ଓଡ଼ିଶା

ସଂସ୍କାରବାଦୀ ସଂଗଠନ “ଆମୋଫୋଇ” ଓ “ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ” ପକ୍ଷରୁ ନାରୀନେତ୍ରୀ “ନନ୍ଦିନୀ ଶତପଥୀ ଜୟନ୍ତୀ” ଓ ଜାତି-ଜାତକ-ଯୌତୁକଶୂନ୍ୟ ବିବାହ ଆନ୍ଦୋଳନର ୪୪ତମ ବାର୍ଷିକୀ ପାଳିତ : ଜାତିପ୍ରଥାର ବିଲୋପ ପାଇଁ ଆହ୍ୱାନ

ଭୁବନେଶ୍ୱର ୦୯/୬(ଓଡ଼ିଆ ପୁଅ): ସମାଜ ସଂସ୍କାରବ୍ରତୀ “ଆମୋଫୋଇ” ଓ “ମୁକ୍ତଚିନ୍ତନବାଦୀ” ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ମିଳିତ ଉଦ୍ୟମରେ ଓଡ଼ିଶା ରାଜ୍ୟର ବିଶିଷ୍ଟ ନାରୀନେତ୍ରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୭ତମ ଜନ୍ମଜୟନ୍ତୀ ଉତ୍ସବ ସହିତ ଜାତି-ଜାତିକ-ଯୌତୁକବିହୀନ ପ୍ରେମ ବିବାହ ଆନ୍ଦୋଳନର ୪୪ତମ ବାର୍ଷିକୀ ସ୍ଥାନୀୟ ଧର୍ମବିହାରସ୍ଥିତ “କୋପରନିକସ୍ ଭବନ”ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।

ଉତ୍ସବରେ ଅଧ୍ୟକ୍ଷତା କରି ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ସଭାପତି ଡ଼. ବିଜୟାନନ୍ଦ କର କହିଲେ ଯେ : ଶ୍ରୀମତୀ ନନ୍ଦିନୀଦେବୀଙ୍କର ଏକ ପ୍ରଶଂସନୀୟ ନିର୍ଭୀକ ବ୍ୟକ୍ତିତ୍ୱ ଥିଲା। ଜରୁରୀକାଳୀନ ଅବସ୍ଥାରେ ମୁଖ୍ୟମନ୍ତ୍ରୀ ଭାବେ ସେ ତାଙ୍କର ଅମୂଲ୍ୟ ବ୍ୟକ୍ତିତ୍ୱର ପରାକାଷ୍ଠା ଦେଖାଇ ଦେଇ ଯାଇଛନ୍ତି। “ସଂବିଧାନ-ବର୍ହିଭୂତ କ୍ଷମତାକେନ୍ଦ୍ର”ରୂପେ ଖ୍ୟାତ ଶ୍ରୀମତୀ ଇନ୍ଦିରାଗାନ୍ଧିଙ୍କ ପୁତ୍ର ସଂଜୟ ଗାନ୍ଧିଙ୍କ ନିକଟରେ ନତମସ୍ତକ ହେବାକୁ ନନ୍ଦିନୀଦେବୀ ମନାକରି ଦେଇଥିଲେ। ମୁଖ୍ୟମନ୍ତ୍ରୀ ପଦବୀ ତାଙ୍କ ପାଇଁ ତୁଚ୍ଛ ଥିଲା। କ୍ଷମତାରେ ଥିଲାବେଳେ “ସୂଚନା-ପ୍ରାପ୍ତି” ଉପରେ ସେ ଗୁରୁତ୍ୱ ଦେଉଥିଲେ ଏବଂ ସେ କହୁଥିଲେ : ସୂଚନା ହିଁ ଶକ୍ତି (ଇନ୍ ଫରେମେସନ୍ ଇଜ୍ ପାୱାର)। ଏଜି ଛକରେ ଥିବା ବିଶାଳକାୟ ସୂଚନା ଭବନ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କର ଏକ ଅମୂଲ୍ୟ କୀର୍ତ୍ତି ବୋଲି ଡ଼କ୍ଟର କର ତାଙ୍କ ଭାଷଣରେ ଦର୍ଶାଇଥିଲେ।

୪୪ବର୍ଷ ତଳେ ନନ୍ଦିନୀ ଶତପଥୀଙ୍କ ଜନ୍ମ ତିଥିରେ ସଭା ଜରିଆରେ, ଫୁଲମାଳ ଆଦାନପ୍ରଦାନରେ ଜାତି-ଜାତକ-ଯୌତୁକଶୂନ୍ୟ ପ୍ରେମବିବାହ ସଂପାଦିତ ହୋଇଥିଲା କୁମାରୀ ସ୍ୱପ୍ନା ବିଜୟିନୀ ଓ ଅଧ୍ୟାପକ ବି.ରାମଚନ୍ଦ୍ର ସିଏସ୍ ଟି ଭୋଲଟେୟାରଙ୍କ ମଧ୍ୟରେ। ସଭାସ୍ଥଳୀ ଥିଲା ସମ୍ବଲପୁର ଟାଉନ୍ ଏନ୍ -ଗୁହାଲେନ୍ ରେ। ଏହି ଦମ୍ପତିଙ୍କ ଉଦ୍ୟମକ୍ରମେ ପ୍ରତିଷ୍ଠା କରାଯାଇଥିବା “ଆମୋଫୋଇ” ମାଧ୍ୟମରେ ୭୬୯୬ଟି ଅଣପାରମ୍ପରିକ ବାଣ-ବାଜା-ଭୋଜିଭାତବିହୀନ ପ୍ରେମବିବାହ ଅନୁଷ୍ଠିତ ହୋଇଯାଇଛି।

“ଜାତିପ୍ରଥାର ନିର୍ମୂଳନ ପାଇଁ ସାଙ୍ଗିଆବିହୀନ ନାମ, ପଇତାବିହୀନ କାନ୍ଧ, ପ୍ରାର୍ଥନାବିହୀନ ଇଂରାଜୀ ମାଧ୍ୟମ ଶିକ୍ଷା, ଫ୍ରି-ରେଜିଷ୍ଟ୍ରେନ ଅଫ୍ ପ୍ରିଷ୍ଟ୍ ଲେସ୍ ଲଭ୍ ମ୍ୟାରେଜ୍ ଅଫିସ୍ ଗ୍ରାମପଞ୍ଚାୟତ ସ୍ତରରେ ସାରା ଭାରତରେ ରହିବା ଦରକାର” ଶୀର୍ଷକ ଆଲୋଚନା ଚକ୍ରକୁ ଉଦ୍ ଘାଟନ କରି ଉତ୍ସବର ମୁଖ୍ୟ ଅତିଥି ତଥା ଓଡ଼ିଶା ଦଳିତ ଅଧିକାର ମଂଚର ସଭାପତି ଶ୍ରୀଯୁକ୍ତ ମାନସ ଜେନା କହିଲେ ଯେ : ବାସ୍ତବରେ ଜାତିପ୍ରଥାର ବିଲୋପ ପାଇଁ ପ୍ରେମବିବାହ ହିଁ ଅପରିହାର୍ଯ୍ୟ ଓ ପ୍ରେମବିବାହ ବିନା ଜାତିପ୍ରଥା ଖତମ କରିବା ଅସମ୍ଭବ।

ଉକ୍ତ ଆଲୋଚନାଚକ୍ରରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ “ଆମୋଫୋଇ” ପ୍ରତିଷ୍ଠାତା ବି.ରାମଚନ୍ଦ୍ର ସିଏସ୍ ଟି ଭୋଲଟେୟାର। ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଇନଜୀବୀ ଦେବଦର୍ଶୀ ନାୟକ, ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ଉପସଭାପତି ହରିଶ୍ଚନ୍ଦ୍ର କର, ଆମ୍ବେଦକରବାଦୀ ବୁଦ୍ଧିଜୀବୀ ମଧୁସୂଦନ ଯାଦବ, “ଆମୋଫୋଇ” ସହପ୍ରତିଷ୍ଠାତା ଶ୍ରୀମତୀ ସ୍ୱପ୍ନା ବିଜୟିନୀ ପ୍ରମୁଖ ନିଜର ନିଜର ସୁଚିନ୍ତିତ ମତାମତ ଦେବାକୁ ଯାଇ କହିଥିଲେ ଯେ ଜାତିପ୍ରଥା ନହଟିଲେ ଭାରତ ଏକ ଆଧୁନିକ ରାଷ୍ଟ୍ରର ମର୍ଯ୍ୟାଦା ଲାଭ କରି ପାରିବ ନାହିଁ। କନ୍ଧମାଳ ଜିଲ୍ଲା ଟୀକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ଏରିଆର ୨୦-ବର୍ଷିଆ କନ୍ଧ ଯୁବତୀ ସଂଗୀତା କଅଁରଙ୍କ ଦୀର୍ଘଦିନର ପ୍ରେମିକ ଦଳିତ ଯୁବକ ସୁଜିତ୍ ଡ଼ିଗଲଙ୍କ (୨୦) ସହିତ ଲିଭ୍ -ଇନ୍ -ରିଲେସନ୍ ସିପ୍ କୁ ସଭାରେ ସ୍ୱାଗତ କରାଯାଇଥିଲା ଏବଂ ଏଥିପାଇଁ ଦଳିତ ପାଣ ଯୁବକ ସୁଜିତ୍ ଡ଼ିଗଲ୍ ଙ୍କ ଘରଦ୍ୱାରକୁ ପୋଡ଼ିଦେବା ପାଇଁ ସଂଗୀତା କଅଁରଙ୍କ ଘରଲୋକେ ଯେଉଁ ଧମକ ଦେଉଛନ୍ତି ତା’ର ନିନ୍ଦା କରାଯାଇଥିଲା। ପୋଲିସ୍ ପକ୍ଷରୁ ଲିଭ୍ -ଇନ୍ -ରିଲେସନ୍ ସିପ୍ ରେ ଥିବା ସଂଗୀତା କଅଁର ଓ ସୁଜିତ ଡ଼ିଗଲ୍ ଙ୍କୁ ଶତପ୍ରତିଶତ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top