ଆମ ସଂସ୍କୃତି, କଳା ଓ ଐତିହ୍ୟ

ସଂସ୍କୃତ ସାହିତ୍ୟଚର୍ଚ୍ଚାର କେନ୍ଦ୍ର ପୁଣ୍ୟ ଶ୍ରୀକ୍ଷେତ୍ର

– ଦେବପ୍ରସାଦ ମିଶ୍ର
ଗତ କିଛିଦିନ ତଳେ ଭାରତର ରାଷ୍ଟ୍ରପତି ମହାମାନ୍ୟ ରାମନାଥ କୋବିନ୍ଦ ଓଡିଶା ଗସ୍ତରେ ଆସି ପୁରୀଠାରେ ସଂସ୍କୃତ ପ୍ରତିଷ୍ଠାନ ଉତ୍ସବରେ ଯୋଗ ଦେଇଥିବା ଅବସରରେ ବକ୍ତବ୍ୟ ରଖିବା ସମୟରେ ପୁରୀ ହିଁ ସଂସ୍କୃତ ସାହିତ୍ୟ ଚର୍ଚ୍ଚାର ପ୍ରଧାନକେନ୍ଦ୍ର ଥିଲା ବୋଲି ଉଲ୍ଲେଖ କରିଥିଲେ।ପ୍ରାଚୀନ ଉତକ୍ଳରେ ସଂସ୍କୃତ ସାହିତ୍ୟର୍ଚ୍ଚାର ଧାରାବାହିକ ଇତିହାସ ବହୁ ଉପାଦେୟ ଗ୍ରନ୍ଥର ଅପ୍ରକାଶ ଓ ପର୍ଯ୍ୟାପ୍ତ ଗବେଷଣା ଅଭାବରୁ ଏପର୍ଯ୍ୟନ୍ତ ସଂକଳିତ ହୋଇପାରି ନାହିଁ। ତଥାପି ଦୀର୍ଘ କାଳର ଗବେଷଣା ଏବଂ ଓଡିଶାର ପ୍ରମୁଖ ଗବେଷକ, ପ୍ରତ୍ନତତ୍ତ୍ୱବିଦ, ଐତିହାସିକ, ସାହିତ୍ୟିକ ସର୍ବଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, କେଦାରନାଥ ମହାପାତ୍ର, ପଣ୍ଢିତ ନୀଳମଣି ମିଶ୍ରଙ୍କ ଗବେଷଣାତ୍ମକ ପ୍ରବନ୍ଧରୁ ଜଣାଯାଏ ଯେ, ପୁଣ୍ୟ ନୀଳାଚଳ ଧାମ ହିଁ ସଂସ୍କୃତ ସାହିତ୍ୟ ଚର୍ଚ୍ଚାର ମୁଖ୍ୟ ପ୍ରାଣକେନ୍ଦ୍ର ଥିଲା। ଫଳରେ ଏ ସମ୍ପର୍କରେ ଯେତକିି ତଥ୍ୟ ସଂଗୃହୀତ ହୋଇଅଛି ତାହା ସାହାଯ୍ୟରେ ନିମ୍ନଲିଖିତ କବି ପଣ୍ଡିତ ଓ ଧର୍ମପ୍ରଚାରକମାନଙ୍କୁ ଶ୍ରୀକ୍ଷେତ୍ର ସହିତ ସଂପୃକ୍ତ ଥିବାର ସ୍ଥିର କରାଯାଇପାରେ।

ଭଟ୍ଟନାରାୟଣ–

ପ୍ରସିଦ୍ଧ ‘ବେଣୀସଂହାର ନାଟକମ’ର ପ୍ରଣେତା ଭଟ୍ଟନାରାୟଣ ଉତ୍କଳବାସୀ ଥିବାର ଏ ଦେଶର ପଣ୍ଡିତ ସମାଜରେ ପ୍ରଚଳିତ ଜନଶ୍ରୁତିରୁ ଜଣାଯାଏ। ତିଦୀୟ ନାଯକର ଶେଷ ଦୁଇ ଶ୍ଳୋକରେ ବ୍ୟବହୃତ ପୁରୁଷୋତ୍ତମ ପଦ ଦ୍ୱୈର୍ଥବୋଧକ। ଏହାଦ୍ୱାରା ଏକ ପକ୍ଷରେ ଶ୍ରୀକୃଷ୍ଣ ଓ ଅପର ପକ୍ଷରେ ଶ୍ରୀ ପୁରୁଷୋତ୍ତମ ବା ଜଗନ୍ନାଥ ଉଭୟେ ଲକ୍ଷିତ ହୋଇଛନ୍ତି।

ଯୁଧିଷ୍ଠିରଃ –

“ତ୍ୱଦେବଃ ପୁରୁଷୋତ୍ତମଃ ସୁକୃତିନଂ ମାମାଦତୋ ଭାଷସେ

କିଂ ନାମାନ୍ୟଦତଃ ପରଂ ଭଗବତୋ ଯାଚେ ପ୍ରସନ୍ନାଦହମ୍।’’ (ଷଷ୍ଠ ଅଙ୍କର ୪୫ ଶ୍ଳୋକ)

“ଅକୃପଣମତିଃ କାମଂ ଜୀବ୍ୟାଜ୍ଜନଃ ପୁରୁଷାୟୁଷମ୍ ଭବତୁ ଭଗବଦ୍ଭକ୍ତିଂ ଦ୍ୱୈତଂ ବିନା ପୁରୁଷୋତ୍ତମେ।’’

(ଷଷ୍ଠ ଅଙ୍କର ୪୬ ଶ୍ଳୋକ)

କୃଷ୍ଣଃ–

ଏବସସ୍ତୁ (ଇତିନିଷ୍କ୍ରାନ୍ତଃ ସର୍ବେ) ଇତି ଷଷ୍ଠୋଽଙ୍କଃ ସମାପ୍ତମିଦଂ ବେଣୀସଂହାରଂ ନାମ ନାଟକମ।

ପ୍ରାଚୀନ ଉତ୍କଳର ଅଭିଲେଖସମୂହ ଆଲୋନା କଲେ ଜଣାଯାଏ ଯେ, ସପ୍ତମ ଶତାବ୍ଦୀରେ କୋଙ୍ଗେଦ ମଣ୍ଡଳ (ଆଧୁନିକ ପୁରୀ ଜିଲା ଓ ଗଞ୍ଜାମ ଜିଲାର ଶୈଳୋଦ୍ଭବଂଶୀୟ ଜଣେ ପ୍ରସିଦ୍ଧ ରାଜା ତାଙ୍କ ରାଜତ୍ୱର ତ୍ରୟୋଦେଶ ବର୍ଷରେ ମୁଦଗଲ୍ୟସଗୋତ୍ର ଶଙ୍କାଭଦ୍ରାନୁପ୍ରବର ଛନ୍ଦୋଗ୍ୟଚରଣ ଭଟ୍ଟନାରାୟଣ ନାମକ ଜନୈକ ପ୍ରସିଦ୍ଧ ବ୍ରାହ୍ମଣଙ୍କୁ ଦେବଗ୍ରାମ ବିଷୟ ଅନ୍ତର୍ଭୁକ୍ତ ଅମ୍ବଗ୍ରାମ ଦାନ କରିଥିଲେ। ଅନ୍ୟ ବିରୁଦ୍ଧ ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ଉକ୍ତ ଆଗ୍ରହାରିକ ଭଟ୍ଟନାରାୟଣ ଓ ବେଣୀସଂହାର। ନାଟକ ରଚୟିତା ଭଟ୍ଟନାରାୟଣଙ୍କୁ ଏକ ଓ ଅଭିନ୍ନ ରୂପେ ଗ୍ରହଣ କରାଯାଇପାରେ।

ବଂଗ ଦେଶରେ ପ୍ରଚଳିତ କୁଳ ପଞ୍ଜିକାର ବିବରଣ ଅନୁଯାୟୀ ବଙ୍ଗ ଅଧିପତି ଆଦିଶୂର କାନ୍ୟକୁବ୍ଜରୁ ଆଣିଥିବା ପଞ୍ଚବ୍ରାହ୍ମଣଙ୍କ ମଧ୍ୟରେ ଭଟ୍ଟନାରାୟଣ ଏକତମ। କନ୍ତୁ ଏହି କିମ୍ବଦନ୍ତୀ ଢାକା ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ‘ବଙ୍ଗଳାର ଇତିହାସ’ ଓ ଦୁଇ ଜଣ ପ୍ରସିଦ୍ଧ ବଙ୍ଗୀୟ ପଣ୍ଡିତଙ୍କଦ୍ୱାରା ସଂକଳିତ ‘ସଂସ୍କୃତ ସାହିତ୍ୟର ଇତିହାସ’ରେ ଭିତ୍ତିହୀନ ରୂପେ ପ୍ରତିପାଦିତ ହୋଇଅଛି।

(ଡକଟର ଦାସଗୁପ୍ତ ଓ ଡକଟର ଏସ୍.କେ. ଦେଙ୍କ ଦ୍ୱାରା ସଂକଳିତ ସଂସ୍କୃତ ସାହିତ୍ୟର ଇତିହାସ, ପ ୨୭୧-୨୭୨)

ଐତିହାସିକ ଗବେଷଣା କ୍ଷେତ୍ରରେ ଲବଧପ୍ରତିଷ୍ଠ ବଙ୍ଗୀୟ ପଣ୍ଡିତମାନଙ୍କ ମତରେ କଳ୍ପନାପ୍ରସୂତ ଆଦିଶୂରଙ୍କ ଦ୍ୱାରା ଭଟ୍ଟନାରାୟଣଙ୍କୁ ଗୌଡ଼ଦେଶକୁ ଆନୟନ ବୃତ୍ତାନ୍ତ ଐତିହାସିକ ପ୍ରମାଣ ଅଭାବରୁ ଏକ ଭିତ୍ତିହୀନ ଗଳ୍ପ ରୂପେ ବର୍ଜନୀୟ।

ଉତ୍କଳର ଏକ ପ୍ରାଚୀନ ଅଭିଲେଖରେ ଭଟ୍ଟନାରାୟଣଙ୍କ ଉଲ୍ଲେଖ ଓ ତଦୀୟ କୃତିର ସମାପ୍ତିସୂଚକ ଶ୍ଳୋକ ଦ୍ୱୟରେ ଶ୍ରୀ ପୁରୁଷୋତ୍ତମଙ୍କ ସ୍ତୁତିବାଦନଦ୍ୱାରା ତାଙ୍କୁ ଉତ୍କଳୀୟ ପଣ୍ଡିତ ରୂପେ ଗ୍ରହଣ କରିବା ଅଧିକ ଯୁକ୍ତିସଂଗତ। ତଥାପି ଏହାର ନିଃସଂଶୟ ନିର୍ଦ୍ଧାରଣ ଅଧିକ ଗବେଷଣାସାପେକ୍ଷ।

ମହାକବି ମୁରାରି –

ପ୍ରାଚୀନ ସଂସ୍କୃତି ସାହିତ୍ୟରେ ‘ଅନର୍ଘରାଘବ’ ନାଟକପ୍ରଣେତା ମହାକବି ମୁରାରି ଏକ ବିଶିଷ୍ଟ ସ୍ଥାନର ଅଧିକାରୀ। ମହାକବି ଭବଭୂତି ତାଙ୍କର ତିନୋଟି ପ୍ରସିଦ୍ଧ ନାଟକ ‘ମାଳତୀ ମାଧବମ୍’, ‘ମହାବୀର ଚରିତମ୍’, ‘ଉତ୍ତରରାମଚରିତମ୍’ ସ୍ୱଆରାଧ୍ୟ ଦେବତା ଭଗବାନ କାଳପ୍ରିୟନାଥଙ୍କ ଯାତ୍ରା ସମୟରେ ଅଭିନୀତ କରାଇଥିଲେ, ଯଥା-

(କ) ଭଗବତଃ କାଳପ୍ରିୟନାଥସ୍ୟ ଯାତ୍ରାପ୍ରସଙ୍ଗେନ…… -ମାଳତୀମାଧବମ୍

(ଖ) ଭଗବତ କାଳପ୍ରିୟନାଥସ୍ୟ ଯାତ୍ରାୟାଂ…. – ମହାବୀର ଚରିତମ୍

(ଗ) ଭଗବତଃ କାଳପ୍ରିୟନାଥସ୍ୟ ଯତ୍ରାୟ ମାର୍ଯ୍ୟମିଶ୍ରାନ୍ ବିଜ୍ଞାପୟାମି…. – ଉତ୍ତରରାମଚରିତମ୍

ମହାକବି ଭବଭୂତିଙ୍କ ପଦାଙ୍କ ଅନୁସରଣ କରି ମହାକବି ମୁରାରି ସ୍ୱୀୟ ଆରାଧ୍ୟ ଦେବତା ସମୁଦ୍ରବେଳାରେ ଅଧିଷ୍ଠିତ ପୁରୁଷୋତ୍ତମ ବା ଜଗନ୍ନାଥଙ୍କ ଯାତ୍ରା ବା ରଥଯାତ୍ରା ସମୟରେ ସ୍ୱ ଅନର୍ଘରାଘବ ନାଟକ ପ୍ରଦର୍ଶନ କରିଥିଲେ; ଯଥା :- “ସୂତ୍ରଧାରଃ-ଲବଣୋଦ୍ବେଳା ବନାଳୀତମାଳତରୁ କନ୍ଦଳସ୍ୟ ତ୍ରିଭୁବନମୌଳିମଣ୍ଡନ ମହାନୀଳମଣେଃ କମଳା-କୁଚକଳସ-କେଳିକସ୍ତୁରିକା-ପତ୍ରାଙ୍କୁରସ୍ୟ ଭଗବତଃ ପୁରୁଷୋତ୍ତମସ୍ୟ ଯାତ୍ରାୟାମୁପସ୍ଥାନୀୟା ସଭାସଦ”। ଉଦ୍ଧୃତାଂଶରେ ‘ଲବଣୋଦଧି’ ବେଳାମଞ୍ଚ ତମାଳବନାଧିଷ୍ଠିତ ମହାନୀଳମଣି ରମା-ରମଣ ଶ୍ରୀଜଗନ୍ନାଥଙ୍କ ଯାତ୍ରା ସମୟରେ ଏହି ନାଟକଟି ଅଭିନୀତ ହୋଇଥିବାର ସ୍ପଷ୍ଟ ଉଲ୍ଲେଖ ଥିଲେ ମଧ୍ୟ ସଂସ୍କୃତ ସାହିତ୍ୟର ଇତିହାସଲେଖକ ବଙ୍ଗୀୟ ପଣ୍ଡିତଦ୍ୱୟ ଜଗନ୍ନାଥ ମନ୍ଦିରର ନିର୍ମାଣକାଳ ସମ୍ବନ୍ଧରେ ଐତିହାସିକ ପ୍ରମାଣର ଅଭାବ ଦର୍ଶାଇ ମହାକବିଙ୍କ ଆରାଧ୍ୟ ପୁରୁଷୋତ୍ତମଙ୍କୁ ଜଗନ୍ନାଥ ରୂପେ ଗ୍ରହଣ କରି ନାହାନ୍ତି; ଯଥା-

(ଡକ୍ଟର ଏସ୍.ଏନ୍. ଦାସଗୁପ୍ତ ଓ ଡକ୍ଟର ଏସ.କେ. ଦେଙ୍କ ଦ୍ୱାରା ସଂସ୍କୃତ ସାହିତ୍ୟର ଇତିହାସ ପୃ ୪୫୦)

ଉକ୍ତ ମାନନୀୟ ପଣ୍ଡିତଦ୍ୱୟ ପ୍ରାଚୀନ ଉତ୍କଳର ଗୌରବ କ୍ଷୁର୍ଣ୍ଣ କରିବା ପାଇଁ ଏପରି ମନ୍ତବ୍ୟ ପ୍ରଦାନ କରିଥିବା ମନେହୁଏ। ମହାକବି ମୁରାରି ତଦୀୟ ନାଟକର ଦ୍ୱିତୀୟ ମଙ୍ଗଳାଚରଣ ଶ୍ଳୋକରେ “ତସ୍ମୈଜଗନ୍ନିଧୟେ ନମଃ’ ବା ଜଗନ୍ନାଥଙ୍କୁ ନମସ୍କାରପୂର୍ବକ ଶ୍ରୀପୁରୁଷୋତ୍ତମ ଯାତ୍ରାରେ ଏହା ଅଭିନୀତ ହୋଇଥିବା ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ଅନର୍ଘରାଘବ ନାଯକର ଦୁଇ ଜଣ ପ୍ରସିଦ୍ଧ ଟୀକାକାର “ବିଷ୍ଣୁଭଟ୍ଟ’ ଓ କବିରତ୍ନ ପୁରୁଷୋତ୍ତମ ମିଶ୍ରଙ୍କ ବ୍ୟାଖ୍ୟା ଉଦ୍ଧାର କରାଯାଇପାରେ।

“”ଶ୍ରୀପୁରୁଷୋତ୍ତମ କ୍ଷେତ୍ର ସମ୍ବନ୍ଧିନୋ ଭଗବତୋ ଜଗନ୍ନାଥସ୍ୟ ଯାତ୍ରାୟାଂ ମହୋତ୍ସବେ ଗୁଣ୍ଡିଚାଦୌ। ତ୍ରିଭୁବନମୌଳିଃ ପୁରୁଷୋତ୍ତମାଖ୍ୟାଂ ସ୍ଥାନଂ ଇତି ବିଷ୍ଣୁଭଟ୍ଟଃ। ତ୍ରିଭୁବନସ୍ୟ ମୌଳିର୍ମୁକୁଟଂ ମସ୍ତକଂ ବା ତସ୍ୟ ମଣ୍ଡନମାଭରଣଂ, ତଦ୍ରୁପ ମହାନୀଳମଣେଃ ଇନ୍ଦ୍ରନୀଳମଣିସ୍ୱରୂପସ୍ୟ। ଏତେନ ସୁଗସୁରମନଷ୍ର ବନ୍ଦ୍ୟତ୍ୱମୁକ୍ତଂ। ପରମେଶ୍ୱରସ୍ୟ ଇନ୍ଦ୍ରନୀଳମଣିମୟତ୍ୱଂ ଚ ପ୍ରକାରାନ୍ତରେଣୋପ୍ରେକ୍ଷିତଂ। ଯଦୁକ୍ତଂ ବ୍ରହ୍ମପୁରାଣେ-

ତସ୍ମିନ ଆୟତନେ ପୁଣ୍ୟେ ପ୍ରଖ୍ୟାତେ ପୁରୁଷୋତ୍ତମେ ଇନ୍ଦ୍ରନୀଳମୟୀ ସ୍ରଷ୍ଟା ପ୍ରତିମା ସା ବିକାମୀତି ?”

(ଭୁବନେଶ୍ୱରସ୍ଥ ରାଜ୍ୟ ସଂଗ୍ରାହଳୟରେ ସଂରକ୍ଷିତ ଅପ୍ରକାଶିତ ଅନର୍ଘରାଘବ ଟୀକା ପୋଥିରୁ ଉଦ୍ଧୃତ।)

ଗତ ଶତାବ୍ଦୀର ଶେଷଭାଗରେ ସ୍ୱର୍ଗତ ନରେନ୍ଦ୍ରନାଥ ବସୁଙ୍କ ଦ୍ୱାରା ପ୍ରକାଶିତ ତିନୋଟି କେନ୍ଦୁପାଟଣା ତାମ୍ରଶାସନ ଓ ସ୍ୱର୍ଗଗତ ମନମୋହନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ପ୍ରକାଶିତ ପୁରୀ ପଞ୍ଜାବୀ ମଠ ଓ ପୁର ତ୍ରିମାଠୀ ମଠ ତାମ୍ରଶାସନ ଦ୍ୱୟ, ଏପରି ପାଞ୍ଚଟି ତମ୍ବାପଟାରେ ଲିଖିତ ଗୋଟିଏ ଶ୍ଳୋକରେ ସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇଛି ଯେ, ଗଙ୍ଗେଶ୍ୱର ବା ଚୋଳଗଙ୍ଗଦେବ ତାଙ୍କ ବସା ପୂର୍ବରୁ ନିର୍ମିତ ପୁରୁଷୋତ୍ତମଙ୍କ ମନ୍ଦିର ଉପେକ୍ଷିତ ହୋଇ ଜୀର୍ଣ୍ଣତ୍ୱ ପ୍ରାପ୍ତ ହେବାରୁ ସେ ଜଗନ୍ନାଥଙ୍କ ବର୍ତ୍ତମାନ ମନ୍ଦିର ନିର୍ମାଣ କରିଥିଲେ।

“”ଏତ୍ ଆଦ୍ୟ କୃପୈରୁପେକ୍ଷିତମୟଂ ଚକ୍ରେଥ ଗଙ୍ଗେଶ୍ୱରଃ।”

ପ୍ରାୟ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ପୂର୍ବେ ଲେଖଗତ ଏପରି ଅକାଟ୍ୟ ପ୍ରମାଣର ଉପଲବ୍ଧô ସତ୍ତ୍ୱେ ଲେଖକଦ୍ୱୟ ୧୯୪୭ରେପ୍ରକାାିତ ସ୍ୱସଂସ୍କୃତ ସାହିତ୍ୟ ଇତିହାସ ପୁସ୍ତକରେ ମହାକବି ମୁରାରିଙ୍କ ସମୟରେ ଶ୍ରୀ ପୁରୁଷୋତ୍ତମଙ୍କ ମନ୍ଦିରର ଅବସ୍ଥିତି ସମ୍ବନ୍ଧରେ ସନ୍ଦେହ ପ୍ରକାଶ କରିବା ଅଭିସନ୍ଧିମୂଳକ ମନେହୁଏ। ସେମାନଙ୍କ ଉକତ ଭ୍ରାନ୍ତ ମତକୁ ବଙ୍ଗଳାର ଶ୍ରେଷ୍ଠ ଲିପିତତ୍ତ୍ୱବିତ ଡକ୍ଟର ଦୀନେଶଚନ୍ଦ୍ର ସରକାର ନିର୍ବିବାଦରେ ଗ୍ରହଣ କରି କେତେକ ପ୍ରବନ୍ଧରେ ପ୍ରଚାର କରିଛନ୍ତି। କିନ୍ତୁ ସୌଭାଗ୍ୟକୁ ମଧ୍ୟପ୍ରଦେଶର ମହିଆର ନାମକ ସ୍ଥାନରେ ଏକ ପର୍ବତଶିଖରରେ ଅବସ୍ଥିତ ସରସ୍ୱତୀଙ୍କ ମନ୍ଦିରରେ ଦଶମ ଶତାବ୍ଦୀରେ ଲିଖିତ ଏକ ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଶିଳାଲେଖ ବି୍ୟମାନ। ସରକାରୀ କର୍ତ୍ତବ୍ୟ ଭାବରେ ଡକ୍ଟର ସରକାରଙ୍କୁ ଏହାର ପାଠୋଦ୍ଧାର କରିବା ପାଇଁ ପଡ଼ିଲା। ତାଙ୍କଦ୍ୱାରା ଏହି ଶିଳାଲେଖଟି ଏପିଗ୍ରାଫିଆ ଇଣ୍ଡିଆ ନାମକ ଇଂରେଜୀ ପତ୍ରିକାର ୩୫ ଭାଗରେ ପ୍ରକାଶିତ।

ଏହାର ଦୁଇଟି ଶ୍ଳୋକରେ ପ୍ରଦତ୍ତ ବର୍ଣ୍ଣନାରୁ ଜଣାଯାଏ ଯେ, ସରସ୍ୱତୀଙ୍କ ପୁତ୍ର ଦେବଗୁରୁ ବୃହସ୍ପତିଙ୍କ ଅଭିଶାପ ଯୋଗୁଁ ମର୍ତ୍ତ୍ୟରେ ଦାମୋଦର ପଣ୍ଡିତ ରୂପେ ଅବିର୍ଭୂତ ହୋଇଥିଲେ। ସେ ଉଡ଼୍ର ଦେଶରେ ଅବସ୍ଥିତ ପୁରୁଷୋତ୍ତମଙ୍କୁ ଦର୍ଶନ କରି ସମୁଦ୍ରମଜ୍ଜନ ଯୋଗୁଁ ଅକାଳରେ ପ୍ରାଣ ହରାଇ ବ୍ରହ୍ମପଦକୁ ପ୍ରାପ୍ତ ହୋଇଥିଲେ-

“”ସମୁଦ୍ରମଜ୍ଜନାନୂନମୋଡ଼୍ରେଷୁ ପୁରୁଷୋତ୍ତମମ୍ ଦୃଷ୍ଟ୍ୱା ତବାନ୍ତିକେ ଭୂୟଃ ପୁରାଗଚ୍ଛତ୍ୟୟଂ ଶିଶୁଃ। (୩୬ ଶ୍ଳୋକ)

ତତ ଗଣିତୈରେବ ବିବସୈର୍ଦେବଦୁର୍ଲ୍ଲଭଃ ପ୍ରାପ୍ତବାନ ଜଳଧେସ୍ତୀରଂ ଦୃଷ୍ଟଶ୍ଚ ପୁରୁଷୋତ୍ତମଃ।୩୯ା

ତନୈବ ଗଚ୍ଛତା ଭୂୟଃ ପରମଂ ବ୍ରହ୍ମଣ ପଦମ।”

ସମଗ୍ର ଭାରତରେ କାଶୀ, କାଞ୍ଚି ଅବନ୍ତିକା ପ୍ରଭୃତି ବହୁ ପ୍ରସିଦ୍ଧ ତୀର୍ଥ ଥିଲେ ମଧ୍ୟ ଦେବଗୁରୁ ବୃହସ୍ପତି ଓ ସକଳ ବିଦ୍ୟାଦାୟିନୀ ସରସ୍ୱତୀଙ୍କ ଦ୍ୱାରା ଉଡ଼୍ଦେଶର ମହୋଦଧିତୀରବାସୀ ଶ୍ରୀ ପୁରୁଷୋତ୍ତମଙ୍କ ମହିମା ପ୍ରତି ଏପରି ଗୁରୁତ୍ୱ ଆରୋପଦ୍ୱାରା ସେ ଯୁଗରେ ସର୍ବଭାରତୀୟ ସ୍ତରରେ ତାଙ୍କର ମାହାତ୍ମ୍ୟ ଓ ଗୁରୁତ୍ୱ ସ୍ୱୀକୃତ ହେବାର ଅକାଟ୍ୟ ପ୍ରମାଣ ମିଳୁଛି। ଏହି ବୃହତ ଶିଳାଲେଖରେ ମଧ୍ୟ ଶ୍ରୀ ପୁରୁଷୋତ୍ତମଙ୍କ ମନ୍ଦିର ବିଷୟର ଉଲ୍ଲେଖ ନ ଥିଲେ ମଧ୍ୟ ଯେଉଁ ଉତ୍କଳରେ ଦଶମ ଶତାବ୍ଦୀ ବେଳକୁ ଶତ ଶତ ଦେବଦେବୀଙ୍କ ପାଇଁ ସହସ୍ରାଧିକ ମନ୍ଦିର ନିର୍ମିତ ହୋଇ ସାରିଥିଲା, ତାହାର ଶ୍ରେଷ୍ଠ ଆରାଧ୍ୟ ଦେବତା ଶ୍ରୀ ପୁରୁଷୋତ୍ତମ ବାସହୀନ ଭାବରେ ପୂଜିତ ହେଉଥିଲେ ବୋଲି ଯୁକ୍ତି ଯୁକ୍ତି କରିବା ଏ ଦେଶର ଧର୍ମ, ଐତିହ୍ୟ ଓ ପରମ୍ପରା ପ୍ରତି ଘୋର ଅବମାନନା। ତେଣୁ ନବମ ଶତାବ୍ଦୀରେ ଆବିର୍ଭୂତ ମହାକବି ମୁରାରି ଶ୍ରୀ ପୁରୁଷୋତ୍ତମ (ଜଗନ୍ନାଥ)ଙ୍କ ମନ୍ଦିରରେ ସ ଅନର୍ଘରାଘବ ନାଟକର ଅଭିନୟ ପ୍ରଦର୍ଶନ କରିଥିବା ନିଃସଂଶୟରେ ନିର୍ଦ୍ଧାରିତ ହୋଇପାରେ।

କବିକୃଷ୍ଣ ମିଶ୍ର-

ସଂସ୍କୃତ ସାହିତ୍ୟର ଅନ୍ୟ ଜଣେ ପ୍ରସିଦ୍ଧ ନାଟ୍ୟକାର ଶ୍ରୀ କୃଷ୍ଣ ମିଶ୍ର ଏକାଦଶ ତାବ୍ଦୀର ମଧ୍ୟଭାଗରେ ଆବିର୍ଭୂତ ହୋଇଥିଲେ। ସେ ଉତ୍କଳ ଦେଶୀୟ ଥିବାର ଜନଶ୍ରୁତି ପ୍ରଚଳିତ। ତାଙ୍କର “ପ୍ରବୋଧଚନେ୍ଦ୍ରାଦୟ ନାଟକମ୍’ କର୍ଣ୍ଣବର୍ମାଙ୍କ ରାଜସଭାରେ ଅଭିନୀତ ହୋଇଥିଲା। ଏଥିରେ ବାରାଣସୀର ବର୍ଣ୍ଣନା ପ୍ରସଙ୍ଗରେ ଉତ୍କଳ ଦେଶର ସାଗରତୀରରେ ଅବସ୍ଥିତ ପୁରୁଷୋତ୍ତମଙ୍କ ମାହାତ୍ମ୍ୟ କୀର୍ତ୍ତିତ ହୋଇଛି। ଏହି ଉଦ୍ଧୃତିରେ ପୁରୁଷୋତ୍ତମଙ୍କ ଆୟତନ ବା ମନ୍ଦିରର ସ୍ପଷ୍ଟ ଉଲ୍ଲେଖ ଦେଖାଯାଏ; ଯଥା–

“”ଇତି ପ୍ରବିଶତି ପତ୍ରହସ୍ତଃ ପୁରୁଷଃ ପୁରୁଷଃ-ଅହମୁକ୍ରଳ ଦେଶଦାଗତୋଽସି।

ଅସ୍ତି ତତ୍ର ସାଗରତୀରସନିବେଶେ ପୁରୁଷୋତ୍ତମଶବ୍ଦିତଂ ଦେବାୟତମ। ତସ୍ମିନ୍ ମଦମାନାଭ୍ୟାଂ ଭଟ୍ଟାରକାଭ୍ୟଂ ମହାରାଜ ସକାଶଂ ପ୍ରେଷିତୋଽସ୍ମି।

ଏଷା ବାରଣାସୀ, ଇଦଂ ରାଜକୁଳମ୍, ଯାବତ ପ୍ରବିଶାମି ଙ୍ଘ ଙ୍ଘ ଙ୍ଘ ମହାମୋହଃ (ପତ୍ରଂ ଗୃହୀତ୍ୱା) କୁତୋ ଭବାନ୍ ?

ପୁରୁଷଃ-ଅହଂ ପୁରୁଷୋତ୍ତମାଦାଗତୋଽସ୍ମି।

ମହାମୋହଃ (ପତ୍ରଂ ବାଚୟତି) ସ୍ୱସ୍ତିଶ୍ରୀ ବାରଣାସ୍ୟାଂ ମହାରାଜାଧିରାଜ ପରମେଶ୍ୱର ମହାମୋହପାଦାନ ପୁରୁଷୋତ୍ତମାୟତନାତ ମଦମାନୌ ସାଷ୍ଟାଙ୍ଗପତଂ ପ୍ରଣମ୍ୟ ବିଜ୍ଞାପୟତଃ।”

(ପ୍ରବୋଧଚନେ୍ଦ୍ରାଦୟ ନାଟକ, ଦ୍ୱିତୀୟୋଙ୍କଃ)

ଉଦ୍ଧୃତାଂଶରେ ସମ୍ମାନସୂଚକ ଭାବରେ ପୁରୁଷୋତ୍ତମ ପଦର ତ୍ରିବାର ଉଲ୍ଲେଖନୀୟ ପ୍ରବୋଧଚନେ୍ଦ୍ରାଦୟଂ ନାଯକର ପ୍ରଣେତା ଶ୍ରୀ କୃଷ୍ଣ ମିଶ୍ରଙ୍କର ଶ୍ରୀକ୍ଷେତ୍ର ସହିତ ସମ୍ପର୍କ ସ୍ପଷ୍ଟ ଭାବରେ ସୂଚିତ ହୁଏ।

ମହାକବି ଶ୍ରୀହର୍ଷ–

ମହାକବି ଶ୍ରୀହର୍ଷକୃତ “ନୈଷଧଚରିତମ’ ସଂସ୍କୃତ ଭାଷାରେ ରଚିତ ପ୍ରସିଦ୍ଧ ଷଟ୍ ମହାକାବ୍ୟ ମଧ୍ୟରେ ଏକତମ। ତାଙ୍କର ଉତ୍କଳୀୟତା ସମ୍ବନ୍ଧରେ ବହୁ ପ୍ରମାଣ ମୋ ଦ୍ୱାରା ଇଂରାଜୀ ଭାଷା ସଂକଳିତ “ଉତ୍କଳରେ ଉପଲବ୍ଧ ସଂସ୍କୃତ ପୁସ୍ତକସମୂହର ପରିଚୟାତ୍ମକ ସୂଚୀଗ୍ରନ୍ଥଂ ((A Descriptive Catalogue of Sanskrit Manuscript of Orissa)- ଦ୍ୱିତୀୟ ଭାଗର ମୁଖବନ୍ଧରେ ଉପସ୍ଥାପିତ ହୋଇଅଛି। ସେଥି ମଧ୍ୟରୁ ମହାକବିଙ୍କ ଦ୍ୱାରା ଜ୍ୟେଷ୍ଠ ପୂର୍ଣ୍ଣିମାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସାନମଣ୍ଡପକୁ ଯାତ୍ରା ଏଠାରେ ଉଲ୍ଲେଖଯୋଗ୍ୟ। ଭାରତର ଅନ୍ୟ କୌଣସି ରାଜ୍ୟର ସ୍ନାନମଞ୍ଚ ଉପରକୁ ମହାପ୍ରଭୁଙ୍କୁ ଏପରି ନେବାର ଦୃଶ୍ୟ ପରିଲକ୍ଷିତ ହୁଏ ନାହିଁ।

“”ତାଭି ଦୃଶ୍ୟତ ଏଷ ଯାନ ପଥି ମହାଜୈଷ୍ଠୀମହେ ମନ୍ମହେ

ଯଦୃଗଭିଃ ପୁରୁଷୋତ୍ତମଃ ପରିଚିତଃ ପ୍ରୀଡ଼ମଞ୍ଚମଞ୍ଚନ କୃତଃ।”(ପଞ୍ଚଦଶ ସର୍ଗଃ, ୮୯ ଶ୍ଳୋକ)

ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ପ୍ରତି ଏପରି ଗୁରୁ୍ତବ ଆରୋପଦ୍ୱାରା କବିଙ୍କ ଉତ୍କଳୀୟତ୍ୱ ସୂଚିତ ହୁଏ।

ଆଚାର୍ଯ୍ୟ ଗୋବର୍ଦ୍ଧନ ଓ ଉଦୟନ ଆଚାର୍ଯ୍ୟ–

ସଂସ୍କୃତ ଭାଷାରେ “”ଆର୍ଯ୍ୟାସପ୍ତଶତୀ” ଗ୍ରନ୍ଥର ପ୍ରଣେତା ଆଚାର୍ଯ୍ୟ ଗୋବର୍ଦ୍ଧନ ଉତ୍କଳରେ ଆବିର୍ଭୂତ ହୋଇଥିବା ତାଙ୍କର ସାନ ଭାଇ କବୀନ୍ଦ୍ର ଉଦୟନାଚାର୍ଯ୍ୟ ପ୍ରାଚୀ କୂଳବର୍ତ୍ତୀ ନିଆଳୀ ଶାସନକର୍ତ୍ତା ଶୋଭନେଶ୍ୱର ମନ୍ଦିର ଶିଳାଲିପି ଓ ଏକାମ୍ର କ୍ଷେତ୍ରସ୍ଥ ଗନ୍ଧବତୀ (ଗଙ୍ଗୁଆ) ନଦୀ ତୀରବର୍ତ୍ତୀ ମେଘେଶ୍ୱର ମନ୍ଦିର ଶିଳାଲେଖର ପ୍ରଣେତା ଥିଲେ। ପ୍ରଶସ୍ତିକାର ଉଦୟନାଚାର୍ଯ୍ୟ ଓ ଶ୍ରୀ ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଅନୁଜ ଉଦୟନ ଏକ ଓ ଅଭିନ୍ନ ଥିବା ଏବଂ ସେ ଉତ୍କଳବାସୀ ଥିବା ବଙ୍ଗର ଇତିହାସପ୍ରଣୋତାମାନଙ୍କ ଦ୍ୱାରା ସ୍ୱୀକୃତ ହେଲାଣି;

ଆଚାର୍ଯ୍ୟ ଗୋବର୍ଦ୍ଧନ ଶ୍ରୀକ୍ଷେତ୍ରବାସୀ ଥିଲେ। ଶ୍ରୀକ୍ଷେତ୍ରର “ଗୋବର୍ଦ୍ଧନ ମଠ’ ଓ ଶ୍ରୀବଳଭଦ୍ର ଠାକୁର ଭାରତପ୍ରସିଦ୍ଧ। ତେଣୁ ତାଙ୍କର ପିତା ଧର୍ମଶାସ୍ତ୍ରପ୍ରଣେତା ନୀଳାମ୍ବର ଆଚାର୍ଯ୍ୟ ସ୍ୱ ଜ୍ୟେଷ୍ଠ ପୁତ୍ରର ନାମ ଦେଇଥିଲେ ଗୋବର୍ଦ୍ଧନ ଓ କନିଷ୍ଠ ପୁତ୍ରର ବଳଭଦ୍ର ନାମକରଣ କରିଥିଲେ। ଶ୍ରୀକ୍ଷେତ୍ରର ଗୁଣ୍ଡିଚା ମନ୍ଦିରନିକଟରେ ଗୋବର୍ଦ୍ଧନଙ୍କ ବାସଭୂମି ଥିବା ଲୋକଶ୍ରୁତି ଅଦ୍ୟାପି ପ୍ରବଳ। ସେ ସ୍ୱଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ “ନୀଳାଦି୍ରନାଥ ଶତକ’ ରଚନା କରିଥିଲେ। ତାଙ୍କର କନିଷ୍ଠ ଭ୍ରାତା ଉଦୟନାଚାର୍ଯ୍ୟ ଉତ୍କଳୀୟ କବିରାଜ ଜୟଦେବଙ୍କ ଜଣେ ଗୁଣଗ୍ରାହୀ ଅନ୍ତରଙ୍ଗ ବନ୍ଧୁ ଥିଲେ ଏବଂ ସେ ତତ୍କୃତ ଶ୍ରୀ ଗୀତଗୋବିନ୍ଦର “ଭାବବିଭାବିନୀ’ ନାମ୍ନୀ ପ୍ରଥମ ଟୀକା ରଚନା କରିଥିଲେ। ଏହି ଟୀକାର ଖଣ୍ଡିଏ ପୋଥି ୧୯୭୪ ମସିହାରେ ସଂଗୃହୀତ ହୋଇ ନାଗପୁରସ୍ତ ପୋଥି ଭଣ୍ଡାରରେ ସଂରକ୍ଷିତ ହୋଇଥିଲା। ସେ ଉତ୍କଳୀୟ ମହାକବି ଶ୍ରୀହର୍ଷକୃତ ନୈଷଧଚରିତ ମହାକାବ୍ୟର ମଧ୍ୟ ପ୍ରଥମ ଟୀକା ପ୍ରଣୟନ କରିଥିଲେ। ଏହି ଟୀକାର ନାମ ଉଦୟକରୀ। ଏହି ଟୀକାର କେତେକ ପୋଥି ମଧ୍ୟ ପୂର୍ବତନ ବମ୍ବେ ପ୍ରଦେଶରୁ ମିଳିଥିଲା।

ଆଚାର୍ଯ୍ୟ ଗୋବର୍ଦ୍ଧନ ମହର୍ଷି ବାଲ୍ମୀକି, ମହର୍ଷି ବ୍ୟାସ, ମହାକବି ଗୁଣାଢ଼୍ୟ, ମହାକବି କାଳିଦାସ, ମହାକବି ଭବଭୂତି, ମହାକବି ବାଣଭଟ୍ଟଙ୍କ, ସ୍ୱତୀତ ବୃହସ୍ପତିପ୍ରତିମ ପଣ୍ଡିତ ନୀଳାମ୍ବରଙ୍କ ସ୍ତୁତି ଗାନ କଲା ପରେ ଜନୈକ ସେନକୁଳତିଳକ ଭୂପତିଙ୍କ ପ୍ରଶଂସା କରିଛନ୍ତି। ଏହି ପଦଦ୍ୱାରା ବଙ୍ଗର ସେନବଂଶୀୟ ରାଜା ଲକ୍ଷ୍ମଣସେନ ସୂଚିତ ହେଉଥିବାର କେତେକ ଐତିହାସିକ ଅବିଚାରିତ ଭାବରେ ମତ ପ୍ରକାଶ କରିଛନ୍ତି। କିନ୍ତୁ ଏହି ମତ ଆଦୌ ଗ୍ରହଣୀୟ ନୁହେଁ; କାରଣ (୧) ଲକ୍ଷ୍ମଣସେନଙ୍କ ସିଂହାସନ ଆରୋହଣ ସମୟ ପୂର୍ବରୁ “ଆର୍ଯ୍ୟାସପ୍ତଶତୀ’ ରଚିତ ହୋଇ ସାରିଥିଲା। (୨) ଲକ୍ଷ୍ମଣସେନ କୌଣସି ଗ୍ରନ୍ଥ ରଚନା କରି ପ୍ରସିଦ୍ଧି ଲାଭ କରିନଥିବାରୁ ଗୋବର୍ଦ୍ଧନଙ୍କଦ୍ୱାରା ବନ୍ଦିତ ସ୍ୱନାମଧନ୍ୟ ପୂର୍ବାଚାର୍ଯ୍ୟମାନଙ୍କ ପର୍ଯ୍ୟାୟଭୁକ୍ତ ହେବା ପାଇଁ ଆଦୌ ଯୋଗ୍ୟ ନୁହନ୍ତି। ଗୋବର୍ଦ୍ଧନଦ୍ୱାରା ସେନକୁଳତିଳକ ଭୂପତି ପଦଦ୍ୱାରା ପ୍ରସିଦ୍ଧ “ସେତୁବନ୍ଧ’ କାବ୍ୟର ପ୍ରଣେତା ପ୍ରବରସେନ ଯେ ଲକ୍ଷିତ ହୋଇଛନ୍ତି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ସପ୍ତମ ଶତାବ୍ଦୀରେ ଆବିର୍ଭୂତ ଆଚାର୍ଯ୍ୟ ଦଣ୍ଡୀ ଓ ମହାକବି ବାଣଭଟ୍ଟ ସେତୁବନ୍ଧ କାବ୍ୟ ଓ ତାର ପ୍ରଣେତା ପ୍ରବରସେନଙ୍କ ଭୂୟସୀ ପ୍ରଶଂସା କରିଛନ୍ତି; ଯଥା

“”ସେତୁରୂପେଣ ତିଷ୍ଠନ୍ତୋ ଲୋକେ ସଦବସ୍ତୁଦର୍ଶିନଃ ଷଟ୍ପଞ୍ଚାଶତପ୍ରମାଣତ୍ୱଂ ଗତା ନଃ କବିପୁଙ୍ଗବାଃ।” (ଦଣ୍ଡୀଙ୍କ ଅବନ୍ତୀସୁନ୍ଦରୀ କଥା)

“”କୀର୍ତ୍ତିପ୍ରବରସେନସ୍ୟ ପ୍ରୟାତା କୁମୁଦୋଜ୍ଜ୍ୱଳା ସାଗରସ୍ୟ ପରଂ ପାରଂ କପିସେନୈବ ସେତୁନା।” (ବାଣଭଟ୍ଟ କୃତ ହର୍ଷଚରିତ)

ମହାକବି ବାଣଭଟ୍ଟ “ସେତୁବନ୍ଧ’ କାବକୁ କୁମୁଦୋଜ୍ଜ୍ୱଳା କୀର୍ତ୍ତି ବୋଲି ବର୍ଣ୍ଣନା କଲେ। ଆଚାର୍ଯ୍ୟ ଗୋବର୍ଦ୍ଧନ ତାଙ୍କୁ ଅନୁସରଣ କରି ପ୍ରବରସେନଙ୍କୁ କୁମୁବନବନେ୍ଧା ପ୍ରବନ୍ଧସ୍ୟ ତାତ ବୋଲି ଲେଖିଲେ। ତେଣୁ “ଆର୍ଯ୍ୟାସପ୍ତଶତୀ’ର କବି ପ୍ରଶସ୍ତିରେ ସେନ ଶବ୍ଦ ଲେଖି ଟାଣିଓଟାରି ତାଙ୍କୁ ଲକ୍ଷ୍ମଣସେନ ବୋଲି ପ୍ରଚାର କରୁଥିବା ସୁଧୀଗଣ ପ୍ରଖ୍ୟାତଯଶା ସେତୁବନ୍ଧ କାବ୍ୟର ପ୍ରଣେତା ପ୍ରବରସେନଙ୍କ “କୁମୁଦୋଜ୍ଜ୍ୱଳା କୀର୍ତ୍ତି’ର ବିନାଶକାରୀ ରୂପେ ବିବେଚିତ ହେବେ।

ଉପଯୁକ୍ତ ପ୍ରମାଣ ବଳରେ ନିଃସନ୍ଦେହରେ କୁହାଯାଇପାରେ ଯେ ମହାକବି ଆଚାର୍ଯ୍ୟ ଗୋବର୍ଦ୍ଧନ ଓ କବୀନ୍ଦ୍ର ଉଦୟନ ଆଚାର୍ଯ୍ୟ ଶ୍ରୀକ୍ଷେତ୍ରବାସୀ ଥିଲେ ଏବଂ ସେମାନଙ୍କ ମହନୀୟ କୃତିଦ୍ୱାରା ସଂସ୍କୃତ ସାହିତ୍ୟଭଣ୍ଡାରକୁ ସମୃଦ୍ଧ କରିଥିଲେ।

କବିରାଜ ଶ୍ରୀ ଜୟଦେବ–

ଭବଭୂତି, ମୁରାରି ପ୍ରଭୃତି ମହାକବିମାନଙ୍କ ପଦାଙ୍କ ଅନୁସରଣ କରି ପ୍ରାଚୀକୂଳବର୍ତ୍ତୀ “”କେନ୍ଦୁବିଲ୍ୱସମୁଦହ ସମ୍ଭବରୋହିଣୀରମଣ” ବା କେନ୍ଦୁବିଲ୍ୱ ଶାସନର ଗୌରବବର୍ଦ୍ଧନକାରୀ କବି ପଣ୍ଡିତ ପରମ ବୈଷ୍ଣବ ଶ୍ରୀ ଜୟଦେବ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରାୟ ଅମରକୃତି ଶ୍ରୀ ଗୀତଗୋବିନ୍ଦ ରଚନା କରିଥିଲେ। ପ୍ରସିଦ୍ଧ ମୈଥିଳ ପଣ୍ଡିତ ଚନ୍ଦ୍ରଦତ୍ତ ତଦୀୟ ବହୁପ୍ରଶଂସିତ “ଭକ୍ତମାଂଳା’ ଗ୍ରନ୍ଥରେ ଏହା ବଜ୍ରନିର୍ଘୋଷରେ ଘୋଷଣା କରିଛନ୍ତି।

ଯଥା-

“”ତଦାରଭ୍ୟାତିଭକ୍ତ୍ୟା ବୈ ପତ୍ନ୍ୟାସହ ହରିଂ ଭଜନ୍

ଗାୟନ ବୈ ଗୀତଗୋବିନ୍ଦଂ ତୋଷୟାମାସକେଶବମ୍।

ନିର୍ମାୟ ଗୀତଗୋବିନ୍ଦପୁସ୍ତକଂ ପୁରୁଷୋତ୍ତମେ

ନିବେଦ୍ୟ କୃତକୃତ୍ୟୋଽଭୂଜ୍ଜୟଦେବୋ ମହାମନାଃ।

(ଭକ୍ତମାଳା, ଏକୋନଚତ୍ୱାରିଂଶ ସ୍ୱର୍ଗ)

ଶ୍ରୀଗୀତଗୋବିନ୍ଦର ସୂକ୍ଷ୍ମାଲୋଚନାଦ୍ୱାରା ପଣ୍ଡିତ ଚନ୍ଦ୍ରଦତ୍ତଙ୍କ ବିବୃତିର ସତ୍ୟତା ପ୍ରତିପାଦିତହୁଏ। ଶ୍ରୀ ଜୟଦେବ ମଙ୍ଗଳାଚରଣ ଓ ଗ୍ରନ୍ଥ ପ୍ରଶସ୍ତିଗାନ ପରେ “ଦରବାର ସ୍ଥିତି’ ବର୍ଣ୍ଣନାତ୍ମକ ସ୍ୱୀୟ ପ୍ରସିଦ୍ଧ ପ୍ରଥମ ଗୀତର ପ୍ରତ୍ୟେକ ପଦରେ ଜଗଦୀଶ ବା “ସର୍ବଲୋକୈକନାଥଂ’ ଜଗନ୍ନାଥଙ୍କ ଅନୁଗ୍ରହ ଭିକ୍ଷା କରିଛନ୍ତି। ଏହି ଗୀତର ଧୁ୍ରବପଦ ରୂପେ ବ୍ୟବହୃତ “ଜୟ ଜଗଦୀଶ ହରେ’ରେ ଜଗଦୀଶ ପଦଦ୍ୱାରା ପ୍ରଭୁ ଜଗନ୍ନାଥ ହିଁ ଲକ୍ଷିତ। ମାନ୍ଦ୍ରାଜସ୍ଥ “ପ୍ରାଚ୍ୟ ଭାଷା ପୁସ୍ତକାଗାରରୁ (Oriental Manuscripts Library) ଆନୀତ “ସଂଗ୍ରହଦୀପିକା’ ନାମ୍ନୀ ଶ୍ରୀ ଗୀତଗୋବିନ୍ଦର, କ ପ୍ରାଚୀନ ଟୀକାରେ ଏହି ଅର୍ଥର ସ୍ପଷ୍ଟ ଉଲ୍ଲେଖ ଦେଖାଯାଏ। ଯଥା- “”ହେ ଜଗଦୀଶ, ହେ ଜଗନ୍ନାଥ, ହେ ହରେ, ଜୟ ଦୁଷ୍ଟନିଗ୍ରହଂ ନିଷ୍ଟପରିପାଳନଂ କୁରୁ କ୍ରମପ୍ରାପ୍ତମବତାରଂ ପ୍ରସ୍ତୌତି।” ପ୍ରଥମ ଗୀତ ପରି ଦ୍ୱିତୀୟ ଗୀତର ଧ୍ରୁବପଦ ରୂପେ ବ୍ୟବହୃତ “ଜୟ ଜୟ ଦେବ ହରେ’ରେ ମଧ୍ୟ ହରି ବା ଶ୍ରୀ ଜଗନ୍ନାଥଙ୍କ ମହିମା କୀର୍ତ୍ତିତ ହୋଇଅଛି। ଗୀତ ଶେଷରେ କବି ଭକ୍ତିବିନମ୍ର ଚିତ୍ତରେ ଗାଇଛନ୍ତି- ହେ “”ଶ୍ରୀମୁଖଚନ୍ଦ୍ରଚକୋର”, ବା ଲକ୍ଷ୍ମୀଙ୍କ ମୁଖଚନ୍ଦ୍ର ପରି ଚକୋର ତୁଲ୍ୟ ସଲାଳସ ଦୃଷ୍ଟିପାତକାରୀ ପ୍ରଭୁ ଜଗନ୍ନାଥ, ଆମ୍ଭେମାନେ ତୁମ୍ଭର ଚରଣପଦ୍ମରେ ପ୍ରଣତି ହେଉଅଛୁ। ଆପଣ ଆମ୍ଭମାନଙ୍କ ମଙ୍ଗଳ ବିଧାନ କରନ୍ତୁ।” ତତ୍ପରବର୍ତ୍ତୀ ପଦରେ ଭକ୍ତକବି ପୁନର୍ବାର ପ୍ରାର୍ଥନା କରିଛନ୍ତି- “ହେ ପ୍ରଭୁ, ମୋଦ୍ୱାରା ବିରଚିତ ଏହି ଉଜ୍ଜ୍ୱଳ ବା ଶୃଙ୍ଗାରରସାଶ୍ରିତା ଓ ମଙ୍ଗଳ ବା ମଙ୍ଗଳଦାୟିନୀ ଗୀତିସମୂହ ଶ୍ରୋତୃବର୍ଗଙ୍କ ଆନନ୍ଦ ବର୍ଦ୍ଧନ କରୁ।” ଯଥା-

“”ତବ ଚରଣେ ପ୍ରରତା ବୟମିତିଭାବୟ କୁରୁକୁଶଳଂ ପ୍ରଣତେଷୁ

ଶ୍ରୀ ଜୟଦେବକବେରିଦଂ କୁରୁତେମୁଦଂ ମଙ୍ଗଳମୁଜ୍ଜ୍ୱଳଗୀତି।”

ମହାକବି ମୁରାରି ସୁନାଟକର ଅଭିନୟ ପ୍ରଦର୍ଶନ ପୂର୍ବରୁ “କମଳା-କୁଚ-କଳସ-କେଳି-କସ୍ତୁରିବା ପତ୍ରାଙ୍କୁର ଭଗବାନ ଶ୍ରୀ ପୁରୁଷୋତ୍ତମ’ ବା ଜଗନ୍ନାଥଙ୍କ ସ୍ତୁତି ଗାନ କଲା ପରି ପରମବୈଷ୍ଣବ ଶ୍ରୀ ଜୟଦେବ ସ୍ୱକୃତ ମହାକାବ୍ୟର ଉପଜୀବ୍ୟ ବିଷୟ “ରାଧା-ମୁରାରି-ରମଣୀୟ-ରହସ୍ୟ-ଲୀଳା’ର ପରିବେଷଣ ପୂର୍ବରୁ ପ୍ରଗାଢ଼ ଆଲିଙ୍ଗନ ଫଳରେ କ୍ଷ୍ମୀଙ୍କ ସ୍ତନତଟର କୁଙ୍କୁମଦ୍ୱାରା ଯାହାର ବକ୍ଷସ୍ଥଳ ଚିହ୍ନିତ ଏବଂ ଏବଂବିଧ କୁଙ୍କୁମ ଚିହ୍ନ ଯାହାଙ୍କ ଅନ୍ତରର ଅନୁରାଗର ବହିଃପ୍ରକାଶ, ସେହି ମଦନସନ୍ତାପଜନିତ ସ୍ୱେଦଧାରା ଆଦ୍ରିତ ମଧୁସୂତନ ବା ଜଗନ୍ନାଥଙ୍କୁ ଶ୍ରୋତୃବର୍ଗଙ୍କୁ ଅନୁଗ୍ରହ ପ୍ରଦର୍ଶନ ପାଇଁ ପ୍ରାର୍ଥନା କରିଛନ୍ତି। ଯଥା-

“”ପଦ୍ମାପୟୋଧରତଟୀପରିରମ୍ଭଲଗ୍ନ କାଶ୍ମୀର ମୁଦ୍ରିତମୁରୋ ମଧୁସୂଦନସ୍ୟ।

ବ୍ୟକ୍ତାନୁରାଗମିବ ଖେଳଦନଙ୍ଗଖେଦ ସ୍ନେଦାମ୍ବୁପୂରମ ପୂରୟତୁ ପ୍ରିୟଂ ବଃ।”

ସେ ତାଙ୍କର ସପ୍ତଦଶ ଗୀତ ଶେଷରେ ଶ୍ରୀକୃଷ୍ଣଙ୍କ ମଧୁର ଲୀଳା ସ୍ୱାଦନାଭିଳାଷୀ ପଣ୍ଡିତମାନଙ୍କୁ ଅମୃତଠାରୁ ଅôଧକ ମଧୁର ଓ ସ୍ୱର୍ଗଠାରୁ ଅଧିକ ଦୁର୍ଲଭ ଖଣ୍ଡିତା ନାୟିକା ଶ୍ରୀରାଧାଙ୍କ ବିଳାପ ସଙ୍ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି। କବିରାଜ-ରାଜ ଶ୍ରୀଜୟଦେବ ପଦ୍ମାବତୀଙ୍କର ଆନନ୍ଦବର୍ଦ୍ଧନକାରୀ ଏକବିଂଶ ଗୀତରେ ଜଗତର ସର୍ବବିଧ ମଙ୍ଗଳବିଧାନ ପାଇଁ ମୁରାରି ବା ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି।

“”ବିହିତ-ପଦ୍ମାବତୀ-ସୁଖସମାଜେକୁରୁମୁରାରେ ମଙ୍ଗଳ ଶତାନି

ଭଣତି ଜୟଦେବ-କବିରାଜ-ରାଜେ।”

“”କଳିକଳୁଷଜ୍ୱରଖଣ୍ଡନ’ ଶ୍ରୀହରିଚରଣ ସସ୍ମଣରୂପକ ଅମୃତରେ ଅଭିସେଚିତ ଜୟଦାୟକ ତାଙ୍କର ଶେଷ ଗୀତଟି ଭକତମାନଙ୍କ ଅଳଙ୍କାର ସ୍ୱରୂପ। ସ୍ୱକୃତ ୨୪ଟି ଗୀତ ଗାନ କଲା ପରେ ଶ୍ରୀକୃଷ୍ଣଙ୍କ ଏକାନ୍ତ ଭକ୍ତ କବି ପଣ୍ଡିତ ଜୟଦେବ ସଂଗୀତଶାସ୍ତ୍ରୋକ୍ତ ରାଗତାଳାଦିର ଜ୍ଞାନାର୍ଜନ, ବୈଷ୍ଣବତତ୍ତ୍ୱର ଅନୁଧ୍ୟାନ ଏବଂ ଶୃଙ୍ଗାରରସାଶ୍ରିତ କାବ୍ୟସମୂହର୍ଚ୍ଚାରେ ନୈପୁଣ୍ୟ ଲାଭ ନିମିତ୍ତ ତତ୍କୃତ ଶ୍ରୀଗୀତଗୋବିନ୍ଦକୁ ଆନନ୍ଦଚିତ୍ତରେ ଅନୁଶୀଳନ କରିବା ପାଇଁ ଅନୁରୋଧ କରିଛନ୍ତି।

ସଂଗୀତ ସାହିତ୍ୟରସାଭିଜ୍ଞ ପଣ୍ଡିତମଣ୍ଡଳୀ, ଶ୍ରୀହରିପଦପଙ୍କଜାଶ୍ରିତ ଭକ୍ତବୃନ୍ଦ ଓ ଶୃଙ୍ଗାରରସପ୍ରେମୀ ରସିକମାନଙ୍କ ମଧୁର ସମାବେଶ କୌଣସି ରାଜସଭାରେ ସମ୍ଭବପର ନୁହେଁ। ଏହା କେବଳ ସମ୍ଭବପର ସର୍ବପୁରାଣକୀର୍ତ୍ତିତ ସକଳ ବୈଷ୍ଣବ ସଂପ୍ରଦାୟର ପ୍ରାଣକେନ୍ଦ୍ର, ମର୍ତ୍ତ୍ୟବୈକୁଣ୍ଠ ଶ୍ରୀକ୍ଷେତ୍ରସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ। ଶ୍ରୀଗୋବିନ୍ଦ ବା ଶ୍ରୀଜଗନ୍ନାଥଙ୍କ ନିକଟରେ ଗୀତ ହେବା ପାଇଁ ଏହା ରଚିତ ହୋଇଥିବାରୁ “ଶ୍ରୀହରିପ୍ରବଣ’, “ଶ୍ରୀହରିସେବକ’, “ଶ୍ରୀହରିଚରଣଶରଣ’, “ଶ୍ରୀହରିବିନିହିତଚିତ୍ତ’ ଭକ୍ତକବି ଶ୍ରୀ ଜୟଦେବ ଯଥାର୍ଥରେ ସ୍ୱୀୟ ଅମର କୃତିର ନାମ ଦେଇଥିଲେ “ଶ୍ରୀ ଗୀତଗୋବିନ୍ଦମ୍’। “ଗୀତାଜ୍ଞା’, “ଲୟତାନନର୍ତ୍ତନକଳାକୁଶଳିନୀ’ ତାଙ୍କର ପ୍ରାଣପ୍ରିୟା ପ୍ରେୟସୀ ପଦ୍ମାବତୀ ଗୀତଗୁଡ଼ିକର ରଚନା ଓ ଗାନରେ ତାଙ୍କର ପ୍ରଧାନ ସହାୟିକା ଥିବାରୁ କବି ନିଜକୁ “ପଦ୍ମାବତୀ-ଚରଣ-ଚାରଣ-ଚକ୍ରବର୍ତ୍ତୀ’ ବୋଲି ଅଭିହିତ କରି ଗର୍ବ ଓ ଗୌରବ ଅନୁଭବ କରିଥିଲେ। ସେ ମୁକ୍ତକଣ୍ଠରେ ସ୍ୱୀକାର କରିଥିଲେ ତାଙ୍କ ଗୀତ “ବିହିତ-ପଦ୍ମାବତୀ-ସୁଖସମାଜ’ ବା ପଦ୍ମାବତୀଙ୍କ ଆନନ୍ଦବର୍ଦ୍ଧନକାରୀ। ଏହି କବି ଦମ୍ପତିଙ୍କ ଦୀର୍ଘ ଅବସ୍ଥାନ ଯୋଗୁଁ ଶ୍ରୀକ୍ଷେତ୍ରର ଗୌରବ ବୃଦ୍ଧିଲାଭ କରିଥିଲା। ସମଗ୍ର ଭାରତରେ ଶ୍ରୀଗୀତଗୋବିନ୍ଦର କ୍ଷିପ୍ର ପ୍ରସାର ଫଳରେ ଭକ୍ତକବିଙ୍କ ପରମାରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ମାହାତ୍ମ୍ୟ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହୋଇଗଲା।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top