୁ ଦାବି ପତ୍ର ପ୍ରଦାନ କଲା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା

ରାଜ୍ୟରେ ଧାନ କିଣାରେ ବ୍ୟାପକ ଦୁର୍ନୀତିର ତଦନ୍ତ କରାଯାଉ : କୃଷକ ମୋର୍ଚ୍ଚା

– କେନ୍ଦ୍ରାପଡା ଜିଲ୍ଲାରେ ଧାନ କିଣା ଦୁର୍ନୀତିର ଦଲାଲ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି
– ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ

ଭୁବନେଶ୍ୱର, ତା ୧୬/୦୪ (ଓଡ଼ିଆ ପୁଅ) : କେନ୍ଦ୍ରାପଡା ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଛି। ମାର୍କଫେଡ୍ ଦ୍ୱାରା ଧାନ କିଣିବାରେ ଜାଲିଆତି ହୋଇଛି। ଶାସକ ବିଜେଡିର ନେତା ଏବଂ ଅସାଧୁ ମିଲ ମାଲିକଙ୍କ ମଧୁଚନ୍ଦ୍ରିକାରେ ଚାଷୀମାନଙ୍କର ହଜାର ହଜାର କ୍ୱିଂଟାଲ ଧାନକୁ ଶାଗ ମାଛ ଦରରେ କିଣା ହୋଇଛି। ଧାନ କିଣାକୁ ନେଇ ବିଭିନ୍ନ ସମବାୟ ସମିତି ଓ ଚୋରା ବେପାରୀଙ୍କ ଏକ ବଡ ଧରଣର ର୍ୟାକେଟ ସମଗ୍ର ରାଜ୍ୟରେ ସକ୍ରିୟ ରହିଛି। ଏହାକୁ ବିରୋଧ କରିବା ସହ ଧାନ କିଣା ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି କୃଷକ ମୋର୍ଚ୍ଚାର ଜାତୀୟ ଉପ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଓଡିଶା ‘ସମବାୟ ନିବନ୍ଧକ’ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଚଳିତ ବର୍ଷ ରାଜ୍ୟ ସରକାର ବିଳମ୍ବରେ ମଣ୍ଡି ଖୋଲି ଚାଷୀମାନଙ୍କୁ ହଇରାଣ କରିଥିଲେ। ସେହିପରି ଧାନ କ୍ୱିଂଟାଲ ପିଛା ୫ ରୁ ୧୦ କି.ଗ୍ରା ପର୍ଯ୍ୟନ୍ତ ଧାନ କାଟ କରିବା ସହ ଚାଷୀମାନଙ୍କୁ ଉଚିତ୍ ପ୍ରାପ୍ୟ ଦେଇନଥିଲେ। ଶାସକ ଦଳର ନେତାମାନେ ଚାଷୀର ଧାନକୁ ଅସାଧୁ ବେପାରୀ ଓ ଦଲାଲ ମାନଙ୍କ ଦ୍ୱାରା କମ୍ ମୂଲ୍ୟରେ କ୍ରୟ କରି ସେହି ଧାନକୁ ଭୂତ ଚାଷୀଙ୍କ ନାମରେ ନିୟମିତ କରାଇଥିଲେ। ବିଜେଡି ନେତାମାନଙ୍କର ଧାନ କିଣା ଜାଲିଆତି ପ୍ରସଙ୍ଗରେ ଅଭିଯୋଗ କରିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦେକ୍ଷପ ନେଇନାହାଁନ୍ତି। ରାଜ୍ୟରେ ଶାସକ ଦଳର ନେତା ଏବଂ ବିଧାୟକମାନଙ୍କ ଦ୍ୱାରା ଧାନ କିଣାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆସିଥିଲେ ବି ମୁଖ୍ୟମନ୍ତ୍ରୀ ଦୋଷୀ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିଛନ୍ତି। ଧାନ କିଣା ଦୁର୍ନାତିର ନିରପେକ୍ଷ ତଦନ୍ତ ସହ ଏହି ଘଟଣାରେ ସଂପୃକ୍ତ ଥିବା ରାଜନେତା ଏବଂ ସମବାୟ ଅଧିକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଚାଷୀ କୂଳର ସ୍ୱାର୍ଥ ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀ ସାହୁଙ୍କ ସମେତ କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର, କୃଷକ ମୋର୍ଚ୍ଚା ଉପ ସଭାପତି ହୃଷିକେଶ ଜେନା, ସଂପାଦକ ଶ୍ରୀ ଶ୍ରୀରଂଜନ ମଙ୍ଗରାଜ, ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢୀ, ଅମୂଲ୍ୟ ନାଏକ, ବିଶ୍ୱଜିତ୍ ସ୍ୱାଇଁ, ସରୋଜ ସାହୁ, କୃଷ୍ଣଚନ୍ଦ୍ର ବରାଡ, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ସଂଜୀବ ରଣା, କ୍ଷିରୋଦ ଦଳେଇ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *