କେନ୍ଦ୍ରାପଡ଼ା

‘ସମବାୟ ଆପଣଙ୍କ ଦ୍ୱାରରେ’ବ୍ଲକ ସ୍ତରୀୟ ଅଭିଯାନ ଉଦଘାଟିତ

କେନ୍ଦ୍ରାପଡା ୧୩/୬(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) -କେନ୍ଦ୍ରାପଡା ବ୍ଲକର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଆନୁକୁଲ୍ୟରେ ‘ସମବାୟ ଆପଣଙ୍କ ଦ୍ୱାରରେ’ ବ୍ଲକ ସ୍ତରୀୟ ଅଭିଯାନ ଆଜି ସ୍ଥାନୀୟ ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ରାପଡା ବ୍ଲକ ସମବାୟ ସଂପ୍ରସାରଣ ଅଧିକାରୀ ନିରଞ୍ଜନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଥମିକ କୃଷି ସମବାୟ ସମିତିର କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଚାଷୀ ପରିବାର ନିକଟରେ ପହଁଚାଇବାକୁ ଆହ୍ୱାନ ଦେଇଥିଲେ। ଉତ୍ସବରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜନପ୍ରତିନିଧି ଏବଂ ପ୍ରତ୍ୟେକ ସମବାୟ ସମିତିର ଚାଷୀ ପ୍ରତିନିଧି ଭାବେ ପରିଚାଳନା ମଣ୍ଡଳିକୁ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଏହାକୁ ନିଜର କର୍ତ୍ତବ୍ୟ ଭାବି ଗ୍ରହଣ କଲେ ସମବାୟ ସମସ୍ତଙ୍କ ଦ୍ୱାରରେ ପହଁଚି ପାରିବ ବୋଲି କହିଥିଲେ। ଭାରପ୍ରାପ୍ତ ସହକାରୀ ସମବାୟ ସମିତି ସମୁହର ନିବନ୍ଧକ ମନୋରଞ୍ଜନ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ସମବାୟ ସମିତିରୁ ବାଦ ପଡିଯାଇଥିବା ଚାଷୀ ଓ ଭାଗଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ଋଣ ପ୍ରଦାନ ସହିତ ବୀମାଭୁକ୍ତ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଥିବା ପ୍ରକାଶ କରିଥିଲେ। କିନ୍ତୁ ସେମାନଙ୍କୁ ସମ୍ପୃକ୍ତ ପଂଚାୟତର ସରପଂଚଙ୍କ ଠାରୁ ସେମାନେ ଭାଗଚାଷ କରୁଛନ୍ତି ବୋଲି ଏକ ପ୍ରମାଣପତ୍ର ଆଣିବାକୁ ପଡିବ କିମ୍ବା ଗ୍ରାମସଭାରେ ସେମାନଙ୍କ ନାମ ଭାଗଚାଷୀ ଭାବେ ଉଲ୍ଲେଖ ହୋଇଥିବା ଆବଶ୍ୟକ। ଚଳିତମାସରୁ ଆରମ୍ଭ ହେଉଥିବା ‘ସମବାୟ ଆପଣଙ୍କ ଦ୍ୱାରରେ’ଅଭିଯାନରେ ପ୍ରତ୍ୟେକ ସମବାୟ ସମିତିର ସଭାପତି, ନିର୍ଦେଶନା ମଣ୍ଡଳି ସଦସ୍ୟ, ସମ୍ପାଦକ ଏବଂ କୃଷି ବିଭାଗର ତୃଣମୁଳ କର୍ମଚାରୀମାନେ ସାମିଲ ହୋଇ ସେହି ସମିତି ଅଧିନରେ ଥିବା ପ୍ରତ୍ୟେକ ରାଜସ୍ୱ ଗ୍ରାମକୁ ଯାଇ ସମିତିର ସଭ୍ୟ ହୋଇନଥିବା ପରିବାରଗୁଡିକୁ ସମିତିର ସଭ୍ୟ କରାଇବାକୁ ଦରଖାସ୍ତ ଗ୍ରହଣ କରିବେ। ଏହାପରେ ସମିତିର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ସେଥିରେ ଦରଖାସ୍ତକାରିମାନଙ୍କୁ ସଭ୍ୟ ଭାବରେ ଗ୍ରହଣ କରାଗଲା ବୋଲି ଏକ ପ୍ରସ୍ତାବ ଗୃହିତ କରାଇବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ଥିବା ୧୨୧ଟି ପ୍ୟାକ୍ସରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥରଲେ। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖାର ପରିଚାଳକ ଅଜାମ୍ବର ବିଶ୍ୱାଳ ଯୋଗଦେଇ କହିଥିଲେ ଯେ ପ୍ରତ୍ୟେକ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ ଆଗାମୀ ଦିନରେ ଗୋଟିଏ ଗୋଟିଏ ମାଇକ୍ରୋ ଏ.ଟି.ଏମ. ଖୋଲାଯିବ ଏବଂ ସମିତିର ସଭ୍ୟଭୁକ୍ତ ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ବଦଳରେ ରୂପେ କିଷାନ କ୍ରେଡିଟ କାର୍ଡ ଯୋଗାଇ ଦିଆଯିବ। ଏହି କାର୍ଡକୁ ବ୍ୟବହାର କରି ଚାଷୀମାନେ ମାଇକ୍ରୋ ଏ.ଟି.ଏମ.ଦ୍ୱାରା ଅର୍ଥ ଜମା ଓ ଉଠାଣ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଜମଧର ସମବାୟ ସମିତିର ସଭାପତି କାର୍ତ୍ତିକ ଚନ୍ଦ୍ର ନାୟକ, ଚକ୍ରୋଡା ପଂଚାୟତର ସମିତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ ସେମାନଙ୍କ ବକ୍ତବ୍ୟରେ ସମବାୟ ଅଭିଯାନ କେବଳ ଭାଷଣରେ ସିମିତ ନରହି କାର୍ଯ୍ୟକ୍ରମରେ ପରିଣତ ହେବା, ପ୍ରତ୍ୟେକ ପଂଚାୟତରେ ଗୋଟିଏ ପ୍ୟାକ୍ସ ଖୋଲାଯିବା, ସମିତିର ନିର୍ଦେଶକ ମଣ୍ଡଳିଙ୍କୁ ଭତ୍ତା ପ୍ରଦାନ କରାଯିବା ପ୍ରଭୃତି ପ୍ରସ୍ତାବ ମାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ନରହରି ପାଣି, ରବିନ୍ଦ୍ର ମଲ୍ଲିକ, ସନତ ଜେନା, ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ବସନ୍ତ ରାଉତ, ସୀତାସୁନ୍ଦରୀ ମଲ୍ଲିକ, ଝୁନାରାଣୀ ମଲ୍ଲିକ, ଶରତ ମଲ୍ଲିକ, ସମିତି ସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ, ଅଙ୍କୁର ମଲ୍ଲିକ, ହେମନ୍ତ କୁମାର ମଲ୍ଲିକ, କାମିନୀ ବରାଳ, ସନ୍ତୋଷ ବେହେରା, ନରହରି ଲେଙ୍କା, ପ୍ରେମଲତା ଜେନା, ସମାଜସେବୀ ପ୍ରମୋଦ କୁମାର ପ୍ରଧାନ, କଳାକାର ମଲ୍ଲିକ, ନରୋତ୍ତମ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଶେଷରେ ଭରତପୁର ସମିତିର ସମ୍ପାଦକ ସୁବୋଧ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top