ଷ୍ଟିଲ ସିଟିରେ କେତେ ସୁରକ୍ଷିତ ସାମ୍ବାଦିକ? ଠକ କମ୍ପାନୀ ଓ ପୁଲିସର ଗୋଲକଛନ୍ଦାରେ ମହିଳା ସାମ୍ବାଦିକା, ପୀଡ଼ିତାଙ୍କ ଏତଲା ରଖିଲାନି ପୁଲିସ

ରାଉରକେଲା ୨୪-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସାମ୍ବାଦିକ ଗଣତନ୍ତ୍ରର ଚତୁର୍ଥ ସମ୍ଭ। ରାଜ୍ୟସାରା କାର୍ଯ୍ୟକରୁଛନ୍ତି ହଜାର ହଜାର ସାମ୍ବାଦିକ ଓ ସାମ୍ବାଦିକା। ମାତ୍ର ସମୟ ସମୟରେ ଅନୁସନ୍ଧାନ ମୂଳକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ର୍ଦୁବ୍ୟବହାରର ଶୀକାର ହେବାକୁ ପଡୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଅନେକ ଗୁଡ଼ିଏ ନିୟମ କାନୁନ ରହିଥିଲେ ସୁଦ୍ଧା ଏହା କେବଳ ସରକାରୀ ନାଲିଫିତା ତଳେ କବର ନେଇଛି। ର୍ଦୁବ୍ୟବହାରର ଶୀକାର ହୋଇଥିବା ସାମ୍ବାଦିକଙ୍କୁ ପୁଲିସ ସୁରକ୍ଷା ଦେବା ବଦଳରେ, କିଛି ସ୍ୱାର୍ଥବାଦୀ ବ୍ୟକ୍ତିଙ୍କ ପ୍ରରୋଚନାରେ ଅଭିଯୋଗ ହେଉଥିବା ଠକ ସଂସ୍ଥା ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ଘଂଟ ଘୋଡାଇବା, ତଥା ପୀଡ଼ିତାଙ୍କ ଏତଲା ପୁଲିସ ନରଖିବା ଘଟଣା ବୁଦ୍ଧିଜିବୀ ମହଲରେ ତ୍ରୀବ ପ୍ରତିକ୍ରୀୟା ସୃଷ୍ଟି କରିଛି। ଏପରି ଏକ ଘଟଣା ଘଟିଛି ସ୍ମାର୍ଟସିଟି ରାଉରକେଲାରେ। ରାଜ୍ୟରେ ଦିନକୁ ଦିନ ବେକାରୀ ସମସ୍ୟା ବଢି ଚାଲିଥିବା ବେଳେ, କାର୍ଯ୍ୟ ସନ୍ଧାନରେ ରାଉରକେଲାକୁ ଆସୁଛନ୍ତି ବହୁ ଗରିବ ଓ ମଧ୍ୟବିତ ପରିବାରର ନିରୀହ ଯୁବକ, ଯୁବତୀ। ମାତ୍ର ସହରରେ ବିନା ପଂଜିକୃତ କେତେକ ବେସରକାରୀ ନିୟୋଜନ ସଂସ୍ଥା ଯୁବକଯୁବତୀ ମାନଙ୍କୁ ଚାକିରୀ ଦେବା ନାମରେ ଶୋଷଣ କରିବାରେ ଲାଗିଛନ୍ତି। ସୂଦୂର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର କିଛି ଯୁବତୀ ଚାକିରୀ ନାମରେ ଠକାମୀର ଶୀକାର ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ଯୁବତୀ ମାନେ ରାଉରକେଲାରେ କାର୍ଯ୍ୟରତ ଜନୈକ ମହିଳା ସାମ୍ବାଦିକଙ୍କୁ ଅବଗତ କରିବା ପରେ, ଉକ୍ତ ସାମ୍ବାଦିକା ଜଣଙ୍କ କମ୍ପାନୀ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବା ସମୟରେ ତାଙ୍କୁ କମ୍ପାନୀର କର୍ମଚାରୀ ମାନେ ର୍ଦୁବ୍ୟବହାର ପ୍ରଦର୍ଶନ କରିଛନ୍ତି ବୋଲି ସେ ସ୍ଥାନୀୟ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ କମ୍ପାନୀ ପକ୍ଷରୁ କାଳ୍ପନିକ ତଥ୍ୟ ଆଧାରରେ ଉକ୍ତ ସାମ୍ବାଦିକାଙ୍କ ବିରୋଧରେ ମିଛ ଏତଲା ଦିଆଯାଇଥିବା ସାମ୍ବାଦିକା ସଙ୍ଗୀତା ଜେନା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସେହିଭଳି ପୁଲିସ ଉଭୟ ପକ୍ଷଙ୍କ ଏତଲା ଗ୍ରହଣ କରିଥିଲେ ସୁଦ୍ଧା ପୀଡ଼ିତାଙ୍କ ଏତଲା ଗ୍ରହଣ ନକରି, କମ୍ପାନୀ ସହ ଆଲୋଚନା ମାଧ୍ୟମରେ ମଧ୍ୟସ୍ତି ସାଜି କେବଳ ୫୪ ହଜାର ଟଙ୍କା ପୀଡ଼ିତା ମାନଙ୍କୁ ଥାନା ପରିସରରେ ଫେରସ୍ତ କରାଇବା ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱଭାବିକ। ପୁଲିସ ପିଡ଼ୀତାଙ୍କ ଏତଲା ନରଖିବା, ମହିଳା ସାମ୍ବାଦିକଙ୍କ ଏତଲା ଗ୍ରହଣ କରିବା ପରେ, ଉକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏହି ପ୍ରକରଣକୁ ଆହୁରି ରହସ୍ୟ ମଧ୍ୟକୁ ନେଇଯାଉଥିବା କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର୍ାପଡ଼ା ଓ ପଟ୍ଟାମୁଣ୍ଡାଇରୁ ଆସିଥିବା ସଙ୍ଗୀତା ସାହୁ(୨୧), କୌଶଲ୍ୟା ଦାସ(୨୧), ସୁନୀତା ରାଉତ(୧୯), ଅର୍ଚ୍ଚନା ବେହେରା(୨୧) ଅନ୍ନପୂର୍ଣ୍ଣ ରାଉଳ(୨୦) କୋଏଲନଗର ଡ଼ି-୧୬ରେ ଗ୍ଲେଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼(ସ୍କାଏ ଆସୋସିଏସଟ)ରେ ଏକ ମାସରୁ କାମ କରୁଥିଲେ। ଚଳିତ ବର୍ଷ ଜୁଲାଇ ମାସରେ ଉପରୋକ୍ତ ଯୁବତୀ ମାନଙ୍କ ସାଙ୍ଗ( ରାଉରକେଲା ନି-୧୬ରେ ପୂର୍ବରୁ କାର୍ଯ୍ୟ କରୁଥିବା) ମାନେ ଫୋନ ଯୋଗେ ରାଉରକେଲାରେ ମହଙ୍ଗା ଦରମା ଚାକିରୀ ଥିବା କହିଥିଲେ। ଟ୍ରେନିଂ ପରିୟଡ଼ରେ ୧୦ ହଜାର ଟଙ୍କା ସହ ଖାଇବା ପିଇବା ମାଗଣା ବୋଲି କୁହାଯାଇଥିଲା। ଏହା ସୂଚନା ପାଇ ଯୁବତୀ ମାନେ ଚାକିରୀ ପ୍ରଲୋଭନରେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇରୁ ଚାଲି ଆସିଥିଲେ। ସେମାନେ ଆସିବା ପରେ ତାଙ୍କୁ ୧୬, ୫୦୦ ଟଙ୍କା ଜମା କରିବାକୁ ଉକ୍ତ କମ୍ପାନୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। ଅଭାବି ପରିବାରର ହୋଇଥିବା ବେଳେ ସେମାନେ ୨ କିସ୍ତିରେ ସେହି ଟଙ୍କା ଜମା କରିଥିଲେ। ଏକ ମାସ ନ ପୁରୁଣୁ ସେମାନଙ୍କୁ ଦିଆଯାଉଥିଲା ମାନସିକ ନିଯ୍ୟାତନ। ପ୍ରଥମେ ସମ୍ପୃକ୍ତ କମ୍ପାନୀ ପକ୍ଷରୁ କୁହାଯାଇଥିବା ଅଫିସିଆଲ ଓ ଫାଇଲ ମ୍ୟାନେମେଂଟ କାର୍ଯ୍ୟ ପରିବର୍ତେ ଫୋନ ମାଧ୍ୟମରେ ଲିପଷ୍ଟିକ ପାଉଡର, କସମେଟିକ ଆଇଟମ ବିକିବା ଓ ନିଜ ସାଙ୍ଗସାଥୀ ଓ ଚିହ୍ନା ଲୋକଙ୍କୁ ମୋଟା ଦରମା ପ୍ରଲୋଭନ ଦେଇ ଏହି ଚାକିରୀରେ ଭର୍ତି କରିବାକୁ ଚାପ ଦିଆଯାଇଥିଲା। ଏପରିକି ସେମାନଙ୍କୁ ଏକାଠି ମେସରେ ରହିବାକୁ ଦିଆଯାଉନଥିଲା। ଖାଇବା ପିଇବା ଓ ଅନ୍ୟ ସୁବିଧା ମିଳୁ ନ ଥିଲା। ଏକ ପ୍ରକାର ବନ୍ଦୀ ଜୀବନ ଯାପନ କରୁଥିଲେ। ଏପରି କଟକଣା ଯୋଗୁ ଯୁବତୀ ମାନେ ଏଠାରେ କାର୍ଯ୍ୟକରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ସେମାନେ ଏହି କାମ ଆଉ କରିବେ ନାହିଁ ବୋଲି କମ୍ପାନୀ କାର୍ଯ୍ୟାଳୟରେ ଓ ଗ୍ରୁପ ଲିଡରକୁ କହିଥିଲେ। ତେବେ ସେମାନେ ଗାଁକୁ ଫେରିଯିବେ ଓ ଜମାରାଶି ଫେରସ୍ତ କରାଯାଉ ବୋଲି କହିବାରୁ କମ୍ପାନୀ ପକ୍ଷରୁ କାଣି ପଇସାଟିଏ ମଧ୍ୟ ମିଳିବ ନାହିଁ ବୋଲି ରୋକଠୋକ କୁହାଯାଇଥିଲା। ସେମାନେ ବ୍ୟସ୍ତବିବ୍ରତ ହୋଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଗଣମାଧ୍ୟମ ପ୍ରତିନିଧି ମାନେ ଘଟଣା ସ୍ଥଳରେ ପହଂଚି ପ୍ରଥମେ ଯୁବତୀ ମାନଙ୍କ ପକ୍ଷ ଓ ପରେ ଅପରପକ୍ଷରୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କମ୍ପାନି କର୍ମଚାରୀ ମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଖରାପ ଭାଷା ଓ ଦୁର୍ବବ୍ୟହାର କରିଥିଲେ। ଉକ୍ତ ଗଣମାଧ୍ୟମ ପ୍ରତିନିଧି ମଧ୍ୟରେ ଥିବା ମହିଳା ସାମାମ୍ବଦିକା ସଙ୍ଗୀତା ଜେନା ମଧ୍ୟ ଦୁର୍ବବ୍ୟହାରରୁ ବାଦ ପଡ଼ି ନଥିଲେ। ତେବେ ଉକ୍ତ ସାମ୍ବାଦିକା ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦ୍ୱିତୀୟ ପକ୍ଷ ଆସି ଥାନାରେ ପହଂଚିଥିଲେ। ଏହି ଘଟଣା ଓ ଗଣ୍ଡଗୋଳରେ ଶେଷରେ କମ୍ପାନୀ କର୍ମଚାରୀ ମାନେ ଉକ୍ତ ଯୁବତୀଙ୍କୁ ଥାନା ପରିସରରେ ପୁଲିସ ମଧ୍ୟସ୍ଥତାରେ ପ୍ରାୟ ୫୪ ହଜାର ଟଙ୍କା ଫେରସ୍ତ କରିଛନ୍ତି। ଗୋଟିଏ ପଟେ ମହିଳା ଓ ଗଣମାଧ୍ୟମ କର୍ମୀଙ୍କ ସୁରକ୍ଷା ସମ୍ପର୍କରେ ବିଭିନ୍ନ ଆଲୋଚନା, ଜନସଚେତନତା ସଭା ସମେତ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିୟମ ଲାଗୁ ହେଉଥିବା ବେଳେ ସୂଦୂର କେନ୍ଦ୍ରାପଡ଼ା ଓ ରାଜ୍ୟର ପଲ୍ଲୀମାନଙ୍କରୁ ଏପରି କମ ଶିକ୍ଷିତା ବା ଅଳ୍ପ ଶିକ୍ଷିତା ଯୁବତୀ ମାନଙ୍କୁ ଆଣି ଚାକିରୀ ଦେବାକୁ କିଏ ଅନୁମତି ଦେଉଛି ? ଏହି ବେଆଇନ ଭାବେ ଚାକିରୀ ବା ଏଜେନ୍ସସିପ ଦିଆଯାଉଥିବାର ଉଚିତ ତଦନ୍ତ କରା ନଯାଇ ପ୍ରଥମ ପକ୍ଷରୁ ଏତଲା ପରେ ଦ୍ୱିତୀୟ ପକ୍ଷରୁ ଏତଲା ବା ଅଭିଯୋଗ ଗ୍ରହଣ ନକରିବା ପୁଲିସର ପାରିବାପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ପୁଲିସ କାର୍ଯ୍ୟକଳାପକୁ ସନ୍ଦେହାସ୍ପଦ କରୁଥିବାର ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ମହିଳା ସାମ୍ବାଦିକା ସଙ୍ଗୀତା ଜେନା ପ୍ରକାଶ କରିଛନ୍ତିଯେ, ଚାକିରୀ ଦେବା ଆଳରେ ମୋଟା ଅଙ୍କର ଅର୍ଥ ନେଇ ସୁଦ୍ଧା ହଇରାଣ କରୁଥିବା ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସେ ଖବର ସଂଗ୍ରହ କରିବାକୁ କୋଏଲନଗର ସ୍ଥିତ ଗ୍ଲେଜ ଇଣ୍ଡିଆ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଠକେଇର ଶୀକାର ଯୁବତୀଙ୍କ ସମସ୍ୟା ବିଷୟରେ କମ୍ପାନୀ କାର୍ଯ୍ୟାଳୟକୁ ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯାଇଥିଲେ। ସେଠାରେ ଏ ସମ୍ପର୍କିତ ପ୍ରଶ୍ନରେ କମ୍ପାନୀ କର୍ମଚାରୀ ଶୁଭେନ୍ଦ୍ୁ ପାତ୍ର, ସିପେଶ ଓ ପାର୍ଥ ବେହେରା ଉତେଜିତ ହୋଇ ଅଶ୍ରାବ୍ୟ ଭାଷା ପ୍ରୟୋଗ ଓ ଦୁର୍ବବ୍ୟହାର କରିଥିଲେ। ଏହି ଖବର ନ ଛାପିବାକୁ ଉକ୍ତ ମହିଳା ସାମ୍ବାଦିକାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା। ଖବର ସଂଗ୍ରହ ପାଇଁ ଯାଇ ବିଭିନ୍ନ ଅଶ୍ଲୀଳ ହରକତ ତଥା ଅଭଦ୍ରାମୀର ଶୀକାର ହେବା ପରେ ଉକ୍ତ ସାମ୍ବାଦିକା ସଙ୍ଗେସଙ୍ଗେ ଝିରପାଣି ଥାନାରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟଯେ, ଗତ ୧୮ ତାରିଖ ଦିନ ଏହିଭଳି ଠକେଇ କରି ମୋଟା ଅଙ୍କର ଅର୍ଥ ଆତ୍ମସାତ ଅଭିଯୋଗରେ ସମ୍ବଲପୁର ପୁଲିସ ପକ୍ଷରୁ ଗ୍ଲେଜ ଇଣ୍ଡିଆ କମ୍ପାନୀର ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Leave a Reply

Your email address will not be published. Required fields are marked *