ସମନ୍ୱିତ ଶିଶୁସୁରକ୍ଷା ଯୋଜନାର ସଫଳ ରୂପାୟନ ନିମନ୍ତେ ସମ୍ମିଳିତ ଅଂଶୀଦାର ମାନଙ୍କ କର୍ମଶାଳା

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକଜିଲ୍ଳା ଶିଶୁସୁରକ୍ଷା ୟୁନିଟ୍ ଦ୍ୱାରା ଆୟୋଜିତ ସମନ୍ୱିତ ଶିଶୁସୁରକ୍ଷା ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଂଶୀଦାର ସମୂହ ମାନଙ୍କୁ ନେଇ ଏକ କର୍ମଶାଳା ସଂସ୍କୃତି ଭବନ ପରିସରରେ ଶିଶୁ ସୁରକ୍ଷାଅଧିକାରୀ ପଦ୍ମନ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିରୂପେ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ସ୍ୱତନ୍ତ୍ର କିଶୋର ପୋଲିସ୍ ୟୁନିଟ୍ ର ଅଧ୍ୟକ୍ଷ ସୁରେଶ ଜେନା, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁଦର୍ଶନ ବାରିକ, ପୂର୍ବତନ ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ଜିଲ୍ଲା ସୂଚନା ଓ ବିଜ୍ଞାନ ଅଧିକାରୀ ବିଜୟ ମିଶ୍ର, ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ଆଶାଲତା ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ। ପ୍ରାରମ୍ଭିକ ସୂଚନା ଓ କର୍ମଶାଳାର ଆଭିମୁଖ୍ୟ ସମ୍ବନ୍ଧରେ ଜିଲ୍ଲାଶିଶୁ ସୁରକ୍ଷା ୟୁନିଟର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଆଲୋକପାତ କରିଥିଲେ। ବିଷୟବିଶାରଦ ଭାବେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀଣି କେଉଁଝରର ଦେବାଙ୍ଗନା ବାରିକ୍ ଯୋଗଦାନ କରି କର୍ମଶାଳାର ଅଂଶୀଦାର ମାନଙ୍କ ଭୂମିକା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଶିଶୁମାନଙ୍କର ସୁରକ୍ଷା ସମ୍ବନ୍ଧରେ ମତ ରଖିବା ସହ ବିଭିନ୍ନ ବକ୍ତାମାନେ ସମସ୍ତଙ୍କର ସମନ୍ୱୟ ଓ ସହଯୋଗ ରହିଲେ ଶିଶୁସୁରକ୍ଷା ଓ ଅଧିକାର ଉଲଂଘନ ଦିଗରୁ ରକ୍ଷା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଖୋଲାମଞ୍ଚ ଆଲୋଚନାରେ ବିଭିନ୍ନ ବିଭାଗରୁ ଆସିଥିବା ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ମହିଳା ଗୋଷ୍ଠୀ, ଶ୍ରମ ବିଭାଗ, ଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା, ଚାଇଲ୍ଡ ଲାଇନ, ଶିଶୁମଙ୍ଗଳ ସମିତି, କିଶୋର ନ୍ୟାୟ ପରିଷଦ, ପାରାଲିଗାଲ କର୍ମୀ, ସ୍ୱତନ୍ତ୍ର ସେବାଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସ୍ୱତନ୍ତ୍ର ବିଦ୍ୟାଳୟର କର୍ମକର୍ତ୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କର୍ମଶାଳାକୁ ଶିଶୁସୁରକ୍ଷା ୟୁନିଟର ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ୍ ପରିଚାଳନା ଓ ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଗତୀ ଯୁବକସଂଘ ଓ ସବ୍ ସେଣ୍ଟର ଦେବବ୍ରତ ଦାସ, ସ୍ମୃତିରେଖା ନାୟକ, ଶୁଭ ଦର୍ଶିନୀ ପଣ୍ଡା, କନକ ଦାସ, ତପସ୍ୱିନୀ ରାଉତ ଓ କର୍ମକର୍ତ୍ତା ପରିଚାଳନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *