ଶ୍ରୀମନ୍ଦିର ହେବ ପଲିଥିନ୍ ମୁକ୍ତ

ପୁରୀ:୨୯/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆସନ୍ତା ଅକ୍ଟୋବର ୨ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀରୁ ପୁରୀରୁ ଆରମ୍ଭ ହେବ ପଲିଥିନ୍ ମୁକ୍ତ ଅଭିଯାନ। ନିଜେ ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ପୁରୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ହୋଇଛି। ତେବେ ପ୍ରଥେମେ ଶ୍ରୀମନ୍ଦିରରୁ ପଲିଥିନ୍ ମୁକ୍ତ ଅଭିଯାନକୁ ସଫଳ କରିବା ଲାଗି ଉଦ୍ୟମ ଆରମ୍ଭ ହେବ ବୋଲି ଜଣାପଡିଛି। ଶ୍ରୀମନ୍ଦିରରେ ଏବେ ବହୁଳ ଭାବେ ପଲିଥିନ୍ ବ୍ୟବହାର କରାଯାଉଛି। ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଭୋଗେଇ ବଦଳରେ ପଲିଥିନ୍ ଧରାଇ ଦିଆଯାଉଛି। ମନ୍ଦିର ବାହାରେ ପଲିଥିନ୍ ପାଇଁ ସାମାନ୍ୟ କଟକଣା ଥିବା ବେଳେ ମନ୍ଦିର ଭିତରେ ତାହା ଆଦୌ କାମ କରୁନାହିଁ। ଭୋଗ ବିକ୍ରି କରୁଥିବା ସୂପକାରମାନଙ୍କୁ ପଲିଥିନ୍ କଟକଣା ସମ୍ପର୍କରେ ଜଣାଇ ଦିଆଯିବ ଏବଂ ପଲିଥିନ୍ ବ୍ୟବହାର ବନ୍ଦ କରାଯାଇ ଶ୍ରୀମନ୍ଦିରକୁ ପଲିଥିନ୍ ମୁକ୍ତ କରିବାକୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଲୋକସର୍ମ୍ପକ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ଏ ନେଇ ଖୁବଶୀଘ୍ର ଏକ ବିଜ୍ଞପ୍ତି ପ୍ରକାଶ ପାଇବ। ପଲିଥିନ୍ ବଦଳରେ ପେପର୍ ବ୍ୟାଗ୍ ବ୍ୟବହାର କରିବାକୁ ସୂପକାର ନିଯୋଗକୁ ଚିଠି କରାଯିବ ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି। ଶ୍ୟୀମନ୍ଦିର ଭିତରେ ପଲିଥିନ୍ କଟକଣ ଆଦୌ କାମ କରୁନାହିଁ। ଭକ୍ତଙ୍କୁ ଭୋଗେଇ ବଦଳରେ ପଲିଥିନ୍ ରେ ଭୋଗ ଦିଆଯାଉଛି। ଖଜା, ଭୋଗ ଓ ମହାପ୍ରସାଦ ବିକ୍ରି ବେଳେ ପଲିଥିନ୍ ବ୍ୟବହାର କରାଯାଉଛି। ପଲିଥିନ୍ ମୁକ୍ତ ଅଭିଯାନ ପୂର୍ବରୁ ଶ୍ରୀମନ୍ଦିରକୁ ଆସନ୍ତା ୧୫ ଦିନ ଭିତରେ ପଲିଥିନ୍ ମୁକ୍ତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରାରମ୍ଭିକ ପଦକ୍ଷେପ ନେବ ବୋଲି ଜଣାପଡିଛି। ଶ୍ରୀମନ୍ଦିରରେ ପଲିଥିନ୍ ଉପରେ ରୋକ୍ ଲଗାଇବା ପାଇଁ ବହୁବାର ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ତାହା ସମ୍ଭବ ହୋଇ ପାରୁନାହିଁ। ପଲିଥିନ୍ ବ୍ୟବହାର ପରେ ଭୋଗେଇର ବ୍ୟବହାର କମିଯାଇଛି। ଫଳରେ ଭୋଗେଇ ପ୍ରସସ୍ତୁତ କରୁଥିବା କାରିଗରଙ୍କ ଆର୍ଥିକ ଦୂରାବସ୍ଥା ଦେଖାଦେଇଛି। ଭୋଗେଇ ବ୍ୟବହାର ଓ ଭୋଗେଇକୁ ଧରିଲା ଭଳି ହ୍ୟାଣ୍ଡେଲ ଯୁକ୍ତ ଭୋଗେଇ ପ୍ରସ୍ତୁତ କରିବାକୁ ପଦକ୍ଷେପ ନିଆଯିବ। ଆସନ୍ତା ମାସରୁ ଶ୍ରୀମନ୍ଦିରରେ ପଲିଥିନ୍ ବ୍ୟବହାର ନିଷିଦ୍ଧ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *