‘ଶ୍ରୀହିନ’ ଟମକା ରେଲୱେ ଷ୍ଟେସନ

 

ଯାଜପୁର-୩୦/୭(ଔଡିଆ ପୁଅ/ଏ.ରାଉତ) ଜନ ସାଧାରଣଙ୍କ ଗମନା ଗମନ ସମେତ ଖଣିଜ ପରିବହନକୁ ଦୃଷ୍ଟିରେ ରଖି ନିର୍ମିତ ଟମକା ରେଳବାଇ ଷ୍ଟେସନ ଏବେ ଶ୍ରୀହିନ । ଏଠିକାର ପ୍ଲଟ୍ ରାସ୍ତା ଆଣ୍ଠୁଏ ଆଣ୍ଠୁଏ ଖାଲଖମାରେ ପରିପୁର୍ଣ ହୋଇ ବିପର୍ଯ୍ୟସ୍ଥ ହୋଇ ପଡିଥିବା ବେଳେ ଦିର୍ଘଦିନ ଧରି ଏହି ପ୍ଲଟ୍ ବନ୍ଦ ପଡିଥିବାରୁ ଏଠି ରହିଥିବା ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ୩ଟି ଘରୋଇ ଓଜନ କଣ୍ଟା ମଧ୍ୟ ଖତ ଖାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ପ୍ଲଟ୍ କୁ ଭରଷା କରି ନିଜର ପରିବାର ଗୁଜୁରାଣ ମେଣ୍ଟାଉଥିବା ଶ୍ରମିକମାନେ କାର୍ଯ୍ୟ ବନ୍ଦ ହେବା କାରଣରୁ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସେହିଭଳି ଭାବେ ଗଢି ଉଠିଥିବା ଦୋକାନ ଓ ହୋଟେଲ୍ ମଧ୍ୟ ମାଟିରେ ମିଶିଥିବା ବେଳେ ବ୍ୟବସାୟୀମାନେ ନାନାଦି ହଇରାଣ ହେଉଥିବା ପରିଲକ୍ଷିତ ହୋଇଛି । ଅନ୍ୟପଟେ ରେଳବାଇ ଦ୍ୱାରା ନିର୍ମିତ ଗୋଦାମ ଗୃହ ସମେତ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଅନ୍ୟାନ୍ୟ ଗୃହ ଗୁଡିକ ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ତେବେ ଦୁରାବସ୍ଥାରେ ଥିବା ଓ ଏକ ବୃହତ ଜନସ୍ୱାର୍ଥ ସମ୍ବଳିତ ତଥା ରାଜ୍ୟ ତଥା କେନ୍ଦ୍ର ଅର୍ଥନିତୀର ଅଭିବୃଦ୍ଧିରେ ସହାୟକ ହେଉଥିବା ଏହି ଷ୍ଟେସନର ରକ୍ଷଣାବେକ୍ଷଣ, ଉନ୍ନତି କରଣ ହେଉ ଅବା ପ୍ଲଟ୍କୁ ପୁନଃ ସଚଳ କରିବା ଦିଗରେ କେହି ଆନ୍ତରିକତା ପ୍ରକାଶ ନକରିବା ଘଟଣା ପରିତାପର ବିଷୟ ପାଲଟିଛି ।
ମିଳିଥିବା ତଥ୍ୟ ମୁତାବକ ଇଷ୍ଟକୋଷ୍ଟ୍ ରେଲୱେ ବିଭାଗ ଖୋର୍ଦ୍ଦା ଡିଭିଜନ ଅଧିନରେ ରହିଥିବା ଟମକା ରେଲୱେ ଷ୍ଟେସନଟିରେ ଦୁଇଟି ଇଲେକ୍ଟି୍ରିକ୍ ଲାଇନ୍ ଓ ଗୋଟିଏ ପ୍ଲାଟଫର୍ମ ରହିଥିବା ବେଳେ ଖଣିଜ ପରିବହନ ପାଇଁ ମଧ୍ୟ ଗୋଟିଏ ପ୍ଲଟ୍ ରହିଛି । ସୁକିନ୍ଦା କ୍ରୋମ୍ ଅଂଚଳ ସମେତ ବିଭିନ୍ନ ଖଣିରୁ ଖଣିଜ ପରିବହନ ହୋଇ ଆସି ଏଠି ଗଚ୍ଛିତ କରି ରଖାଯିବା ପରେ ମାଲବାହୀ ଟ୍ରେନ୍ ଓ ଟିପର ମାଧ୍ୟମରେ ବିଭିନ୍ନ କଳକାରଖାନାକୁ ରପ୍ତାନି କରାଯାଏ । ବିଶେଷ କରି କ୍ରୋମାଇଟ୍, ପାରାକ୍ସାନାଇଟ୍, ଆଇରନ୍ ଭଳି କଂଚାମାଲ ସମେତ କାରଖାନା ପାଇଁ ଆବଶ୍ୟକିୟ କୋଇଲା ଓ ଗୁଡ ଇତ୍ୟାଦିର ପରିବହନ କାର୍ଯ୍ୟ ଏଠାରେ କରାଯାଉଥିବା ବେଳେ ଗତ ୨ବର୍ଷ ତଳୁ ଉକ୍ତ ପ୍ଲଟ୍ ବନ୍ଦ ହୋଇ ପଡିଛି । ରାଜନୈତିକ ଛକାପଂଝା ଭିତରେ ଏଠାରେ ଏହି ପ୍ଲଟଟି ବନ୍ଦ ହୋଇ ପଡିଥିବା ବେଳେ ଏହାକୁ ପୁନଃ ଚାଲୁ କରିବା ପାଇଁ ଉଦ୍ୟମ କରାଯାଉନଥିବାରୁ କାର୍ଯ୍ୟରତ ଶ୍ରମିକଙ୍କ ସମେତ ବ୍ୟବସାୟୀ ମାନେ ନାନାଦି ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଖଣିଜ ପଦାର୍ଥ ଲୋଡିଂ ଓ ଅନଲୋଡିଂ କାର୍ଯ୍ୟରେ ନିୟୋଜିତ ଶତାଧିକ ଶ୍ରମିକ ମାନେ ଜୀବୀକା ହରାଇ ଏବେ ଦୁର୍ଦ୍ଦିନରେ ଦିନ କାଟୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏହି ପ୍ଲଟ୍କୁ ଭରଷା କରି ବ୍ୟବସାୟିକ ଅନୁଷ୍ଠାନ କରିଥିବା ବ୍ୟବସାୟି ମାନେ ପ୍ଲଟ୍ ବନ୍ଦ କାରଣରୁ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି । ଅନୁଋପଭାବେ ଏଠାରେ ଗଢି ଉଠିଥିବା ୩ଟି ଘରୋଇ ଓଜନ କଣ୍ଟା ପ୍ଲଟ୍ ବନ୍ଦ କାରଣରୁ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ଏହି ଓଜନ କଣ୍ଟାର ଯନ୍ତ୍ରାଂଶ ସମେତ ଘରର କବାଟ ଝରକା ସବୁ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ପ୍ଲଟ୍ର ଭିତ୍ତିଭୂମି ଉପରେ ନଜର ପକାଇଲେ ଷ୍ଟେସନର ବାମ ପଟକୁ ରହିଥିବା ପ୍ଲଟ୍ ରାସ୍ତା ସମ୍ପୁର୍ଣ ଭାବେ ବିପର୍ଯ୍ୟସ୍ଥ ହୋଇ ପଡିଛି । ରାସ୍ତାଟି ଆଣ୍ଠୁଏ ଆଣ୍ଠୁଏ ଖାଲଖମାରେ ଭର୍ତ୍ତି ହୋଇ ପଡିଥିବା ବେଳେ ଏହି ବାଟ ଉପରେ ଭରଷା କରୁଥିବା ଅସଂଝର, ବଣସାହି ଓ କିଆଝର ଗ୍ରାମବାସୀ ଗମନା ଗମନ ପାଇଁ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । ସେହିଭଳି ଭାବେ ଏହି ରାସ୍ତା ସଂଲଗ୍ନ ରହିଥିବା ଷ୍ଟକ୍ ୟାର୍ଡ ସମେତ ଅନ୍ୟାନ୍ୟ ଗୃହ ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହୋଇ ଭୂତକୋଠୀରେ ପରିଣତ ହୋଇଛି । ଏଭଳକି ଅନେକ ଗୃହର କବାଟ ଝରକା ଚୋରୀ ହୋଇଯାଇଥିବାରୁ ଏହା ଏବେ ଗାଇ ଗୋରୁ ମାନଙ୍କ ଆଶ୍ରୟସ୍ଥଳ ପାଲଟିଛି । ଅନ୍ୟପଟେ ଉକ୍ତ ଷ୍ଟେସନ ଉପରେ ଭରଷା କରୁଥିବା ଯାତ୍ରୀ ମାନଙ୍କ ଉପରେ ନଜର ପକାଇଲେ ଏଠାରେ କୌଣସି ରିକ୍ସା କିମ୍ବା ଅଟୋର ବ୍ୟବସ୍ଥା ନଥିବା ବେଳେ ଏଠାକୁ ଆସୁଥିବା ଏବଂ ଯାଉଥିବା ଯାତ୍ରୀମାନେ ମଧ୍ୟ ହଇରାଣ ହେଉଥିବା ଦେଖାଯାଇଛି । ଷ୍ଟେସନରେ ଓହ୍ଲାଇବା ପରେ ଚାଲିଚାଲି ୨କି.ମି ଦୁରରେ ଥିବା ମହୁଲମୁଳ କିମ୍ବା ଫୁଲଝର ଛକକୁ ଆସିଲେ ସେଠାରୁ ଅନ୍ୟଗାଡିରେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାକୁ ସମ୍ଭବ ହୋଇଥାଏ । ସେହିଭଳି ଭାବେ ଷ୍ଟେସନକୁ ଯିବାକୁ ହେଲେ ଉକ୍ତ ଛକ ମାନଙ୍କରୁ ଚାଲିକି ଯିବା ହିଁ ଏକମାତ୍ର ବିକଳ୍ପ ରହିଛି । ତେବେ ଶ୍ରୀହିନ ହୋଇପଡୁଥିବା ଏଭଳି ଏକ ଗୁରୁତ୍ପୂର୍ଣ ଷ୍ଟେସନର ସମସ୍ୟା ଗୁଡିକର ସୁଧାର ଆଣିବା ସହିତ ଉକ୍ତ ପ୍ଲଟ୍କୁ ସଚଳ କରିବାକୁ କେବେ ଉଦ୍ୟମ ହେଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *