ଓଡ଼ିଶା

ସତିଗୁଡା ଜଳଭଣ୍ଡାର ବିପଦ ସଙ୍କେତ ଟପିଲା, ବାଲିମେଳା ଜଳଭଣ୍ଡାରର ୪ଟି ଗେଟ ଖୋଲା ଯାଇ ୨୦ ହଜାର କ୍ୱିସେକ ଜଳ ଛଡାଗଲା

ମାଲକାନଗିରି, ୨୧ା୯(ଓଡିଆ ପୁଅ ) ଗତ କାଲିଠାରୁ ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଥିବାରୁ ସତିଗୁଡା ଜଳଭଣ୍ଡାରର ବିପଦ ସଙ୍କେତ ଟପିଯାଇଛି। ଏହି ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୯୨.୬୩ ମିଟର ଥିବା ବେଳେ ଆଜି ଜଳ ସ୍ତର ବୃଦ୍ଧି ପାଇ ତାହା ୧୯୯୪ ମିଟରକୁ ଟପି ଯାଇଛି। ଯାହାଫଳରେ ଜଳଭଣ୍ଡାରରୁ ଆନିକଟ ଦେଇ ଅଧିକ ୨ ଫୁଟ ଜଳ ବାହାରକୁ ଛଡାଯାଇଛି। ଠିକ ସେହିପରି ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାରର ଜଳସ୍ତର ବୃଦ୍ଧିପାଇ ବିପଦ ସଙ୍କେତ ଟପିବାକୁ ଆଉ ମାତ୍ର ୨ ଫୁଟ ଥିବାରୁ ସ୍ୱାଭିମାନ ଅଞ୍ଚଳରେ ବନ୍ୟାହେବାର ଆଶଙ୍କାକୁ ଆଖି ଆଗରେ ରଖି ଆଜି ଜଳଭଣ୍ଡାରର ୪ଟି ଗେଟ ଖୋଲାଯାଇ ୨୦ ହଜାର କ୍ୱିସେକ ଜଳ ଆନ୍ଦ୍ରକୁ ଛଡ଼ାଯାଇଛି। ଆଜି ଚିତ୍ରକୋଣ୍ଡା ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୫୧୬ ଫୁଟ ଥିବା ବେଳେ ଆଜି ସକାଳେ ୧୫୧୪.୫ ଫୁଟରେ ପହଁଚିଛି, ଗତ ୧୯୯୦, ୧୯୯୪, ୨୦୦୬, ୨୦୧୩, ୨୦୧୪ ମସିହାରେ ଜଳଭଣ୍ଡାରରେ ଜଳସ୍ତର ବିପଦ ସଙ୍କେତ ଟପିଥିବାରୁ ଗେଟ ଖୋଲା ଯାଇ ଜଳ ଛଡା ଯାଇଥିଲା। ଦୀର୍ଘ ୪ବର୍ଷ ପରେ ପୁଣି ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଆଜି ସକାଳେ ସ୍ପିଲେୱେ ଠାରେ ଥିବା ୧୦ଟି ଗେଟ ମଧ୍ୟରୁ ଆଶିଂକ ଭାବେ ୪ ଟି ଗେଟ ଖୋଲା ଯାଇ ୨୦ ହଜାର କ୍ୱିସେକ ଜଳ ଛଡାଯାଇଛି।

୪ଟି ଗେଟ ଖୋଲା ଯାଇ ଜଳଛଡା ଯିବା ଦ୍ୱାରା ଚିତ୍ରକୋଣ୍ଡା ଅଞ୍ଚଳବାସି ଆତଙ୍କିତ କି ଭୟଭିତ ହେବାର କିଛି ନାହିଁ, କେବଳ ଜଳଭଣ୍ଡାର ସ୍ପିଲେୱେ ତଳେ ରହିଥିବା ଦୋରାଗୁଡା, ଗୁଣ୍ଠାୱାର୍ଡା, ନୂଆଗୁଡା ପଞ୍ଚୟାତରେ ଥିବା ଗ୍ରାମବାସୀମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଜଳ ଭଣ୍ଡାରରେ ଜଳସ୍ତର ଅଧିକ ବୃଦ୍ଧି ପାଇଥିବାରୁ ମାଛ ଧରା ଓ ଡଙ୍ଗା ଚାଳନାକୁ ବନ୍ଦ କରିଦିଆ ଯାଇଛି। ଏହି ଜଳଭଣ୍ଡାରରେ ପ୍ରାୟ ୨୦୦୦ ମତ୍ସଜିବୀ ମାଛଧରି ସେମାନଙ୍କ ଜୀବିକା ନିର୍ବାହ କରିଥାନ୍ତି, ଜଳସ୍ତର ବିପଦ ସଙ୍କେତ ଟପି ଯାଇଥିବାରୁ ମାଛ ଧରିକୁ ଜଳସ୍ତର କମିବା ପର୍ଯ୍ୟନ୍ତ ବନ୍ଦକରିଦିଆ ଯାଇଛି। ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ଆବଶ୍ୟକ ପରିମାଣ ଠାରୁ ଅଧିକ ବର୍ଷା ହେବାଦ୍ୱାରା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ପାଣି ଭରପୁର ହୋଇ ଜଳସ୍ତର ବୃଦ୍ଧିପାଇବା ସହିତ ସ୍ୱାଭିମାନ ଅଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରୀୟା ସେତୁର ଦୁଇପାର୍ଶ୍ୱରେ ଥିବା ରାସ୍ତା ବୁଡି ଯାଇଛି। ଗୁରୁପ୍ରୀୟା ନଦୀ ଓ ଜଳଭଣ୍ଡାରର ପାଣି ଜାନବାଇ ଠାରେଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବେଶ କରି ସ୍ୱାସ୍ଥ୍ୟ ସେବାରେ ବାଧା ସୃଷ୍ଟି କରିଛି, ଜାନବାଇ, ପାପରମେଟଲା, ମୋତାଆମ୍ବ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରି ବହୁତ କ୍ଷତି ଘଟାଇଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top