ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଚାଷ ମାମଲା ପାଞ୍ଚ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ

ବୌଦ୍ଧ, ୨୯ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ରୁପଶ୍ରୀ ଚୌଧୁରୀ ଏକ ଗଞ୍ଜେଇ ଚାଷ ମାମଲାକୁ ବିଚାର କରି ପାଞ୍ଚ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାରୁ ପ୍ରକାଶ ଯେ ଗତ ୪.୧୨.୧୫ତାରିଖରେ ମନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ, ଥାନାର ଝଗୁଡୁଗାଡିଆ ଗ୍ରାମ୍ୟ ନିକଟସ୍ଥ ପଞରା ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହୋଇଛି ଓ ଉକ୍ତ ଗଞ୍ଜେଇ ଗୁଡିକ ଅମଳ ଯୋଗ୍ୟ ହେବାକୁ ବସିଛି। ଏ ନେଇ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଗତ ୫.୧୨.୧୫ ରିଖରେ ଏକଜୁଟିଭ ମାଜିଷ୍ଟ୍ରେଟ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଉକ୍ତ ଜଙ୍ଗଲ ଉପରେ ଚଢାଉ କରିଥିଲେ। ଚଢାଉ ବେଳେ ଉକ୍ତ ଜଙ୍ଗଲର ଭିତରେ ୩୬ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ଦେଖିବାକୁ ପାଇଥିଲେ। ଜମିରେ ଲାଗିଥିବା ୯୦ ହଜାର ୮୨୫ ଗୋଟି ଗଛ ଗୁଡିକୁ ପୋଲିସ କର୍ମଚାରୀ ମାନେ ଓପାଡି ଦେଇ ନଷ୍ଟ କରି ଦେଇଥିଲେ। ଏହି ସମୟରେ ସେଠାରେ ଝଗୁଡୁଗାଡିଆ ଗ୍ରାମର ଚନ୍ଦ୍ରମଣୀ ଗାଇଗୌରିଆ, ପୁରନ୍ଦର ଗାଇଗୌରିଆ, ବାବୁଲା ଅମାତ, ଲୋକନାଥ ସେଠୀ ଓ ବିଶ୍ୱାମିତ୍ର ଅମାତ ଉକ୍ତ ସ୍ଥାନରେ ଗଞ୍ଜେଇ ଗଛ ମୁଳରୁ ଘାସ ଓପାଡୁଥିବାରୁ ପୋଲିସ ଏମାନଙ୍କ ମଧ୍ୟରୁ ଚନ୍ଦ୍ରମଣି ଓ ପୁରନ୍ଦରକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ମାନେ ଫେରାର ହୋଇଯାଇଥିଲେ। ପୋଲିସ ମନମୁଣ୍ଡା ଥାନା କେସ ନଂ ୨୦୬/୧୫ ତା ୫.୧୨.୧୫ ରେ ଏକ ମାମଲା କରିଥିଲା। ଗଞ୍ଜେଇ ଚାଷ କରି ବିକ୍ରି କରୁଥିବା ନେଇ ଗତ ୬.୧୨.୧୫ ରେ ବିଚାର ପାଇଁ ଗିରଫ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ପରେ ପୋଲିସ ତଦନ୍ତ ସାରି ୫ ଜଣ ଅଭିଯୁକ୍ତଙ୍କ ସଂପୃପ୍ତି ଥିବା ନେଇ ମାମଲାକୁ ବିଚାର ପାଇଁ କୋର୍ଟକୁ ପଠାଇଥିଲା। ଏହି ମାମଲାଟି ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜଙ୍କ ଅଦାଲତରେ ସ୍ପେଶାଲ କେସ ନଂ (୯/୧୬ ) ରେ ହୋଇ ବିଚାର ହୋଇଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ରୁପଶ୍ରୀ ଚୌଧୁରୀ ପ୍ରମାଣ ଅଭାବରୁ ଉକ୍ତ ୫ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷର ଖଲାସ କରିଥିଲେ। ଏହି ମାମଲାଟିକୁ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ମିଶ୍ର ଓ ବିବେକାନନ୍ଦ ଦେହୁରୀ ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *