Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଶ୍ରୀ ମନ୍ଦିର ସଂସ୍କାର – ଭକ୍ତଙ୍କ ଭାବାବେଗ

ଶ୍ରୀ ମନ୍ଦିର ସଂସ୍କାର – ଭକ୍ତଙ୍କ ଭାବାବେଗ

152

– ଦେବପ୍ରସାଦ ମିଶ୍ର
ଚଳିତ ରଥଯାତ୍ରା ଆରମ୍ଭ ଅର୍ଥାତ ଦେବସ୍ନାନ ପୂର୍ଣ୍ଣିମାଠାରୁ ଏଥରକ ବହୁ ଲୋକ ପୁରୀର ପଞ୍ଚକୋଷୀ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବହୁ ଅଞ୍ଚଳର ଲୋକେ କାର୍ତ୍ତିକ ମାସରେ ହବିଷିଆଳୀଙ୍କ ପରି ବ୍ରତ କଲା ପରି ପୁରୀକୁ ଆସି ମଠ, ମନ୍ଦିର, ଧର୍ମଶାଳାରେ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରହି ଶ୍ରୀ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରି ଆନନ୍ଦ ବଜାରରେ ଅବଢା ପାଇ ଘରକୁ ଫେରିଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଏ ପ୍ରକାର ଯାତ୍ରିଙ୍କ ସଂଖ୍ୟା ଅଧିକ ଥିଲା ଅଧିକାଂଶ ଯାତ୍ରୀ ଦିନ ତମାମ ବୁଲାବୁଲି କରି ସଂନ୍ଧ୍ୟା ପରଠାରୁ ଧର୍ମଶାଳା ହେଉ ବା ମଠ ପ୍ରଭୃତି ଆଶ୍ରୟ ନେଇଥିବା ଯାଗାରେ ଏକାଠି ହୋଇ ପରସ୍ପର ମଧ୍ୟରେ ଶ୍ରୀ ମନ୍ଦିର ରତ୍ନଭଣ୍ଡାର ର ଚାବି ହଜିବା ଘଟଣା ଠାରୁ ସେବାୟତ ମାନଙ୍କ ଉପରେ, ସରକାରଙ୍କ ମନ୍ଦିର ପ୍ରଶାସନ କାର୍ଯ୍ୟ ଉପରେ, ବିଶେଷ କରି ନିକଟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ଦେଇଥିବା ବିଚାର ବିମର୍ଷ ମୁଖ୍ୟତଃ ଶ୍ରୀ ମନ୍ଦିରରେ ପୁରୁଷାନୁକ୍ରମେ ବଂଶଗତ ସେବା ପୂଜା ନୀତି ଉପରେ ପରଷ୍ପର ମଧ୍ୟରେ ଆଲୋଚନା ଜାରି ରଖିଥିଲେ। ଏହି ଆଲୋଚନା ଜଣେ ଅଧେରେ ସିମୀତ ନ ଥିଲା, ଶହ ଶହ ଲୋକ ଦିନ ଦିନ ଧରି ଏହା ଉପରେ ପରସ୍ପର ମଧ୍ୟରେ ଶ୍ରୀ ମନ୍ଦିର କୁ ନେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରୁଥିଲେ ଆଲୋଚନାରେ ପଞ୍ଚୁକୋଷୀ ପୁରୀ ପାଖ ଷୋଳ ଶାସନରୁ ଆସିଥିବା ଯାତ୍ରୀମାନେ ମନ୍ଦିର ସଂପର୍କରେ ଆଲୋଚନା କଲାବେଳେ ସେମାନେ ପୁରୀ ଶ୍ରୀ ମନ୍ଦିରରେ ଦେଖାଦେଇଥିବା ସମସ୍ୟା ଉପରେ ଅଲୋଚନା କରି ସେମାନେ ଶ୍ରୀମନ୍ଦିର ପ୍ରଶାସନରେ ଓଭୟ ପ୍ରଶାସନ ଓ ସେବାୟତ ଜଗଦ୍ଗୁରୁ ଗୋବର୍ଦ୍ଧନ ପୀଠର ମାନନୀୟ ଶଙ୍କରାଚାର୍ଯ୍ୟ ଓ ଆଦ୍ୟ ସେବକ ଶ୍ରୀ ଶ୍ରୀ ଗଜପତି ମହାରାଜଙ୍କ ଭୂମିକାକୁ ଏମାନେ ଗୁରୁତ୍ୱ ଆରୋପ କରୁ ନଥିବାରୁ ଆଜି ମନ୍ଦିରର ଘଟଣା ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟକୁ ଯାଇଛି ବୋଲି ମତ ଦେଇଥିଲେ। ତଥାପି ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟଳୟକୁ ମନ୍ତବ୍ୟ ଦେବା ପୂର୍ବରୁ ବିଭିନ୍ନ ସେବାୟତ ଗୋଷ୍ଠୀ ଓ ମାନନୀୟ ଶଙ୍କରାଚାର୍ଯ୍ୟ ମହୋଦୟ ଓ ଗଜପତି ମହାରାଜ ଏମାନଙ୍କ ଠାରୁ ଓ ସାଧାରଣଙ୍କଠାରୁ ବିଶେଷ କରି ଷୋଳଶାସନ ଗ୍ରାମବାସୀଙ୍କ ଠାରୁ ମତାମତ ନେବା ଆବଶ୍ୟକ ବୋଲି ବହୁ ଲୋକ ମତ ଦେଇଥିଲେ। ଶ୍ରୀମନ୍ଦିର ପ୍ରତିଷ୍ଠା ହୋଇ ଚତୁର୍ଦ୍ଧା ମ୍ୟର୍ତ୍ତି ପୂଜା ପାଇବା ପରଠାରୁ ଠାକୁରଙ୍କ ଯେଉଁ ସବୁ ପୂଜା, ରୀତି, କର୍ମ, ନିୟମ ପରମ୍ପରା ଆଦିକୁ ଯେଉଁମାନେ ବଂଶାନୁକ୍ରମେ କାର୍ଯ୍ୟକାରୀ କରି ଆସୁଛନ୍ତି, ଯଦିଓ ସେମାନଙ୍କ ସଂଖ୍ୟା ବଢିଛି ତାକୁ କିପରି ଶୃଙ୍ଖଳିତ ଭାବେ କାର୍ଯ୍ୟଧାରା ବଜାୟ ରହିବ ଉଭୟ ସନାତନ ଧର୍ମ କୂଳଗୁରୁ ମାନନୀୟ ଶଙ୍କରାଚାର୍ଯ୍ୟ ମହୋଦୟ ଓ ଗଜପତି ମହାରାଜଙ୍କ ବିଚାର ବିମର୍ଷ କ୍ରମେ ପରିଚାଳିତ କରିବା ପାଇଁ ବହୁ ଲୋକ ମତ ଦେଇଥିଲେ, ସେମାନଙ୍କ କହିବା କଥା ! ନୀଳମାଧବ ଅବତାର ସମୟରେ ବିଶ୍ୱାବସୁ ଶବର ସେବା କରୁଥିଲେ, ଏମାନେ ଦାରୁବ୍ରହ୍ମ ଅବତାରରେ ଶୁଦ୍ର ଦଇତା ସେବକ ହେଲେ ବିଦ୍ୟାପତି ବ୍ରାହ୍ମଣ ନୀଳମାଧବଙ୍କୁ ଦେଖି ଯାଇ ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କୁ ସମ୍ବାଦ ଦେଇଥିବାରୁ ସେ ବ୍ରାହ୍ମଣ ସେବକ ହେଲେ ସୁତରାଂ ଏ ଦୁଇ ସେବାର ନାୟକ ଅର୍ଥାତ ଯେ ବୟସରେ ବଡ ସେ ତାର ପୁଅ ଭାଇମାନଙ୍କୁ ଘେନି ସେବାଖଟେ ଶ୍ରୀମୁଣ୍ଡିଠାରୁ ଶ୍ରୀପୟର ପର୍ଯ୍ୟନ୍ତ ବାମାର୍ଦ୍ଧ ଦଇତାମାନେ ସେବା କରନ୍ତି ଏବଂ ଦକ୍ଷିଣାର୍ଦ୍ଧ ପତିମାନେ ସେବା କରନ୍ତି ଦଇତାମାନେ ବନରୁ ଦାରୁ ଆଣିବେ ତିନି ଠାକୁରମାନଙ୍କ ଶ୍ରୀ ଅଙ୍ଗ ବେତମ ହେଲେ ସେମାନଙ୍କୁ କର୍ମକୁଟି ଘରକୁ ବିଜେ କରାଇବେ। ଅନବସର ତାଟି ଭିତରେ ୧୫ ଦିନ ସେବା କରିବେ ଦେବସ୍ନାନ ଠାରୁ ବାହୁଡା ପର୍ଯ୍ୟନ୍ତ ସେବା କରିବେ, ସ୍ନେହା ଲାଗି କରିବେ। ଏହି ପ୍ରକାରରେ ଶ୍ରୀ ମନ୍ଦିର ପ୍ରତିଷ୍ଠା ହେଲା ପରଠାରୁ ଆଜିଯାଏଁ ଏ ପ୍ରଥା ଚାଲି ଆସୁଛି। ଏବେ ଏ ପ୍ରକାର ସେବାୟତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ହେଉ ବା ଆଧୁନିକତାର ପ୍ରାବଲ୍ୟ ପାଇଁ ହେଉ କିଛି ବ୍ୟତିକ୍ରମ ଦେଖା ଦେଇଛି କିନ୍ତୁ ମହାପ୍ରଭୁଙ୍କ ସେବାନୀତିରେ ବ୍ୟାଘତ ଘଟିନାହିଁ ତେବେ ବର୍ତ୍ତମାନ ଗଣତନ୍ତ୍ର ଶାସନରେ ରାଜନୀତି ଯୋଗୁଁ ଏବେ ମନ୍ଦିରର ସେବକ ସେବାୟତମାନଙ୍କ ମଧ୍ୟରେ ରାଜନୀତି ପଶିବାରୁ ଦଳୀୟ ରାଜନୀତିରେ ଏମାନେ ଭାଗ ନେବାରୁ ପରସ୍ପର ମଧ୍ୟରେ ବିବାଦ ଦେଖା ଦେଇ ଏ ମନ୍ଦିରର ଅବ୍ୟବସ୍ଥା ଏତେ ବାଟ ଆସିଛି। ତେଣୁ ବର୍ତ୍ତମାନ ମନ୍ଦିରରେ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ହେଲେ ଏ ମନ୍ଦିରରେ ସେବା ଖଟୁଥିବା ସେବାୟତ ସେବକ କୌଣସି ରାଜନୈତିକ ଦଳର ସଭ୍ୟ ରହିବା ଉଚିତ ନୁହେଁ ରହିଲେ ମଧ୍ୟ ମନ୍ଦିର ମଧ୍ୟରେ ତାର ପରିପ୍ରକାଶ ପାଇବା ଉଚିତ ନୁହେଁ, ସରକାର ଏଥିପ୍ରତି ଦୃଷ୍ଟି ଦେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା, ବଂଶାନୁକ୍ରମ ସେବାକୁ ଉଚ୍ଛେଦ କଲେ ଶ୍ରୀ ମନ୍ଦିରର ପୂର୍ବ ପରମ୍ପରା ସ୍ୱତନ୍ତ୍ରତା ରହିବନାହିଁ ଏବଂ ତାର ପବିତ୍ରତା ରହିବ ନାହିଁ ବୋଲି ବହୁ ଲୋକ ଆଲୋଚନା ବେଳେ ମତପ୍ରଦାନ କରିଥିଲେ। ସରକାର ମନ୍ଦିର ପ୍ରଶାସନ ମନ୍ଦିରର ସବୁ କାର୍ଯ୍ୟରେ ଶଙ୍କରାଚାର୍ଯ୍ୟ ମହୋଦୟ ଓ ଗଜପତି ମହାରାଜଙ୍କ ସହିତ ବିଚାର ବିମର୍ଷ କରିବା ଉଚିତ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସରକାର କାମଚଳା ପଦବୀରେ ନରଖି ତାଙ୍କୁ ପୂର୍ଣ୍ଣ କ୍ଷମତା ସହିତ ଦୈନିକ ମନ୍ଦିର ପରିଚାଳନାରେ ସହାୟତା କରିବାର ସୁଯୋଗ ଦିଆଯାଉ।
ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଅନେକ ମତ ଦେଇ କହିଥିଲେ ଯେ, ସ୍ୱାଧୀନତାର ବହୁକାଳ ପୂର୍ବରୁ ମୋଗଲ, ମରହଟ୍ଟା ଓ ବ୍ରିଟିଶ ଅମଳରେ ଏପରିକି ଗଡଜାତ ମିଶ୍ରଣ ସମୟରେ ମଧ୍ୟ ଆମ ସ୍ୱାଧୀନ ସରକାର ଜଗନ୍ନାଥଙ୍କ ବଂଶାନୁକ୍ରମ ପୂଜାନୀତି ଓ ଜମିବାଡି ଉପରେ ହସ୍ତକ୍ଷେପ କରିନଥିଲେ ଜଗନ୍ନାଥ ମହାପ୍ରଭୁ ଲୋକର ଦେବତା ତେଣୁ ବର୍ଷକରେ ଥରେ ଘୋଷ ଯାତ୍ରାରେ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି, ଜଗନ୍ନାଥ ମହାପ୍ରଭୁ ଓ ତାଙ୍କ ମନ୍ଦିର ଉପରେ ଯିଏ ଆକ୍ରମଣ କରିଛି ତାଙ୍କୁ ଅପମାନିତ କରିବାକୁ ଉଦ୍ୟମ କରିଛି ସେ ମଲାବେଳେ କୁଷ୍ଠ ବା ରକ୍ତବାନ୍ତି କରି ମରିଛି ବା ବିସୂଚିକା ବସନ୍ତ ରେ ମରିଛି। ଏପରିକି ସାଲବେଗଙ୍କ କଥା ଦେଖନ୍ତୁ . ସାଲବେଗର ବାପା ଲାଲବେଗ ଇଂରେଜ ଅମଳରେ ନବାବ ଥିଲା ବେଳେ ପୁରୀ ଦାଣ୍ଡ ମୁକୁନ୍ଦପୁରଠାରୁ ଜଣେ ବ୍ରାହ୍ମଣୀ ବିଧବାଙ୍କୁ ବଳ ପୂର୍ବକ ଉଠାଇ ନେଇଥିଲା ତାଙ୍କରି ଗର୍ଭରୁ ସାଲବେଗ ଙ୍କ ଜନ୍ମ ସେହି ସାଲବେଗ ଯୁଦ୍ଧରେ ଗୁରୁତର ଆହାତ ହୋଇ ଅନେକ ଦିନ ଶଯ୍ୟାଶାୟୀ ହୋଇ ପଡିରହି ଯେତେବେଳେ ତାର କ୍ଷତ ସ୍ଥାନ ଭଲ ନ ହୋଇ ପଚିବାକୁ ଲାଗିଲା ବାଧ୍ୟ ହୋଇ ତାଙ୍କ ମାଁ ଙ୍କ ପାଖେ ଶରଣ ନେଇ ମା ପୂଜା କରୁଥିବା ଶ୍ରୀକୃଷ୍ଣ ମୂର୍ତ୍ତିକୁ ପୂଜା ଧ୍ୟାନ କରି ଯେତେବେଳେ ଘା ସବୁ ଶୁଖିବାକୁ ଲାଗିଲା ସେତେବେଳେ ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ ବୃନ୍ଦାବନ ଧାମକୁ ଯାଇ ଜେତେବେଳେ ଜାଣିବାକୁ ପାଇଲା ସ୍ୱୟଂ ଶ୍ରୀକୃଷ୍ଣ ହିଁ ଜଗନ୍ନାଥ ତେଣୁ ସେଇଠୁ ମହାପ୍ରଭୁଙ୍କୁ ରଥଯାତ୍ରା ବେଳେ ଡାକିଲା ପ୍ରଭୁ ମୁଁ ଅସୁସ୍ଥ ପୁଣି ଜାତିରେ ଯବନ ଆପଣଙ୍କ ମନ୍ଦିର ପାଖକୁ ଯାଇପାରିବିନି ରାସ୍ତାରେ ବଳଗଣ୍ଡିଠାରେ ମୋ କୁଡିଆ ଠାରେ ଟିକେ ଆପଣ ଙ୍କ ରଥଟିକେ ଟାଣିବି ତାହେଲେ ମୁଁ ମୋକ୍ଷ ପ୍ରାପ୍ତ ହେବି। ସାଲବେଗ କି ଯବନ ହରିଦାସ କି ଖ୍ରିଷ୍ଟିଆନ ଧର୍ମାଲମ୍ବୀଙ୍କ ଧର୍ମଗୁରୁ କେହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନ କରି ମନରେ ନିଜ ଭାବରେ ମହାପ୍ରଭୁଙ୍କୁ ଏକାଗ୍ରତାର ସହ ସ୍ମରଣ କରିବାରେ ମହାପ୍ରଭୁ ତାଙ୍କ ଭାବରେ ପ୍ରସନ୍ନ ହୋଇ ତାଙ୍କୁ ଭିନ୍ନ ରୂପରେ ଦର୍ଶନ ଦେଇଥିଲେ। ବର୍ତ୍ତମାନ କି ଅତୀତରେ କେହି ଅଣହିନ୍ଦୁ ବିଶେଷକରି ଇସଲାମ ଓ କିରସ୍ଥାନ ସଂପ୍ରଦାୟର କେହି ଧର୍ମଗୁରୁ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମାଗିନଥିଲା ବେଳେ ହଠାତ ଅଣହିନ୍ଦୁ ମନ୍ଦିର ମଧ୍ୟକୁ ଯିବାର ପ୍ରଶ୍ନ କାହିଁକି ଉଠୁଛି? ହିନ୍ଦୁ ଧର୍ମାଲମ୍ବୀ ସମସ୍ତେ ଶ୍ରୀ ମନ୍ଦିରକୁ ବିନା ଦ୍ୱିଧାରେ ପ୍ରବେଶ କରୁଛନ୍ତି ସେଥିପାଇଁ ବାରଣ କାହାକୁ ନାହିଁ। ଅଣହିନ୍ଦୁ ପ୍ରବେଶ କଥା ଉଠିଲେ ଅଯଥା ଅରାଜକତା ସୃଷ୍ଟିପାଇଁ ଉଦ୍ୟମ ହେଉଛି ବୋଲି ବୁଝିବାକୁ ହେବ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କେବେବି ହଜିନାହିଁ କି କେହି ଡୁପ୍ଲିକେଟ ଚାବି କରି ମଧ୍ୟ ଭଣ୍ଡାର ଘରୁ ସଂପତ୍ତି ନେଇନାହିଁ। ଏ ଘଟଣା ନିଳାଦ୍ରୀ ବିଜେ ନବକଳେବର ସମୟରେ ମନ୍ଦିର ସେବାୟତ ଓ ଜିଲ୍ଲାପାଳଙ୍କ ମଧ୍ୟରେ ହୋଇଥିବା ବିବାଦ ଏବଂ ଭୋଟ ରାଜନୀତିକୁ ନେଇ ଏପରି କନ୍ଦଳ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଯେଉଁ ରଘୁବିର ଦାସ କମିଶନ ବସାଇଛନ୍ତି ଉକ୍ତ କମିଶନ ର ତଦନ୍ତ ରିର୍ପୋଟରୁ ହେଉ ନଚେତ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ କ୍ଷମତା ଦେଇ ଏହାର ତଦନ୍ତ କରାଗଲେ ଏ ସମସ୍ୟାର ସମାଧାନ ହୋଇପାରିବ ବୋଲି ଭକ୍ତଙ୍କ ଆଲୋଚନାରେ ମତ ପ୍ରକାଶ ପାଇଥିଲା ରାଜ୍ୟ ସରକାର ଶ୍ରୀମନ୍ଦିର ହାତକୁ ନେବା ପର ଠାରୁ ଏଠାକାର ନିର୍ବାଚିତ ପ୍ରତିନିଧି ଉଭୟ ବିଧାୟକ ଓ ସାଂସଦ ଯଦି ପୁରୀ ସହର, ଶ୍ରୀମନ୍ଦିର ଓ ତାର ସେବକମାନଙ୍କ ଉନ୍ନତି ସଂପର୍କରେ ଟିକିଏ ଆଖି ପକାଇଥାନ୍ତେ ବା ତାଙ୍କ ହାତ ପାଣ୍ଠିର ଅର୍ଥକୁ ବିନିଯୋଗ କରିଥାନ୍ତେ ତେବେ ଆଜି ରଥଯାତ୍ରା ବେଳେ ଅସରାଏ ବର୍ଷାରେ ବଡଦାଣ୍ଡ ନଇ ପାଲଟୁ ନଥାନ୍ତା ଓ ଖୋଦ ଜିଲ୍ଲାପାଳ ବଡଦାଣ୍ଡରେ ଠିଆ ହୋଇ ନଳାରୁ ମଇଳା ଓ ପଲିଥିନ ଜରି ହଟାଇବା କାର୍ଯ୍ୟକୁ ତଦାରଖ କରୁ ନଥାନ୍ତେ। ଗତ ନବକଳେବର ବେଳେ ପୁରୀ ସହରର ଉନ୍ନତି ପାଇଁ ଶହଶହ କୋଟି ଟଙ୍କା ଅନୁଦାନ ଆସିଥିବା ବେଳେ ସେ ସବୁ ଅର୍ଥ କେଉଁ ଆଡେ ଖର୍ଚ୍ଚ ହୋଇଛି ? ମୁଖ୍ୟମନ୍ତ୍ରୀ ତ ତାର ତଦନ୍ତ କରିପାରି ଥାନ୍ତେ ! ରତ୍ନଭଣ୍ଡାର ଚାବି ହଜିବା ନେଇ ପ୍ରଥମେ ତ ପୁଲିସରେ ଏତଲା ଦେଇପାରି ଥାନ୍ତେ ! ଯାହା ହେଉ ଏମିତି କେତେ ସରକାର ଆସିଛି ଆସୁଥିବ କିନ୍ତୁ ମହାପ୍ରଭୁ ରତ୍ନ ସିଂହାସନରେ ବସି ତାଙ୍କ ଲୀଳା ପ୍ରକଟ କରି ଚାଲିଥିବେ ଆମେ ନିମିତ୍ତ ମାତ୍ର, ଏପରି ବହୁ ଆଲୋଚନା ସମାଲୋଚନା ଜାରି ରହିଥିଲା।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.