ସଂଘବଦ୍ଧ ଆକ୍ରମଣ ଘଟଣାରେ ଦୁଇ ନାବାଳକ ସମେତ ୪ଗିରଫ

ପୁରୀ, ୧୮/୧୧ (ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ): ସମୁଦ୍ରକୂଳ ଥାନା ଅନ୍ତର୍ଗତ ସୋଲାଖିଆ ବରଗଛ ନିକଟରେ ଗତ ୧୨ତାରିଖରେ ବଳିଆ ଓରଫ୍ ସୂର୍ଯ୍ୟନାରାୟଣ ଦାସଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୨ଜଣ ନାବାଳକ ସମେତ ୪ଜଣଙ୍କୁ ଗିରଫ କରାଯାଇଥିବା ଏସ୍ପି ସାର୍ଥକ ଷଡଙ୍ଗୀସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ତିଆଡି ସାହିର ଲୋଟନ ଓରଫ୍ ବାବୁଲି ମଲ୍ଲିକ ଏବଂ ହାଡବାହି ଠାକୁରାଣୀଙ୍କ ମନ୍ଦିର ନିକଟରେ ରାମହରି ଓରଫ୍ ଦେବାଶିଷ ସାହୁ ଆକ୍ରମଣ ଘଟଣାରେ ଦୁଇଟି ଖଣ୍ଡା ଏବଂ ଦୁଇଟି ମୋଟର ସାଇକେଲ ଜବତ ହୋଇଛି। ଅଟୋ ବ୍ୟବସାୟୀକୁ କେନ୍ଦ୍ର କରି ୬/୭ଜଣ ଦୁର୍ବୁତ୍ତ ବଳିଆକୁ ଖଣ୍ଡା ଯୋଗେ ଗୋଡେଇ ଗୋଡେଇ ହାଣିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୁଇବର୍ଷ ତଳେ ରବି ମଲ୍ଲିକ ଓ ସୂର୍ଯ୍ୟନାରାୟଣ ସାହୁଙ୍କ ମଧ୍ୟରେ ତିକ୍ତତା ଲାଗିଥିଲା। ଏଭଳିକି ରବିଙ୍କ ଅଟୋକୁ ସୋଲାଖିଆ ବରଗଛ ନିକଟରେ ପାର୍କିଂ କରିଥିବା ସଂଘର ସମ୍ପାଦକ ସୁଯୋଗ ଦେଉନଥିଲେ। ପ୍ରତିଶୋଧ ପରାୟଣ ହୋଇ ରବିଙ୍କ ପୁଅ ଓ ଅନ୍ୟ ଦୁର୍ବୁତ୍ତ ଗତ ୧୨ତାରିଖ ଅପରାହ୍ନରେ ବଳିଆଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିଲେ ବୋଲି ଏସ୍ପି ପ୍ରକାଶ କରିଥିଲେ। ସମ୍ମିଳନୀରେ ଅତିରିକ୍ତ ଏସ୍ପି ଜଗନ୍ନାଥ ପ୍ରଧାନ, ଧିରେନ ନନ୍ଦ, ଏସ୍ଡିପିଓ ଅଲ୍ଲେଖ ଚନ୍ଦ୍ର ପହି, ସିଟି ଡିଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ, ସମୁଦ୍ରକୂଳ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *