ଜିଲ୍ଲା ପରିକ୍ରମା

ଷ୍ଟୁଡ଼େଣ୍ଡ ଟ୍ରାଫିକ୍ ଭଲେଣ୍ଟିୟର ସ୍କଲାରସିପ ସ୍କିମ୍ ଉଦ୍ଘାଟିତ

ସମ୍ବଲପୁର, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ସମ୍ବଲପୁରରେ ଶନିବାର ଉଦଘାଟିତ ହୋଇଛି ବିଦ୍ୟାର୍ଥୀ ଟ୍ରାଫିକ ସ୍ୱେଚ୍ଛାସେବୀ ବୃତ୍ତି ଯୋଜନା (ଏସ୍‌ଟିଭିଏସ୍‌ଏସ୍‌)। ରିଜର୍ଭ ପୁଲିସ ଲାଇନର ପୁଲିସ କମ୍ୟୁନିଟି ସେଣ୍ଟରରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡି. ଭେଙ୍କଟ ସ୍ୱାମୀ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଆଇଜି ସୁଶାନ୍ତ କୁମାର ନାଥ, ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଏସ୍‌. ଥାଙ୍କପାନ, ଏସ୍‌ପି ସଂଜୀବ ଆରୋରା, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମାଝି, ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର, ବୁର୍ଲା ଓ ହୀରାକୁଦର ବିଭିନ୍ନ କଲେଜର ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ପଞ୍ଜିକୃତ କରି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତନ୍ମଧ୍ୟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ, ଶିକ୍ଷକ ପ୍ରଶିକ୍ଷଣ କଲେଜ, ଡ. ପରଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ (ବିଇଡି କଲେଜ), ହୀରାକୁଦ ଏନ୍‌ଏସି କଲେଜ, ବୁର୍ଲା ଏନ୍‌ଏସି କଲେଜ, ହୀରାକୁଦ ଆଇଟିଆଇ ସାମିଲ ହୋଇଛି। କଲେଜ ଅଧ୍ୟକ୍ଷଙ୍କ ସହଯୋଗରେ ଏହି ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ୬ ମାସ ସକାଶେ ପଞ୍ଜିକୃତ କରାଯାଇଛି। ସେମାନେ ଦିନକୁ ୩ ଘଣ୍ଟା ସେବା ଦେବେ ଓ ଶହେ ଟଙ୍କା ଲେଖାଏଁ ସିଧାସଳଖ ଅନ୍‌ଲାଇନ୍‌ରେ ପ୍ରାପ୍ୟ ପାଇବେ। ଆଜି ଛାତ୍ରଛାତ୍ରୀମାନଙ୍କୁ ପରିଚୟ ପତ୍ର, ପ୍ରମାଣପତ୍ର, ଯୋତା, ଜର୍ସି, କ୍ୟାପ ଆଦି ପ୍ରଦାନ କରାଯାଇଛି। ସମ୍ବଲପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ୨୦୧୭ ତୁଳନାରେ ୨୦୧୮ରେ ଅନ୍ତତଃପକ୍ଷେ ୨୫ ପ୍ରତିଶତ ହ୍ରାସ କରିବା ପାଇଁ ଲକ୍ଷ୍ୟ ଅଛି ବୋଲି ଅତିଥିମାନେ ଏହି ଅବସରରେ କହିଥିଲେ। ଜିଲ୍ଲାରେ ୫୫ଟି ବ୍ଲାକ୍‌ପଏଣ୍ଟ ବା ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ ହୋଇଛି। ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣଶୈଳୀ, ସତର୍କ ସୂଚନା ବା ଟ୍ରାଫିକ ସଂକେତ ନଥିବା ଓ ସଚେତନତାର ଅଭାବରୁ ସର୍ବାଧିକ ଦୁର୍ଘଟଣା ହେଉଛି। ବିଦ୍ୟାର୍ଥୀ ଟ୍ରାଫିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ମଧ୍ୟରେ ଟ୍ରାଫିକ ପୁଲିସକୁ ଟ୍ରାଫିକ ପରିଚାଳନାରେ ସହଯୋଗ, ସଡ଼କ ସୁରକ୍ଷା ସକାଶେ ସଚେତନତା, ସ୍ୱେଚ୍ଛାସେବୀଙ୍କୁ ଆର୍ଥିକ ସହଯୋଗ ଆଦି ରହିଛି। ଏହି ଅବସରରେ ୨୦୧୫ ମସିହାରୁ ବିଗତ ୩ ବର୍ଷରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଜରିମାନାର ତଥ୍ୟ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ଜରିଆରେ ଉପସ୍ଥାପନ କରାଯାଇଥିଲା। ୨୦୧୫ ମସିହାରେ ସର୍ବମୋଟ ୬୦୪୪ ମାମଲା ରୁଜୁ ହୋଇ ୧୩ ଲକ୍ଷ ୧୫୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ୨୦୧୬ ମସିହାରେ ୭୧୯୦ ମାମଲାରେ ୨୦ ଲକ୍ଷ ୮୧ ହଜାର ୪ ଶହ ଟଙ୍କା ଓ ୨୦୧୭ ମସିହାରେ ୧୪୪୩୭ ମାମଲାରେ ୪୯ ଲକ୍ଷ ୯୮ ହଜାର ୪୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା ମାମଲା ୨୦୧୫ ମସିହାରେ ଆଦୌ ନଥିବା ବେଳେ ୨୦୧୭ରେ ତାହା ୫୬୪ରେ ପହଞ୍ଚିବା ଉଦବେଗଜନକ। ଦ୍ରୁତ ବେଗରେ ଗାଡ଼ି ଚଳାଇବା ଓ ଗାଡ଼ିର କାଗଜାତ ମାମଲା ୨୦୧୫ରେ ୧୯୭୭ ଥିବାବେଳେ ତାହା ଦ୍ୱିଗୁଣିତ ହୋଇ ୨୦୧୭ରେ ୪୧୧୫ରେ ପହଞ୍ଚିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top