ହାଟଡ଼ିହି, ୯। ୮ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଡଅଁର ନୋଡାଲ ସ୍କୁଲର ଏକ ଶ୍ରେଣୀଗୃହ ଭାଙ୍ଗିପଡିଥିବାବେଳେ ଛାତ୍ରଛାତ୍ରୀ ମାନେ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଖବରରୁ ଜଣାଯାଇଛି ଯେ ଡଅଁର ନୋଡାଲ ସ୍କୁଲରେ ଦୁଇଇଯି ମାତ୍ର ଶ୍ରେଣୀଗୃହ ଥିବାବେଳେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୮ଟି ଶ୍ରେଣୀଗୃହ ଅଛି। କିନ୍ତୁ ଦୁଇଟି ଶ୍ରେଣୀରେ ୮ଟିଯାକ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବସି ପାଠ ପଢ଼ିବା ସମ୍ଭବପର ନହେବାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ସ୍କୁଲ ବାରଣ୍ଡାରେ ଅଜବେଷ୍ଟସ ପକାଇ ଗୋଟିଏ ଶ୍ରେଣୀଗୃହ ନିର୍ମାଣ କରି ଶିକ୍ଷାଦାନ କରି ଆସୁଥିଲେ। ଏହି ଶ୍ରେଣୀଗୃହରେ ୭ମଶ୍ରେଣୀ ଓ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷାଦାନ କରାଯାଉଥିଲା। ଏହା ବହୁତ ପୁରୁଣା ହୋଇଯାଇଥିବାରୁ ଏହାର ରୁଅ ଓ ଶେଣୀକାଠ ଗୁଡିକ ଦୁର୍ବଳ ହୋଇପଡିଥିଲା। ମାତ୍ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହା ଜାଣିପାରୁ ନଥିଲେ। ଗତକାଲି ସ୍କୁଲ ଛୁଟି ହେବାର ମାତ୍ର ଦଶମିନିଟ ପରେ ଶ୍ରେଣୀଗୃହର ଆଜବେଷ୍ଟସ ଗୁଡିକ ତଳେ କଚାଡି ହୋଇପଡିଥିଲା। ସ୍କୁଲ ଛୁଟି ହୋଇଯାଇଥିବାରୁ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ଛାତ୍ରଛାତ୍ରୀମାନେ ବର୍ତ୍ତି ଯାଇଥିବା ପ୍ରଧାନ ଶିକ୍ଷକ କହିଛନ୍ତି।
