ସଂକଟରେ ଚାଷୀ, ନିଦା ବିଷ୍ଣୁ ସାଜିଛନ୍ତି ରାଜ୍ୟ ସରକାର ଚାଷୀ ସମସ୍ୟାକୁ ନେଇ ଆସନ୍ତା ୨୧ରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରିବ ବିଜେପି

ଭଦ୍ରକ, ୭ା୧୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାଜ୍ୟରେ କୃଷି ଓ କୃଷକମାନଙ୍କ ସମସ୍ୟା ଜଟିଳ ରୂପ ଧାରଣ କରୁଥିବା ସ୍ଥଳେ ଦୀର୍ଘ ୧୭ ବର୍ଷର ବିଜେଡି ସରକାର ନିଦାବିଷ୍ଣୁ ସାଜି କେବଳ ଭାଷଣବାଜିରେ କେନ୍ଦ୍ରୀୟ ଅବହେଳାର ଭୁଆଁ ବୁଲେଇ ସର୍ବ ସମ୍ମୁଖରେ ନିଜକୁ ଦୋଷଛଡା କରାଉଅଛି । ରାଜ୍ୟରେ ଚାଷୀ ମଡକ ପରେ ବିଜେଡି ସମବେଦନା ପ୍ରକାଶ କରିବା ବଦଳରେ ରାଜ୍ୟ କୃଷି ମନ୍ତ୍ରୀଙ୍କ ଚାଷୀକୂଳ ପ୍ରତି ତାତ୍ସଲ୍ୟ ବୟାନ ନବୀନ ସରକାରଙ୍କୁ ଚାଷୀ ବିରୋଧି ବୋଲି ପ୍ରମାଣିତ କରି ସାରିଛି । ସରକାର ନକଲି ବିହନ ପରେ ନକଲି କୀଟନାଶକ ଯୋଗାଣ କରିଥିବା ନେଇ ପ୍ରମାଣିତ ହେବା ପରେ ଏବେ ନକଲି କ୍ଷତିଗ୍ରସ୍ତ ଚାଷୀ ତାଲିକା ପ୍ରସ୍ତୁତ କରି ଚାଷୀକୂଳ ପ୍ରତି ଉପହାସ କରୁଅଛି । ଚକଡା ପୋକ ଓ ଅଦିନିଆ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କ ନାମ ତାଲିକା ବିଜେଡି ସରକାର ଦଳୀୟ ଭିତ୍ତିରେ ପ୍ରସ୍ତୁତ କରୁଅଛି । ଭାଗଚାଷୀ ମାନଙ୍କୁ ଚିହ୍ନଟ କରା ନ ଯାଇ ଜମି ମାଲିକମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ଆଗକୁ ଆହୁରି ଚାଷୀ ସମସ୍ୟା ସଂକଟାପନ୍ନ ହେବା ସହ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ବୋଲି ଗତକାଲି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଚାଷ ଓ ଚାଷୀମାନଙ୍କ ସମସ୍ୟାକୁ ନେଇ ଅନୁଷ୍ଠିତ ବୈଠକରେ ଭଦ୍ରକ ଲୋକସଭା ସଂସଦୀୟକ୍ଷେତ୍ର ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଅଭିଯୋଗ କରିଛନ୍ତି । ଜିଲ୍ଲା ବିଜେପି ସଭାପତି ବଦ୍ରିନାରାୟଣ ଧଳଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଯୋଗ ଦେଇ ଚାଷୀ ବିରୋଧୀ ନବୀନ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିବା ସହ ପ୍ରଶାସନର ବିଜେଡି ପ୍ରେମକୁ ଅତ୍ୟନ୍ତ କଡା ଭାଷାରେ ନିନ୍ଦା କରିଥିଲେ । ଜିଲ୍ଳାର ସମସ୍ତ ମଣ୍ଡଳ ପ୍ରଭାରୀ ଓ ଜିଲ୍ଳା ମୋର୍ଚ୍ଚା ପ୍ରଭାରୀମାନଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଚାଷୀମାନଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯିବା ସହ ଚାଷୀ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଆସନ୍ତା ଡିସେମ୍ବର ୨୧ରେ ରାଜ୍ୟ ସରକାରଙ୍କୁ ଚେତାବନୀ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଧଳ ସୂଚନା ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଶରତ ଦାସ, ପ୍ରଭାତ ଜେନା, ପଞ୍ଚାନନ ନାୟକ, ଦୁର୍ଗାଚରଣ ନାୟକ, ପୂର୍ଣ୍ଣଚନ୍ଦ୍ର ପାଣି, ରଘୁନାଥ ପାତ୍ର, ଶରତ ପଢିଆରୀ, ଅମ୍ବିକା ଦାସ, ବିଦ୍ୟାଧର ସାହୁ, ତପନ ମହାନ୍ତି, ପ୍ରଦିପ୍ତ ବିଶ୍ୱାଳ, କମଳା ସୂତାର, ସୁରଥ ସେଠୀ, ବୁଦ୍ଧଦେବ ଜେନା, ସଞ୍ଜିବ ଜେନା, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *