ରାୟଗଡା ତା-୧୭/୦୬/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ଦିବଙ୍ଗତ ସ୍ରଷ୍ଟା ତଥା ରାୟଗଡ ମାଟିର ସୁଯୋଗ୍ୟ ସନ୍ତାନ ଗନ୍ତାୟତ ଶିବପ୍ରସାଦଙ୍କ ନୂଆ ହାସ୍ୟବ୍ୟଙ୍ଗ ବହି “ଷଣ୍ଢର ସଂସାର ଚିନ୍ତା” ପଶ୍ଚିମା ପ୍ରକାଶନୀ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ହୋଇଛି। ବିଶାଖାପାଟଣା ନିବାସୀ ସ୍ୱନାମଧନ୍ୟା ମାତୃସମା ସାହିତ୍ୟିକା ପୁଣ୍ୟପ୍ରଭା ଦେବୀ ଏହି ବହିଟିକୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ପାଠକାର୍ପିତ କରି ଶିବପ୍ରସାଦ ମୋର ପୁତ୍ରୋପମ ଓ ଜଣେ ଯୋଗଜନ୍ମା ଭାବେ ଆସିଥିଲେ ବୋଲି ମତ ବ୍ୟକ୍ତ କରିଥିଲେ। ବରିଷ୍ଠ ସାହିତ୍ୟିକ ପ୍ରହ୍ଲାଦ ଚରଣ ମହାନ୍ତି ଏହି ଅବସରରେ ଶିବଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିବା ବେଳେ ଆୟୋଜକ ତଥା ବହୁବର୍ଷ ବିଶାଖାପାଟଣାରେ ସେବାରତ ସମକାଳର କୃତବିଦ୍ୟ କଥାକାର ଅରବିନ୍ଦ ଦାସ ଶିବ ଅତ୍ୟନ୍ତ ଶ୍ରଦ୍ଧାଭରେ ମୋର ସାରସ୍ୱତ ଜୀବନରେ ଜଣେ ଯଥାର୍ଥ ଅନୁଜର ଭୂମିକା ନିର୍ବାହ କରିଯାଇଥିବା ଉଲ୍ଲେଖ କରି ନିଜର ତଥାପି ଅପ୍ରକାଶିତ ଏଭଳି ସୃଷ୍ଟି ସମ୍ଭାରର ପ୍ରକାଶନ ମାଧ୍ୟମରେ ସେ ପାଠକଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।
