ସକାଳେ ସ୍କ୍ରାପ, ସନ୍ଧ୍ୟାରେ ଉତ୍ପାତ, ରାତିରେ ଚୋରି!

ରାଉରକେଲା ୧୧-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ଅସୁରକ୍ଷିତ ହୋଇପଡିଛି ଦକ୍ଷିଣ ରାଉରକେଲା। ଅଂଚଳର ଦେଓଗାଁ, ତାରାପୁର, ସାରନଗରୀ ଆଦି ଅଂଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅସାମାଜିକ ତତ୍ୱମାନେ ପୁଲିସ ଆଖିରେ ଆଙ୍ଗୁଠି ଗେଂଜି ନିଜ ଅପରାଧିକ କଳା କାରନାମାକୁ ଚରିତାର୍ଥ କରୁଥିବା ବେଳେ, ପୁଲିସ ପ୍ରଶାସନ କେବଳ ନୀରବଦ୍ରଷ୍ଟା ସାଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷରେ ଦକ୍ଷିଣ ରାଉରକେଲାର ବାସିନ୍ଦା ପୂର୍ବଭଳି ଆଉ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି, ଏପରିକି ଅଂଚଳର କିଛି ଲୋକ ଏଠାରୁ ଅନ୍ୟତ୍ରକୁ ଚାଲି ଯାଉଥିବା ଦେଖିବାକୁ ମିଳୁଛି। ରାତି ପାହି ସକାଳ ହେଲେ, ସ୍କ୍ରାପ ବେପାରୀ ମାନେ ଦେଓଗାଁ ଜଗନ୍ନାଥ ମନ୍ଦିର ବୀପରୀତ ପାର୍ଶ୍ୱ ତଥା ଆଖପାଖରୁ ଚୋରା ଲୁହା ସଂଗ୍ରହ କରି ଭଙ୍ଗା, ଦଦଡା ସ୍କୁଟରରେ ବୋହି ଚାଲୁଥିବା ବେଳେ, ସେହିଠାରୁ ଅନତି ଦୂରରେ କାର୍ଯ୍ୟରତ ସିଆଇଏସଏଫ କର୍ମଚାରୀ ମାନଙ୍କୁ କିଭଳି ଏହା ଦୃଷ୍ଟିଗୋଚର ହେଉନାହିଁ, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେତେକ ସ୍ଥଳେ, ସିଆଇଏସଏଫ କର୍ମଚାରୀ ଓ ଚୋରା ଲୁହା ବେପାରୀଙ୍କ ମଧୁ ଚନ୍ଦ୍ରିକା ଏଭଳି ବେପାରକୁ ପ୍ରଶୟ ଦେବାରେ ସହାୟକ ହେଉଛି। ବାରମ୍ବାର ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁ ନଥିବା ଅଂଚଳ ବାସୀ ପ୍ରକାଶ କରିଛନ୍ତି। ସେହିପରି ସଂଜ ନଇଁଲେ, ଦକ୍ଷିଣ ରାଉରକେଲାର ସାରନଗରୀର ବିଭିନ୍ନ ଜନବହୁଳ ଇଲାକାରେ ପ୍ରଜାପତି ପରି ଘୁରି ବୁଲୁଛନ୍ତି ରୋଡ୍ ରୋମିଓ। ଏହି ଧରଣର ଯୁବକ ମାନେ ରାସ୍ତାରେ ଯାତାୟତ କରୁଥିବା ସ୍କୁଲ, କଲେଜ ପଢୁଆ ଝିଅ ମାନଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବାକୁ ମଧ୍ୟ ପଛଘୁଂଚା ଦେଉ ନାହାନ୍ତି। ଏନେଇ ପୂର୍ବରୁ ବହୁ ଗଣ୍ଡଗୋଳର ସୂତ୍ରପାତ୍ର ହୋଇ ସାରିଥିଲେ ସୁଦ୍ଧା ପରିସ୍ଥିତି ଯଥା ପୂର୍ବଂ ତଥା ପର ରହିଛି। ଏପରିକି ଉଭ୍ରାନ୍ତ ଯୁବକ ମାନେ ରାସ୍ତାରେ ମୋଟର ସାଇକେଲ ଧରି ଫିଲ୍ମ ଷ୍ଟାଇଲରେ ବିଭିନ୍ନ ପ୍ରକାର ଷ୍ଟଂଟ ପ୍ରଦର୍ଶନ କରୁଛନ୍ତି, ଯାହାକି ପଥଚାରୀଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। ସମୟ ସମୟରେ ଛୋଟବଡ ଦୁର୍ଘଟଣା ମାନ ମଧ୍ୟ ସଙ୍ଗଠିତ ହେଉଛି। ଯାହାକୁ ନେଇ ସାରନଗରୀରେ ଥିବା ବିଭିନ୍ନ ସାମଜିକ ଅନୁଷ୍ଠାନ ପକ୍ଷରୁ ଏଭଳି ଘଟଣାକୁ ବନ୍ଦ କରିବା ଲାଗି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ରାତିରେ ସାରନଗରୀ ପାଲଟୁଛି ନିଶାର ନଗରୀ। ନିଶାରେ ଚୁର ହୋଇ ଅସାମାଜିକ ଯୁବକ ମାନେ ଅପରାଧି ମାନଙ୍କ ସହ ହାତ ମିଳାଇ ଚୋରି, ଡକାୟତି ଆଦି କରୁଥିବା ବେଳେ, ଏହା ସ୍ଥାନୀୟ ପୁଲିସ ପାଇଁ ଅଯଥା ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ କିଛି ଦିନ ତଳେ, ଏଠାରେ ଏକ ପ୍ରତିଷ୍ଠିତ ସୁନା ଦୋକାନରୁ ଚୋରମାନେ ପ୍ରାୟ ଦେଢ କୋଟି ଟଙ୍କାର ସୁନାଗହଣା ଲୁଟି ଫେରାର ହୋଇଯାଇଥିବା ବେଳେ, ଏହି ଖବର ଲେଖାହେବା ପର୍ଯ୍ୟନ୍ତ ଚୋରଙ୍କ ସନ୍ଧାନ ମିଳି ପାରି ନାହିଁ। ଏହାର କିଛି ମାସ ପୂର୍ବରୁ ସାରନଗରୀ ଷ୍ଟେଟବ୍ୟାଙ୍କରୁ ୪ଲକ୍ଷ ଲୁଟ, ଆଇଡିଏଲ କଲୋନୀରେ ସଶସ୍ତ୍ର ଡକାୟତି, ବିଭିନ୍ନ ଆରଏସପି କ୍ୱାଟର୍ସରୁ ଚୋରି, ସୁନାଚେନ ଛିନତାଇ, ଦୁଇଚକିଆ ଯାନ ଚୋରି ଆଦି ଘଟଣା ବୃଦ୍ଧି ପାଇବା କାରଣରୁ ଏଠାରେ ବସବାସ କରୁଥିବା ବାସିନ୍ଦା ମାନେ ନିଜକୁ ସୁରକ୍ଷିତ ମନେ କରୁନଥିବା ସହ ପୁଲିସ ଉପରୁ ଭରସା ତୁଟିବାରେ ଲାଗିଛି। ତେଣୁ ଦକ୍ଷିଣ ରାଉରକେଲା ସମେତ ସାରନଗରୀ ଅଂଚଳରେ ପୁଲିସ ବ୍ୟବସ୍ଥା ସୁଦୃଢ କରିବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *