ଶ୍ରୀମନ୍ଦିର ସମେତ ପୁରପଲ୍ଲୀରେ ପାଳିତ ହେଲା ଜନ୍ମାଷ୍ଟମୀ: ସବୁଆଡେ ଭକ୍ତମୟ ପରିବେଶ

ପୁରୀ:୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରବିବାର ଶ୍ରୀମନ୍ଦିର ସମେତ ପୁରପଲ୍ଲୀରେ ଆନନ୍ଦଉଲ୍ଲାସ ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ସମେତ ମଠବାଡିରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା। ଶନିବାର ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ତିଥି ପାଳନ କରାଯାଇଥିଲା। ଜନ୍ମାଷ୍ଟମୀ ଅବସରରେ ଶ୍ରଦ୍ଧାଳୁମାନେ ସୁଦ୍ଧପୁତ ଭାବେ ଉପାସନା କରି ଶ୍ରୀକୃଷ୍ଣଙ୍କୁ କ୍ଷୀରରେ ସ୍ନାନ କରିବା ପରେ ରାଶିକୋରା ଓ ଲଡୁ ଭୋଗ କରି ପୂଜାର୍ଚ୍ଚନା କରିଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଶନିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜେଉଳ ଭୋଗଲାଗି ହୋଇଥିଲା। ଗର୍ଭଯନ୍ତ୍ରଣାରୁ ଉପଷମ ପାଇ ଏହି ଭୋଗ ଲାଗି ହୁଏ। ଜଗନ୍ନାଥ ସଂସ୍କୃତି ଏବେ ବି ବହୁ ଲୋକଙ୍କ ପାଇଁ ଅବଧ ରହିଛି। ଜଗନ୍ନାଥଙ୍କ ଠାରୁ ହିଁ କୃଷ୍ଣ ଓ ରାମ ଆଦି ସମସ୍ତ ଅବତାର ଜନ୍ମ ନିଅନ୍ତି। ରବିବାର ଜନ୍ମାଷ୍ଟମୀ ଅବସରରେ ସନ୍ଧ୍ୟା ଆଳତୀ ବେଶରେ ଠାକୁରମାନଙ୍କୁ ୬ମୂର୍ତ୍ତି ଲାଗି ହୋଇଥିଲା। ସନ୍ଧ୍ୟା ଧୂପ ପରେ ପାଣି ପଡି ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଅଣସର ପିଣ୍ଡି ଠାରେ ଦେଉଳି ଭୋଗରେ ଶାଗ, ତରକାରୀ, ପିଠା, ଝିଲୀ, ଓରିଆ, କ୍ଷୀରି ଆଦି ଲାଗୁ ହୋଇଥିଲା। ମୁଦିରସ୍ଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ସାଆନ୍ତମାନେ ପଞ୍ଚ ଉପଚାରରେ ପୂଜା କରିଥିେଲେ। ତିନି ବାଡରେ ବନ୍ଦାପନା ପରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା। ଏହାକୁ ଗର୍ଭ ଉଦକ ବନ୍ଦାପନା କୁହାଯାଏ। ଜନ୍ମାଷ୍ଟମୀ ରାତ୍ରିରେ ପଣ୍ଡା, ପଢ଼ି ଓ ମୁଦିରସ୍ଥ ଜନ୍ମ ଚକଡାରେ ବସି ସଂକଳ୍ପ ପାଠ କରିଥିଲେ। ରୂପା, ପଦ୍ମ ମଣ୍ଡଳ ଉପରେ କୃଷ୍ଣ ଜନ୍ମ ପଟି ସଂସ୍କାର ପୂର୍ବକ ସ୍ଥାପନ କରାଯାଇଥିଲା। ପରେ ବିବସ୍ତ୍ର ମଦନମୋହନକୁ ରତ୍ନ ସିହାଂସନରେ ବିଜେ କରାଯାଇଥିଲା। ଆଜ୍ଞାମାଳା ପାଇବା ପରେ ମଦନମୋହନ ଜନ୍ମ ଚକଡାରେ ବସିଥିଲେ। ମହାଜନ ସେବକ ଲୁଗା ଘୋଡି ହୋଇ ବସୁଦେବ, ଦେବକି ରୂପରେ ଜନ୍ମ ଚକଡାରେ ଜନ୍ମ ବିଧି ସମ୍ପନ୍ନ କରିଥିଲେ। ପରେ ମଦନମୋହନ ସରସ୍ୱତୀଙ୍କ ମନ୍ଦିରକୁ ବିଜେ କରିଥିଲେ। ଏହି ସ୍ଥାନକୁ ଯମୁନା ନଦୀ ଭାବେ ବିବେଚନା କରାଯାଏ। ବନ୍ଦାପନା ପରେ ଠାକୁରମାନେ ଜଗମୋହନରେ ଥିବା ଦୋଳିରେ ବିଜେ କରିଥିଲେ। ଏଥିସହ ସମ୍ପୂର୍ଣ୍ଣ ହୋଇଥିଲା ଶ୍ରୀକୃଷ୍ଣଙ୍କ ଜନ୍ମ ବିଧି। ଶ୍ରୀମନ୍ଦିର ବହି ବିଭିନ୍ନ ମଠବାଡି ଓ ଘରମାନଙ୍କରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଥିଲା। ଗୃହସ୍ଥମାନେ ଘରେ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସହ ରାଶିକୋରା ଓ ଲଡୁଭୋଗ କରିଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମ ଠାରୁ ସମସ୍ତ ଲୀଳା ଗୁଡିକ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।

Leave a Reply

Your email address will not be published. Required fields are marked *