ରାଉରକେଲା ୨୫-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଶ୍ରୀରାମ ନବମୀକୁ ନେଇ ଇସ୍ପାତ ସହର ରାଉରକେଲା ଉତ୍ସବମୁଖର ହୋଇ ଉଠିଛି। ସହରର ଛେଣ୍ଡ, ସେକ୍ଟର-୧୬, ବାସନ୍ତୀକଲୋନୀ, ସେକ୍ଟର- ୩ରେ ବାସନ୍ତୀ ଦୁର୍ଗାପୂଜାର ସପ୍ତାହ ବ୍ୟାପୀ ଆୟୋଜନ କରାଯାଉଛି। ମୀନାବଜାର ଓ ମେଳା ଏହି ପୂଜାର ବିଶେଷ ଆବର୍ଷଣ ରହିଛି। ସେହିପରି ବିଭିନ୍ନ ଆଖଡ଼ା କମିଡ଼ି ପକ୍ଷରୁ ସହରରେ ରାମନବମୀ ଦିନ ଆଖଡ଼ା ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ସେହିପରି ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ସାଇବାବା ମନ୍ଦିର ପରିସରରେ ଚଳିତ ମାସ ୨୫ ତାରିଖ ରବିବାରରେ ଶ୍ରୀରାମ ନବମୀ ମହୋତ୍ସବ ମହାସମାରୋହରେ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସାଇଧାମ ଟ୍ରଷ୍ଟ ପକ୍ଷରୁ ଆୟୋଜନ କରାଯାଉଛି। ୨୫ ତାରିଖ ପ୍ରାତଃ ୫ଟା ୩୦ରେ ସାଇବାବାଙ୍କ କାକଡ଼ ଆରତୀ, ୯ଟାରେ ମହାଭିଷେକ ପୂଜା, ୧୨ଟାରେ ମଧ୍ୟାହ୍ନ ଆରତୀ, ଅପରାହ୍ନ ୩ଟାରେ ସାଇନାମ ସଙ୍କିର୍ତନର ଆୟୋଜନ କରାଯିବ। ସେହିପରି ସଂଧ୍ୟା ସାଢେ ଛଅଟାରେ ସାଇବାବାଙ୍କ ଆରତୀ ପରେ ସର୍ବୋଦୟ ମାନସ ମଣ୍ଡଳୀଙ୍କ ଦ୍ୱାରା ସୁନ୍ଦର କାଣ୍ଡ ପାଠ ଆୟୋଜିତ ହେବ। ରାତ୍ରୀ ୮ଟାରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଶେଷରେ ବାବାଙ୍କ ଶେଜ ଆରତୀ କରାଯିବ। ରାମନବମୀ ଉତ୍ସବର ସୁପରିଚାଳନା ପାଇଁ ସାଇ ପରିବାରର ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରୁଛନ୍ତି। ଉକ୍ତ ରାମନବମୀ ମହାତ୍ସବରେ ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ସାଇବାବାଙ୍କ ଅପାର କରୁଣା ଲାଭ କରିବାକୁ ସାଇ ପରିବାର ପକ୍ଷରୁ ନିବେଦନ କରାଯାଇଛି।
