ସପ୍ତଦଶ ରାଜ୍ୟ ସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଉଦଘାଟିତ

କେନ୍ଦ୍ରାପଡା ୬/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ(କେମ)ଦ୍ୱାରା ଆୟୋଜିତ ସପ୍ତଦଶ ରାଜ୍ୟସ୍ତରୀୟ ପୁସ୍ତକ ମେଳା ମହିପାଳସ୍ଥିତ ଟେଲିକମ ପଡିଆରେ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। କେମର ସଭାପତି ଅକ୍ଷୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବିଶିଷ୍ଟ କଥାକାର ତଥା ପ୍ରାକ୍ତନ ରାଜ୍ୟ ମୁଖ୍ୟ ଶାସନ ସଚିବ ତରୁଣୀକାନ୍ତି ମିଶ୍ର ଉଦଘାଟକ ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରି କହିଥିଲେ ଯେ ବହି ହେଉଛି ମଣିଷର ପ୍ରକୃତ ବନ୍ଧୁ। ମୁଖ୍ୟ ଅତିଥି ଭାବେ କଥାକାର ଦାସ ବେନହୁର ଯୋଗଦେଇ ପୁସ୍ତକମାନେ ହେଉଛି ଜୀବନ୍ତ ଅଭିବ୍ୟକ୍ତି। କେନ୍ଦ୍ରାପଡାର ମାଟିର ପୁଅ ଅଭିମନ୍ୟୁ ସାମନ୍ତ ସିଂହାର, ନିମାଇଁ ହରିଚନ୍ଦନଙ୍କ ସାରସ୍ୱତ କୃତୀ ପାଇଁ କେନ୍ଦ୍ରାପଡା ବାହାର ଦୁନିଆରେ ପରିଚିତ ହୋଇପାରିଛି ବୋଲି କହିଥିଲେ। ବହି କେବଳ କାଗଜର ପ୍ରତିକୃତି ନୁହଁ ତାହା ଆଜି ମୋବାଇଲରେ ମଧ୍ୟ ଉପଲବ୍ଧ ହେଉଛି। ସବୁର ପରିବର୍ତ୍ତନ ହେଉଥିବାବେଳେ ପୁସ୍ତକର ମଧ୍ୟ ପରିବର୍ତ୍ତନ ହୋଇଛି। କେମ୍ର ଏହି ପୁସ୍ତକ ମେଳା ହେଉଛି ଏକ ସାରସ୍ୱତ କାର୍ଯ୍ୟ। ବହି ମାଧ୍ୟମରେ ସମାଜ ଓ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଆସିଥାଏ। ରୁବେନ ଗାଲିଲିଓଙ୍କ ପୁସ୍ତକ “ବ୍ଲାକ ହ୍ୱାଇଟ” ରସିଆରେ ଭିନ୍ନକ୍ଷମଙ୍କ ପ୍ରତି ମାନସିକତାରେ ପରିବର୍ତ୍ତନ ଆଣିଦେଇଥିଲା। ମହାଭାରତର ହୃତପିଣ୍ଡ ହେଉଛି ଭଗବଦ୍ ଗୀତା। ପୁସ୍ତକ ଯାହାର ଚେତନା ସମୟ ମଧ୍ୟରେ ବନ୍ଧାନୁହେଁ ବୋଲି ଶ୍ରୀ ଦାସ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କେମର ମୁଖପତ୍ର “କେନ୍ଦ୍ରାପଡା ପରିକ୍ରମା (ନାରୀ ପ୍ରତିଭା ବିଶେଷାଙ୍କ)”, ପ୍ରାବନ୍ଧିକ ଡଃ ସର୍ବେଶ୍ୱର ସେଣଙ୍କ ପ୍ରବନ୍ଧ ସଙ୍କଳନ “ଜନଜୀବନ ଓ ସାହିତ୍ୟ”, ଅକ୍ଷୟ କୁମାର ନାୟକଙ୍କ ଲିଖିତ ପୁସ୍ତକ “ନିରସ୍ତ କୁହୁକ”, ଗାଳ୍ପିକା ଅନ୍ନପୂର୍ଣ୍ଣା ମହାନ୍ତିଙ୍କ ଗଳ୍ପ ସଙ୍କଳନ “ଛାଇ ମଣିଷ” ଓ ଆଶିଷ ସେନାପତିଙ୍କ ପୁସ୍ତକ “ପାନ ବରଜ “କୁ ଅତିଥିମାନେ ଉନ୍ମୋଚନ କରିଥିଲେ। କବୟିତ୍ରି ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କେମର ସଂପାଦକ ମହମ୍ମଜ ଜାହିଦ ଖାଁ ସମ୍ପାଦକୀୟ ବିବରଣି ପାଠ ଓ ଶେଷରେ ମନୋଜ କୁମାର ଦାସ ଧନ୍ୟବାଦଅର୍ପଣ କରିଥିଲେ। କେମର ପ୍ରତିଷ୍ଠାତା ଡେପୁଟି କଲେକ୍ଟର ବିରଜା ପ୍ରସାଦ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ, ଗାଳ୍ପିକ ଡକ୍ଟର ରାମଚନ୍ଦ୍ର ବେହେରା ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ। କେମର ସଦସ୍ୟ ଶେଷଦେବ ଦାସ, ତାରିଣୀ ପାଟ୍ଟଜୋଷୀ, ଯଯାତି କେଶରୀ ମହାନ୍ତି, ଜ୍ୟୋତିରଂଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *