ଶ୍ରେୟସ ମୃତ୍ୟୁ ଘଟଣାର ତଦନ୍ତ କରି ପୋଲିସ ବିଶାଖାପାଟଣା ଫେରିଲା

ବାମରା, ୧୪/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): – ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷର ଶୈଳେସ କେଶରୱାନୀଙ୍କ ପୁଅ ଶ୍ରେୟସ (୧୬) ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଶ୍ରୀଚୈତନ୍ୟ କଲେଜରେ ପଢ଼ୁଥିବା ବେଳେ ସହପାଠୀମାନଙ୍କ ର୍ୟାଗିଂରେ ମୃତ୍ୟୁ ଘଟିଛି। ଶନିବାର ଏହି ଘଟଣାରେ ବିଶାଖାପାଟଣା ପୋଲିସ ଗଡ଼ପୋଷ ପହଞ୍ଚି ତଦନ୍ତ କରି ଫେରିଯାଇଛି। ଆନ୍ଧ୍ର ପୋଲିସର ଏହି ଟିମ୍ ଶନିବାର ରାଉରକେଲାରୁ ଅପରାହ୍ନ ୧ଟାରେ ଗୋବିନ୍ଦପୁର ଥାନାରେ ପହଞ୍ଚି ଥିଲା। ସେଠାରୁ ସ୍ଥାନୀୟ ପୋଲିସ ସହ ଯାଇ ସାଢ଼େ ୩ଟାରେ ଶ୍ରେୟସଙ୍କ ଘର ଗଡ଼ପୋଷରେ ପହଞ୍ଚିଥିଲା। ପ୍ରାୟ ୩ ଘଣ୍ଟା ଧରି ପିଏମ ପାଲାମ ଥାନା ଆଇଆଇସି କେ. ଲକ୍ଷ୍ମଣ ମୂର୍ତ୍ତିଙ୍କ ସମେତ ୫ ଜଣିଆ ତଦନ୍ତକାରୀ ଟିମ୍ ଶ୍ରେୟସଙ୍କ ବାପା, ମା’ ଓ ସାଙ୍ଗମାନଙ୍କୁ ପଚରାଉଚରା କରିଥିଲେ। ଗୋବିନ୍ଦପୁର ଥାନା ଅଧିକାରୀ ବିଶ୍ୱପତି ପଣ୍ଡା, ଏଏସ୍ଆଇ ଯୋଗେଶ୍ୱର କିଷାନ, ଗଡ଼ପୋଷ ଫାଣ୍ଡି ଅଧିକାରୀ ଏସ.ଏମ.ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ତଦନ୍ତରେ ଆସିଥିବା ଆନ୍ଧ୍ରର ଏହି ପୋଲିସ ଟିମ୍କୁ ପଚାରିବାରୁ ପ୍ରାଥମିକ ତଦନ୍ତରୁ ଘଟଣାଟି ସତ୍ୟ ବୋଲି ଅନୁମାନ କରାଯାଉଛି। ଦୋଷୀଙ୍କୁ ଦଣ୍ଡବିଧାନ ହେବ। ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଘଟଣାକୁ ଗୁରୁତ୍ୱର ସହ ନେଉଛୁ ବୋଲି ଉତ୍ତର ମିଳିଥିଲା।

ସୂଚନାଯୋଗ୍ୟ ଯେ, ଶ୍ରେୟସ ସହପାଠୀମାନଙ୍କ ଦ୍ୱାରା ର୍ୟାଗିଂ ପରେ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣାଟି ଡିସେମ୍ବର ୨୬ ତାରିଖରେ ଘଟିଥିବା ବେଳେ ବାପା ଶ୍ରୈଳେସ ପୁଅକୁ ନିଜ ଘରକୁ ଫେରାଇ ଆଣିଥିଲେ। ଅବସ୍ଥା ଶଙ୍କଟାପନ୍ନ ହେବାରୁ ଶ୍ରେୟସଙ୍କୁ ଭୁବନେଶ୍ୱର ଆଣି ଚିକିତ୍ସା କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଗଡ଼ପୋଷ ଅଞ୍ଚଳରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *