ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ତାଳଚେରରେ ବିଜେପିର ଗଣବିକ୍ଷୋଭ

ତାଳଚେର, ୧୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପୂରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ତଥା ଜଗନ୍ନାଥ ସମ୍ପତିକୁ ଅସୁରକ୍ଷିତ କରିଥିବା ରାଜ୍ୟ ସରକାରଙ୍କ ବିରୋଧରେ ଗଣବିକ୍ଷୋଭ ଜରିଆରେ ତାଳଚେରରେ ଦୃଢ଼ ପ୍ରତିବାଦ ଜଣାଇଛି ଭାରତୀୟ ଜନତା ପାର୍ଟି। ପ୍ରଥମେ ଶୋଭାଯାତ୍ରା ଏବଂ ତାପରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଏକ ପ୍ରତିବାଦ ସଭା ଜରିଆରେ ଶାସକ ଦଳର ଆଭିମୁଖ୍ୟକୁ ଦୃଢ଼ ନିନ୍ଦା କରି ଶେଷରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ବିଜେପି ତରଫରୁ ଏକ ସ୍ମାରକପତ୍ର କରାଯାଇଛି। ଆଜି ପୂର୍ବାହ୍ନରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ବିଜେପିର କାର୍ଯ୍ୟକର୍ତା, ତାଳଚେର ପୌର କାଉନସିଲର, ଜିଲ୍ଲା ପରିଷଦ ସଦସ୍ୟା, ବିଜେପି ମହିଳା ମଣ୍ଡଳ, ପୌର ମଣ୍ଡଳ, ରେଳ ମଣ୍ଡଳ ଏବଂ ଶତାଧିକ କର୍ମୀମାନେ ସ୍ଥାନୀୟ ହନୁମାନ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମ କରି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଂଚିଥିଲେ। ସେଠାରେ ଆୟୋଜିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଶ୍ରୀ ସାମଲଙ୍କ ସମେତ ଯଯାତୀ ପଟ୍ଟନାୟକ, କାଉନସିଲର ପ୍ରକାଶ ମହାରଣା, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ମଲ୍ଲିକ, ବରିଷ୍ଠ ବିଜେପି ନେତା ପେସ୍କାର ଗଡ଼ନାୟକ, ବରୁଣ ସାହୁ, କାଉନସିଲର ଜିତେନ୍ଦ୍ର ଦାସ, ସବ୍ୟସାଚୀ ପାଣି ଉପସ୍ଥିତ ରହି ପ୍ରମୁଖ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନିଜସ୍ୱ ମତ ରଖିବାସହ ଚାବି ହଜାଇ ରାଜ୍ୟ ସରକାର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ଭାବନାକୁ କୁଠାରଘାତ କରିଛନ୍ତି ବୋଲି କହିଥିଲେ। ଆସନ୍ତା କାଲିଠାରୁ ସମସ୍ତ ଥାନା ସାମନାରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଏତଲା ଦିଆଯିବାସହ ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରାଯିବ ବୋଲି ସେମାନେ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଗଣବିକ୍ଷୋଭ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, କାଉନସିଲର କବିତା ବେହେରା, ବରିଷ୍ଠ ବିଜେପି ନେତା ଚୈତନ୍ୟ ପ୍ରଧାନ, ପର୍ଶୁରାମ ବାରିକ, ଚିନ୍ତାମଣି ମହାପାତ୍ର, ରଙ୍ଗାଧର ନାହାକ, ଜଗଦୀଶ ମିଶ୍ର, ସୁରେଶ ସାମଲ, ପ୍ରଶାନ୍ତ ନନ୍ଦଙ୍କ ସମେତ ବହୁ କାର୍ଯ୍ୟକର୍ତା ଏବଂ ଦଳୀୟ କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *