ରାଉରକେଲା ୨୭-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସ୍ମାର୍ଟ ସିଟିରେ ବିକାଶର ପ୍ରକ୍ରୀୟା ତ୍ୱରାନିତ୍ୱ ହେବା ସଙ୍ଗେ ଅପରାଧର ମାତ୍ରା ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି। କଟକ, ଭୁବନେଶ୍ୱର ପରେ ରାଉରକେଲାରେ ବଢିବାରେ ଲାଗିଛି ଅପରାଧର କ୍ରମ ଓ ସଂଖ୍ୟା। ପୁଲିସ ଫାଇଲରେ ଅପରାଧର କଳାଫର୍ଦ୍ଦ ଗୋଟିକ ପରେ ଗୋଟିଏ ଯୋଡ଼ି ହେବାରେ ଲାଗିଛି। ଛିନତାଇ, ଚୋରି, ଡକାୟତି ଦିନକୁ ଦିନ ବଢି ଚାଲିଥିବା ବେଳେ ଜୋର ଧରିବାରେ ଲାଗିଛି ସଟ୍ଟା, ସ୍କା୍ରପ ଓ ଚୋରା ବିଦେଶୀ ଓ ଦେଶୀମଦ କାରବାର। ଏହା ସହିତ ସହରରେ ଏବେ ଡ୍ରଗ୍ସ କାରବାର ଜୋର ଧରିଛି। ଦିନରାତି ସହରରେ ଲୁଚାଛପାରେ ଘୁରି ବୁଲୁଛି ଡ୍ରଗ୍ସରୂପୀ ରାକ୍ଷସ। କୋମଳମତି ୧୫ରୁ ୨୫ ବର୍ଷ ବୟସର ପିଲାମାନଙ୍କୁ ନିଜ କବଳରେ ଜାବୁଡ଼ି ଧରୁଛି। ବହୁ ଯୁବକ ଏହି ନିଶାରେ ସହରର ବିଭିନ୍ନ ଛକରେ ଉଦଭ୍ରାନ୍ତ ଯୁବକ ଭଳି ଘୁରି ବୁଲୁଛନ୍ତି। ପୁଲିସ ପକ୍ଷରୁ କେବେ କେବେ ଡ୍ରଗ୍ସ ଧରପଗଡ଼ କରାଯାଉଥିଲେ ସୁଦ୍ଧା ଏହାର ଚେର ବର୍ତମାନ ରାଉରକେଲାର ବିଭିନ୍ନ ଅଂଚଳ ଯେପରି ରାଉରକେଲା ରେଳଷ୍ଟେସନ, ବସଷ୍ଟାଣ୍ଡ, ବିଭିନ୍ନ ହାଟ, ବଜାର, ପାନ ଦୋକାନକୁ ମାଡ଼ି ଚାଲିଛି। ଡ୍ରଗ୍ସର ଦାମ ଅହେତୁକ ଟଙ୍କା ହୋଇଥିବା ବେଳେ ଏହାକୁ ସେବନ କରିବାକୁ ଯୁବପିଢୀ ଏକ ପ୍ରକାର ପାଗଳ ହୋଇ ଉଠିଛନ୍ତି! ଡ୍ରଗ୍ସ ନିଶାରେ ବହୁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଯାହାକି ରାଉରକେଲା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପୁଲିସର ନାକ ତଳେ ଚାଲିଛି ଡ୍ରଗ୍ସ କାରବାର। ଯାହାର ଟିକେ ହେଲେ ଖୋଜ ଖବର ପାଇପାରୁନି ପୁଲିସ। ଡ୍ରଗ୍ସ ମାଫିଆ ମାନେ ବାହାର ରାଜ୍ୟ ଯଥା କୋଲକାତା, ମୁମ୍ବାଇ, ଝାଡଖଣ୍ଡ ଆଦିରୁ ବହୁ ସତର୍କତା ସହିତ ରାଉରକେଲାକୁ ଡ୍ରଗ୍ସ ଆଣିବା ପରେ ଏଗୁଡ଼ିକୁ ଚଢାଦର (ପ୍ରତି ୧୦ ଗ୍ରାମକୁ ୧୫୦୦ ଟଙ୍କା ଆନୁମାନିକ)ରେ ବିକ୍ରି କରିବା ଲାଗି ପ୍ରଥମେ ଦଲାଲ ଖୋଜୁଥିବା ଏକ ବିଶେଷ ଅନୁସନ୍ଧାନରୁ ଜାଣିବାକୁ ମିଳିଛି। ଜଣେ ଡ୍ରଗ୍ସ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନିରାପଦରେ ପହଂଚାଇଲେ ଜଣ ପିଛା ୩୦୦ ଟଙ୍କା ବକ୍ସିସ୍ ରହିଛି। ମୋବାଇଲରେ କଥାବାର୍ତ୍ତା ବେଳେ ଡ୍ରଗ୍ସକୁ କୋଡୱାର୍ଡରେ ମୁର୍ଗା ବୋଲି ସମ୍ବୋଧନ କରାଯାଉଛି। ମୁର୍ଗା(ଡ୍ରଗ୍ସ) ଡେଲିଭରି ସରିଲା ପରେ ଦଲାଲକୁ ତାର ପ୍ରାପ୍ୟ ମିଳି ଯାଉଛି। ଏହି ଦଲାଲ ଭାବେ କାର୍ଯ୍ୟକରୁଛନ୍ତି ସହରର କିଛି ବେକାରୀ ଯୁବକ ଓ ଯୁବତୀ। ଯୁବତୀ ମାନେ ଡ୍ରଗ୍ସ ନେଲେ କୌଣସି ସନ୍ଦେହ ନଉପୁଜିବା କାରଣରୁ ଡ୍ରଗ୍ସ ମାଫିଆଙ୍କ ଦଲାଲ ଭାବେ ଯୁବତୀ ମାନେ କାର୍ଯ୍ୟ କରୁଛନ୍ତି। ଯଦି କିଛି ଦିନ କାର୍ଯ୍ୟକଲା ପରେ ପୂର୍ବରୁ ଏହି କାର୍ଯ୍ୟ କରୁଥିବା ଯୁବତୀ ଏଥିରେ ଅରାଜି ହୁଏ. ତେବେ ଦଲାଲ ମାନେ ଉକ୍ତ ଯୁବତୀଙ୍କୁ ବହୁ ଧମକ ଚମକ ଦେଇ ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ କରିବାକୁ ଧମକ ଦେଉଥିବା ଅନୁସନ୍ଧାନ ବେଳେ ଜାଣିବାକୁ ମିଳିଛି। ଅପରପକ୍ଷରେ ପରିବାରର ବୋଝ ତଥା ଆର୍ଥିକ ପରିସ୍ଥିତି ଠିକ ନଥିବା କାରଣରୁ କିଛି ନୀରୀହ ବେକାର ଯୁବକଯୁବତୀ ଏହି ଡ୍ରଗ୍ସ କାରବାରରେ ଦଲାଲ ଭାବେ କାର୍ଯ୍ୟ କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। ସହରର କିଛି ମନ୍ଦିରସ୍ଥଳ, ପାର୍କ, ଡାକ୍ତରଖାନା ପରିସର ଆଦି ଜନବହୁଳ ଅଂଚଳରେ ଡ୍ରଗ୍ସର ଡେଲିଭରି ହେଉଛି ! ପ୍ରାୟତଃ ଖରାବେଳ ସମୟରେ ଏହି କାରବାର ଜୋର ଧରିଛି। ଡ୍ରଗ୍ସ ଡେଲିଭରି ପରେ ସମ୍ପୃକ୍ତ ଯୁବକ, ଯୁବତୀ ନିଜର ପୋଷାକ ତୁରନ୍ତ ବଦଳାଇ ଘଟଣାସ୍ଥଳରୁ ଉଭାନ ହୋଇ ଯାଉଛନ୍ତି। ଫଳରେ ପୁଲିସ ପକ୍ଷରୁ ସେମାନଙ୍କୁ କାବୁ କରିବା ଅବା ଯାଂଚ କରିବା ସମ୍ଭବପର ହୋଇପାରୁନାହିଁ। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ନାଲାରୋଡ଼ ଅଂଚଳର ଜଣେ ମହିଳା ଡ୍ରଗ୍ସ ନେଇ ଯାଉଥିବା ସମୟରେ ପାୱାରହାଉସ ରୋଡ଼ ନିକଟରେ ପ୍ଲାଂଟସାଇଟ ପୁଲିସ ଉକ୍ତ ମହିଳାଙ୍କୁ କାବୁ କରି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ସହରରେ ଡ୍ରଗ୍ସ କାରବାରରେ ଯୁବକ, ଯୁବତୀ ଦଲାଲ ଭାବେ କାର୍ଯ୍ୟ କରିବା ଯଦି ସତ ହୁଏ, ତା’ହେଲେ ନିଶ୍ଚୟ ଭାବେ ସାଂଘାତିକ ଏଥିରେ ଦ୍ୱିମତ ନାହିଁ। ରାଉରକେଲା ପୁଲିସର ଉଚ୍ଚପଦସ୍ଥ ଅଧିକାରୀ ଏହି ଡ୍ରଗ୍ସ କାରବାର ରୋକିବା ଲାଗି ସମୟୋଚିତ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।
