ଶ୍ରୀ ରଙ୍ଗ ସମାଗମ ଉଦ୍ୟାପିତ

ସମ୍ବଲପୁର, ୧୩/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁରର ଶ୍ରୀ କଲଚରାଲ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଝାଡ଼ୁଆପଡ଼ା ଆରଣ୍ୟକ ମଞ୍ଚଠାରେ ଜାତୀୟ ନାଟ୍ୟ ଉତ୍ସବ ‘ଶ୍ରୀ ରଙ୍ଗ ସମାଗମ’ର ଆୟୋଜନ ଉଦ୍ୟାପିତ ହୋଇଛି। ୪ ଦିନ ଧରି ହୋଇଥିବା ଏହି ନାଟ୍ୟ ଉତ୍ସବରେ ବିଭିନ୍ନ ଭାଷାରେ ମଞ୍ଚନ କରାଯାଇଥିବା ନାଟକଗୁଡ଼ିକୁ ଦର୍ଶକ ଉପଭୋଗ କରିବା ସହିତ ପ୍ରଶଂସା କରିଥିଲେ।

ପ୍ରଥମ ସନ୍ଧ୍ୟାରେ ଶ୍ରୀ କଳଚରାଲ ଏସୋସିଏସନ ପକ୍ଷରୁ ସତ୍ୟରଞ୍ଜନ ବେହେରା ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ସଃ….’ ପରିବେଷଣ କରାଯାଇଥିଲା। ଦ୍ୱିତୀୟ ସନ୍ଧ୍ୟାରେ ତ୍ରିପୁରା ଧର୍ମନଗର ଲାର୍ଣ୍ଣସ ଏଜୁକେସନାଲ ସୋସାଇଟୀର କଳାକାରମାନେ ଶୁଭୋଜିତ ବନ୍ଦୋପାଧ୍ୟାୟଙ୍କ ନିର୍ଦ୍ଦେଶିତ ବଙ୍ଗଳା ନାଟକ ‘ଓମନିଷ’, ୧୧ ତାରିଖ ସନ୍ଧ୍ୟାରେ ପାରାଦ୍ୱୀପ କେନ୍ମାସର କଳାକାରମାନେ ଗଜେନ୍ଦ୍ର ନାୟକଙ୍କ ନିର୍ଦ୍ଦେଶିକ ଓଡ଼ିଆ ନାଟକ ‘ଗାନ୍ଧି ଭୂମିକାରେ..’ ଏବଂ ୧୨ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉତ୍ତରପଡ଼ା ଖେୟାଳଖୋଲା ଅନୁଷ୍ଠାନର କଳାକାରମାନେ କଳ୍ପନା ବରୁଆଙ୍କ ନିର୍ଦ୍ଦେଶିତ ବଙ୍ଗଳା ନାଟକ ‘ସ୍ତ୍ରୀର୍ ପୋତ୍ରୋ’ ପରିବେଷଣ କରିଥିଲେ। ଉଦ୍ୟାପନୀ ଉତ୍ସବରେ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି, ଓଡ଼ିଶା ନାଟ୍ୟସଂଘ ସଭାପତି ମନୋଜ ପଟ୍ଟନାୟକ, ରାଉରକେଲାର ନାଟ୍ୟକର୍ମୀ ଶରତ ଦାଶ ଓ ସମ୍ବଲପୁରର ଜଣାଶୁଣା ନାଟ୍ୟ ବ୍ୟକ୍ତିତ୍ୱ ଶ୍ୟାମସୁନ୍ଦର ଧର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏ ଅବସରରେ ମନୋଜ ପଟ୍ଟନାୟକ, ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ଡ. କେଶରଞ୍ଜନ ପ୍ରଧାନ ଏବଂ ନାଟ୍ୟକାର ନିର୍ଦ୍ଦେଶକ ଏବଂ ସଙ୍ଗୀତଜ୍ଞ ବ୍ରଜେନ୍ଦ୍ର ନାୟକଙ୍କୁ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *