ଜିଲ୍ଲା ପରିକ୍ରମା

ସଚେତନତା ଅଭାବ, ବଢୁଛି ଦୁର୍ଘଟଣା ୭ ବର୍ଷରେ ୧୪୪୦ ଦୁର୍ଘଟଣାରେ ୬୩୨ ମୃତ

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକରେ ସଚେତନତା ଅଭାବ ପାଇଁ ଦୁର୍ଘଟଣା ବଢୁଥିବା କୁହାଯାଉଛି। ପ୍ରତିବର୍ଷ ସଡକ ଦୁର୍ଘଟଣା ଯୋଗୁଁ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଅନେକ ଲୋକ ଏହି ଦୁର୍ଘଟଣାର ଶୀକାର ହୋଇ ଏକ ପ୍ରକାର ଅର୍କମଣ୍ୟ ହୋଇପଡୁଛନ୍ତି। ମାତ୍ର ଦୁର୍ଘଟଣା କମିବାର ନା ନେଉନାହିଁ। ବେପରୁଆ ଗାଡିଚାଳନା, ଟ୍ରାଫିକ ନିୟମ ଅବମାନନା ସହ ମଦ୍ୟ ପାନ କରି ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବଢୁଥିବା କୁହାଯାଉଛି। ମୋଟର ସାଇକେଲ୍ ଚଲାଉଥିବା ବେଳେ ହେଲମେଣ୍ଟ ବାଧ୍ୟତା ମୂଳକ କରାଯାଇଥିଲାବେଳେ ଭଦ୍ରକରେ ତାହା ଖୁଲମ ଖୁଲା ଅବମାନନା କରାଯାଉଛି। ବହୁ ସମୟରେ ଭଦ୍ରକରେ ଏବେ ହେଲମେଣ୍ଟ ଚେକିଂ କରାଯାଉଛି। ହେଲେ ଗାଡି ଚାଳକମାନେ ଗଳାବାଟ ଖୋଜି ପୁଲିସ୍କୁ ଚକ୍ମା ଦେଇ ଚାଲିଯାଉଛନ୍ତି। ମିଳିଥିବା ସୂଚନାରୁ ଭଦ୍ରକ ଜିଲାରେ ୨୦୧୨ ମସିହାରେ ୧୮୪ ଟି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୋଟ ୭୯ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୩ ମସିହାରେ ଜିଲାରେ ମୋଟ ୨୧୫ ଗୋଟି ଦୁର୍ଘଟଣା ହୋଇଥିଲାବେଳେ ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି। ୨୦୧୪ ମସିହାରେ ୨୧୪ ଟି ଦୁର୍ଘଟଣା ହୋଇଥିଲାବେଳେ ମୃତ୍ୟୁ ସଂଖ୍ୟା ୯୩, ଗୁରୁତର ଆହତ ୧୨୯ ଜଣ ଏବଂ ୯୯ ଜଣ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ସେହିପରି ୨୦୧୫ ମସିହାରେ ଜିଲାରେ ୨୭୩ ଟି ଦୁର୍ଘଟଣା ଘଟି ୧୦୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୪ ଜଣ ଆହତ ହୋଇଛନ୍ତି। ୨୦୧୬ ମସିହାରେ ୨୫୩ ଗୋଟି ଦୁର୍ଘଟଣା ଘଟି ୧୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୪୩ ଜଣ ଆହତ ହୋଇଛନ୍ତି। ୨୦୧୭ ମସିହାରେ ୨୩୭ ଟି ସଡକ ଦୁର୍ଘଟଣା ଘଟି ସେଥିରେ ୧୦୬ ଜଣ ମୃତ୍ୟୁବରଣ କରିଥିବାବେଳେ ୨୩୧ ଜଣ ଆହତ ହୋଇଛନ୍ତି। ସେହିଭଳି ଚଳିତ ବର୍ଷ ୨୦୧୮ ମସିହାରେ ତିନି ମାସ ମଧ୍ୟରେ ୬୪ ଟି ଦୁର୍ଘଟଣା ଘଟି ୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮୨ ଜଣ ଆହତ ହୋଇଥିବା ଜଣାଯାଇଛି। ଭଦ୍ରକ ସହରରେ ଏବେ ପ୍ରତ୍ୟେକ ଦିନ ବିଭିନ୍ନ ଛକ ମାନଙ୍କରେ ମୋଟର ସାଇକେଲ୍ ଚେକିଂ କରାଯାଉଛି। ସମସ୍ତ କାଗଜ ଯାଞ୍ଚ ସାଙ୍ଗକୁ ସେମାନଙ୍କ ଠାରୁ ଫାଇନ୍ ମଧ୍ୟ କଟାଯାଉଛି। ଏହି ଚେକିଂ ସମୟରେ ପାଖାପାଖି ୯୦ ପ୍ରତିଶତ ମୋଟର ସାଇକେଲ୍ ଚାଳକ ହେଲମେଣ୍ଟ ପିନ୍ଧି ନଥିବା ପରିଲକ୍ଷିତ ହେଉଛି। ଏଥିପ୍ରତି ପୁଲିସ୍ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top