ଓଡ଼ିଶା

ସଡକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ରାସ୍ତାର ଦୂରାବସ୍ଥା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତାରୋକ

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ସହରର ଭଦ୍ରକ-ଆନନ୍ଦପୁର ଜାତୀୟ ରାଜପଥର ଚାରିଘରିଆ ଛକ ସନ୍ନିକଟ ତୃପ୍ତିପ୍ଲାଜା ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ବିବାହିତା ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ମହିଳାଙ୍କ ସ୍ୱାମୀ ଓ ସ୍କୁଟି ଚାଳକ ତାଙ୍କ ଜ୍ୱାଇଁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଆଜି ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ପ୍ରାୟ ଦେଢଘଣ୍ଟା ଧରି ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା। ପରେ ଖବର ପାଇ ଟାଉନ୍ ଥାନାଧିକାରୀ ମନୋଜ ରାଉତ ଓ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଇଂ ଅମ୍ବିକା ସ୍ୱାଇଁ ଧାରଣାରେ ବସିଥିବା ଜନସାଧାରଣଙ୍କୁ ଭେଟି ସେମାନେ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଦେଇଥିବା ସ୍ମାରକପତ୍ର ସେମାନଙ୍କ ଠାରୁ ଗ୍ରହଣ ପୂର୍ବକ ପ୍ରତିଶ୍ରୁତି ଦେବା ପରେ ଉକ୍ତ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ଯାହା ଜଣାଯାଏ ବିଗତ ପ୍ରାୟ ଏକ ଦଶନ୍ଧି ଧରି ଭଦ୍ରକ-ଆନନ୍ଦପୁର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ଚାଲୁ ରହିଥିବାବେଳେ ସହରର ବନ୍ତଛକରୁ ରାନ୍ଦିଆ ଓଭରବ୍ରିଜ୍ ପର୍ଯ୍ୟନ୍ତ ରାସ୍ତାର ଦୂରାବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବିଶେଷକରି ଫେକର ଓ ପାୱାରପ୍ଲାଣ୍ଟର ବହୁ ଭାରିଯାନ ସହ ଶତାଧିକ ଘରୋଇ ହାଇୱା, ଡ୍ରମ୍ପର, ଟ୍ରକ୍ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟତ କରୁଛି। ମାତ୍ର ରାସ୍ତାର ମରାମତି କାର୍ଯ୍ୟ କରାଯାଉନାହିଁ। ଯେଉଁଥିପାଇଁ ଏହି ରାସ୍ତାରେ ବିରାଟକାୟ ଗର୍ତ୍ତମାନ ସୃଷ୍ଟି ହୋଇ, ତାହା ବହୁ ସମୟରେ ଧନଜୀବନ ହାନିର କାରଣ ହେଉଛି। ଏ ଦିଗରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବହୁବାର ଜିଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେବେ ଆଜି ସକାଳ ପ୍ରାୟ ୮.୪୫ ସମୟରେ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନସ୍ଥ ହାଟଡିହି ଖାଣ୍ଟପଦାର ମଠ ଗ୍ରାମନିବାସୀ ଭଗବାନ କୁଅଁର ଓ ତାଙ୍କ ପତ୍ନୀ ସୁକୁମାରୀ (୪୯) ନିଜର ଜ୍ୱାଇଁ ପ୍ରଦୀପ ଜେନାଙ୍କ ସହ ଓଡି-୦୯ଇ-୧୯୪୬ ନମ୍ବରର ଏକ ସ୍କୁଟି ଯୋଗେ ଭଦ୍ରକ ଡାକ୍ତରଖାନା ଆସୁଥିଲେ। ଏହି ସମୟରେ ଓଆର-୦୪ଏଲ-୯୫୨୧ ନମ୍ବରର ଏକ ୪୦୭ ଟ୍ରକ୍ ସେହି ରାସ୍ତାରେ ଯିବା ସମୟରେ ଖାଲ ଯୋଗୁଁ ସ୍କୁଟି ପଛରେ ବସିଥିବା ସୁକୁମାରୀଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡିଯିବାରୁ ତାଙ୍କ ଉପରେ ଚକା ଚଢି ତାଙ୍କର ମୃତ୍ୟୁ ଘଟିଥିଲା। ଏଡି ଘଟଣାରେ ସ୍ଥାନୀୟ ଅଂଚଳର ଯୁବନେତା ନଳିନୀକାନ୍ତ ମହାନ୍ତି, ସ୍ୱାଧୀନ ସୁନ୍ଦର ଦାସ, ଦୁର୍ଗା ଶଙ୍କର ଜେନା, ଦେବେନ୍ଦ୍ର ପ୍ରଧାନ, ଅନନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବ୍ୟକ୍ତି ଟାୟାର ଜାଳି ରାସ୍ତାରୋକ କରିଥିଲେ। ପରେ ସେମାନଙ୍କ ଦାବି ମୁତାବକ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ ରଖାଯିବା ସହ ଉକ୍ତ ରାସ୍ତାର ମରାମତି ତୁରନ୍ତ କରାଯିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏହି ଘଟଣାରେ ଆଜି ସହରାଞ୍ଚଳ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଦୁର୍ଘଟଣାଗ୍ରସ୍ତ ଗାଡି ୨ଟି ଜବତ କରାଯାଇ ଗାଡିଚାଳକକୁ ଗିରଫ କରାଯାଇଛି। ଏବଂ ଶବ ବ୍ୟବଚ୍ଛେଦ ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top