ଷ୍ଟେସନ ନବୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥପତି ଓ ପ୍ଲାନରଙ୍କ ସହ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ଆଲୋଚନା

ନୂଆଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) କେନ୍ଦ୍ର ରେଳବାଇ ଏବଂ କୋଇଲା ମନ୍ତ୍ରୀ ପିୟୁଷ ଗୋୟଲ ଷ୍ଟେସନ ନବୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥପତି ଓ ପ୍ଲାନରମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ମୋଟ ୫୪ଟି ଫାର୍ମର ୧୧୦ ଜଣ ପେସାଦାର ଯୋଗ ଦେଇଥିଲେ। ଭାରତୀୟ ରେଳବାଇର ଆର୍ଥିକ ସ୍ଥିତି, ଜନସାଧାରଣଙ୍କୁ ସେବା ଯୋଗାଇବାର କ୍ଷମତା, କମ୍ ଖର୍ଚ୍ଚରେ ଯାତ୍ରା ପାଇଁ ଯାତ୍ରୀଙ୍କ ଅଭିଳାଷ ଇତ୍ୟାଦି ଉପରେ ମନ୍ତ୍ରୀ ବୈଠକରେ ଗୁରୁତ୍ୱ ଦେଇଥିଲେ। ପିୟୁଷ ଗୋୟଲ କହିଥିଲେ ଯେ, ସ୍ୱତନ୍ତ୍ର ଭାବେ ଭାରତୀୟ ପରିବେଶକୁ ଖାପ୍ ଖାଇବା ଭଳି ଉପାୟ ଆମକୁ ଚିନ୍ତା କରିବାକୁ ପଡ଼ିବ। ଆଶା କରୁଛି ଭବିଷ୍ୟତରେ ଆମ ବିଶେଷଜ୍ଞମାନେ ବିଦେଶକୁ ମଧ୍ୟ ଅଭିଜ୍ଞତା ବାଂଟିବାରେ ସଫଳ ହେବେ।

ଷ୍ଟେସନ ନବୀକରଣ ଦିଗରେ ଥିବା ସମସ୍ୟା ସମ୍ପର୍କରେ ସ୍ଥପତି ଓ ପ୍ଲାନରମାନଙ୍କ ସହ ଆଲୋଚନା ଏହି ବୈଠକର ମୂଳ ଉଦ୍ଦେଶ୍ୟ ଥିଲା। ନଥିପତ୍ର ପରିବର୍ତ୍ତନ, ଷ୍ଟେସନ ନିର୍ମାଣ କୌଶଳ, ନବୀକରଣ କାର୍ଯ୍ୟକ୍ରମ ପାଇଁ ଥିବା ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଷ୍ଟେସନ ନବୀକରଣ ଏକ ନୂତନ କ୍ଷେତ୍ର ହୋଇଥିବାରୁ ପରାମର୍ଶଦାତାମାନଙ୍କ ଦକ୍ଷତା ଉପରେ ଧ୍ୟାନ ଦେବାକୁ ଆଇଆରଏସଡିସିକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଛୋଟ ଛୋଟ ଷ୍ଟେସନର ନବୀକରଣ କାର୍ଯ୍ୟରେ ଯୁବ ସ୍ଥପତି ଓ ପ୍ଲାନରମାନଙ୍କୁ ନିୟୋଜିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗୋୟଲ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଦେଶବ୍ୟାପି ୬୦୦ ବୃହତ ରେଳ ଷ୍ଟେସନର ନବୀକରଣ ଯୋଜନାରେ ନୋଡାଲ ଏଜେନ୍ସି ଭାବେ ଇଣ୍ଡିଆନ ରେଲୱେ ଷ୍ଟେସନ୍ସ ଡେଭଲପମେଂଟ କର୍ପୋରେସନ ଲିମିଟେଡ (ଆଇଆରଏସଡିସି) କାର୍ଯ୍ୟ କରୁଛି। ଏହି ଯୋଜନାରେ ୬୩୫ଟି ଷ୍ଟେସନ ପାଇଁ ଏକ ଆଇଡିଆ (ଚିନ୍ତାଧାରା) ପ୍ରତିଯୋଗିତା ‘ସ୍ରିଜନ’ ମାଇଁଗଭ୍ ପୋର୍ଟାଲରେ ୨୦୧୮ ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହୋଇଛି।

ଷ୍ଟେସନ ନବୀକରଣ କାର୍ଯ୍ୟରେ ଯନ୍ତ୍ରୀ, ପ୍ଲାନର, ସ୍ଥପତି, ଠିକାଦାର ଏବଂ ଡେଭଲପରଙ୍କ ସମେତ ଅନ୍ୟାନ୍ୟ ପେସାଦାରମାନଙ୍କୁ ବ୍ୟାପକ ଭାବେ ନିୟୋଜିତ କରିବାକୁ ୧ ଲକ୍ଷ କୋଟି ଟଙ୍କା ଆବଶ୍ୟକ। ଏଥିପାଇଁ ଆଇଆରଏସଡିସି ଅନେକ ଗୁଡ଼ିଏ ପଦକ୍ଷେପ ନେଇଛି।

ନାଗପୁର, ଗ୍ୱାଲିୟର ଏବଂ ବାଇପାନ୍ନହାଲ୍ଲୀ ଆଦି ୩ଟି ଷ୍ଟେସନ ପାଇଁ ଆନ୍ତର୍ଜାତିକ ଡିଜାଇନ ପ୍ରତିଯୋଗିତା ଆରମ୍ଭ କରାଯାଇଛି।

ମଲ୍ଟି- ଡିସପ୍ଲିନାରୀ ଟିମରେ ଆଇଆରଏସଡିସି ପରାମର୍ଶଦାତାମାନଙ୍କ ନାମ ତାଲିକାଭୁକ୍ତ କରାଯାଇଛି।

ଷ୍ଟେସନ ନବୀକରଣ ପାଇଁ ଆଇଆରଏସଡିସି ପେସାଦାରମାନଙ୍କୁ ସାମାନ୍ୟ ଦେୟ ଦେଇ ସେମାନଙ୍କ ଦୃଷ୍ଟିକୋଣ ବତାଇବାକୁ ଆହ୍ୱାନ ଦେଇଥିଲା ଏବଂ ୭୪ଟି ଷ୍ଟେସନର ନବୀକରଣ ପାଇଁ ୧୧ ଜଣ ସ୍ଥପତି ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି।

ଷ୍ଟେସନମାନଙ୍କରେ ‘କମ୍ ମୂଲ୍ୟରେ ଅଧିକ ଦୃଶ୍ୟ’ ସାମଗ୍ରୀ ନିୟୋଜିତ କରିବାକୁ ନିଜ ନିଜ ଚିନ୍ତାଧାରା ବ୍ୟକ୍ତ କରିବା ସକାଶେ ଆଇଆରଏସଡିସି ‘ସ୍ରିଜନ’ ନାମକ ପ୍ରତିଯୋଗିତା ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ ପ୍ରାୟ ୪୫୦ଟି ଏଂଟ୍ରି ମିଳିପାରିଛି।

ଏହି ପ୍ରତିଯୋଗିତାରେ ଏଂଟ୍ରି ପଠାଇବାର ଶେଷ ତାରିଖ ୨୦୧୮ ମାର୍ଚ୍ଚ ୨୬ ତାରିଖ। ବିଜେତାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ ଏବଂ ସେମାନଙ୍କ ଚିନ୍ତାଧାରାକୁ ଷ୍ଟେସନ ନବୀକରଣ କାର୍ଯ୍ୟରେ ପ୍ରୟୋଗ କରାଯିବ। ମାଇଁଗଭ୍ ପୋର୍ଟାଲ ମାଧ୍ୟମରେ ମଧ୍ୟ ଆଇଆରଏସଡିସି ଲୋଗୋ ଓ ଟ୍ୟାଗଲାଇନ ପାଇଁ ପ୍ରତିଯୋଗିତା ଆରମ୍ଭ କରିଛି। ଲୋଗୋ ଓ ଟ୍ୟାଗଲାଇନ ପ୍ରତିଯୋଗିତା ବିଜେତାଙ୍କୁ ୭୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଏଂଟ୍ରି ଗ୍ରହଣର ଶେଷ ତାରିଖ ୨୦୧୮ ମାର୍ଚ୍ଚ ୨୬ ତାରିଖ।

Leave a Reply

Your email address will not be published. Required fields are marked *