ସଂଜୀବ ହିରୋ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜିଲ୍ଲା ଶିକ୍ଷାଧିକାରୀ ଓ ସଂଜୀବ ହିରୋ ଆନୁକୁଲ୍ୟରେ ଗତ ମାଟି୍ରକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୪୮ଜଣ ଛାତ୍ରଛାତ୍ରୀ, ସେମାନଙ୍କ ବିଦ୍ୟାଳୟର ଶିକ୍ଷକ ଏବଂ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଟାଉନ ହଲରେ ଆଇନଜୀବୀ ରୋଟାରିଆନ ଅତିଶ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ସମ୍ମାନିତ ଅତିଥି ଭାବେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଭଦ୍ରକ ବ୍ଳକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ ଯୋଗ ଦେଇଥିଲେ। ଉତ୍ସବର ମୁଖ୍ୟ ଆୟୋଜକ ସଂଜୀବ ହିରୋର ନିର୍ଦ୍ଦେଶକ ଯୁବ ଉଦ୍ୟୋଗୀ ସଂଜୀବ ମଲ୍ଲିକ ପ୍ରାରମ୍ଭିକ ସୂଚନା ଦେଇ ହିରୋ ମୋଟୋକର୍ପ କମ୍ପାନୀ ରାଜ୍ୟର ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ବିଭିନ୍ନ ଅଞ୍ଚଳରେ ଏହି ଭଳି ସମ୍ବର୍ଦ୍ଧନା କାର୍ଯ୍ୟ ହାତକୁ ନେଇଛି। ଏହି ପରିପ୍ରେକ୍ଷୀରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାର ସମ୍ଭାବନା ଆଗାମୀ ପୀଢିଙ୍କ ପାଇଁ ଏକ ଶ୍ରେଷ୍ଠ ପ୍ରେରଣା ହେବ ବୋଲି କହିଥିଲେ। ସଂଜୀବ ହିରୋର ଏଭଳି ପୂଜପୂଜାର ସମ୍ମାନକୁ ଅତିଥିମାନେ ଭୂୟସୀ ପ୍ରସଂଶା କରିଥିଲେ। ସମାଜର ସୁରକ୍ଷା ପାଇଁ ସମସ୍ତେ ବ୍ରତୀ ହେବା ସହିତ ବଡ ଲୋକ ନ ହୋଇ ଭଲ ମଣିଷ ହେବାକୁ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ଜିଲ୍ଳାର ୪୮ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଶିକ୍ଷକମାନଙ୍କୁ ଉତ୍ତରୀୟ ଏବଂ ଅଭିଭାବକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରୀତିରଂଜନ ଜେନା, ପ୍ରଣବ ସାହୁ, ସୁରଜିତା ନାୟକ, ପ୍ରଦିପ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଉତ୍ସବରେ ବହୁ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ହୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *