ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ଚିତାଲାଗି ହେଲେ ଚିତାଲାଗି ନୀତି ପାଇଁ ସାଧାରଣ ଦର୍ଶନ ୪ଘଣ୍ଟା ବନ୍ଦ ରହିଥିଲା।

ପୁରୀ, ୧୧-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରାବଣ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁଙ୍କୁ ଲାଗି କରାଯାଇଛି ସୁବର୍ଣ୍ଣ ଚିତା। ଏଥିପାଇଁ ଶ୍ରୀମନ୍ଦିରରେ ସକାଳ ଧୂପ ସାରି ଭୋଗ ମଣ୍ଡପ ସରିବା ଉତ୍ତାରେ ରତ୍ନ ସିଂହାସନରୁ ଶ୍ରୀଦେବୀ, ଭୂଦେବୀ ଖଟ ଶେଯ ଘରକୁ ବିଜେ କରିଥିଲେ। ଏହା ପରେ ଶ୍ରୀ ବିଗ୍ରହମାନଙ୍କର ଝୋବାଖଣ୍ଟି ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ସାଗର ବିଜେ କରିଥିବା ଅମାବାସ୍ୟା ଠାକୁର ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବା ପରେ ପତି ମହାପାତ୍ର ଓ ବାଡଗ୍ରାହୀ ଦଇତାପତି ଓ ଅନ୍ୟାନ୍ୟ ଦଇତାପତି ସେବକମାନେ ରତ୍ନ ସିଂହାସନ ବିଜେ ତିନି ଠାକୁରଙ୍କୁ ଚିତାଲାଗି କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରାଲୀଳା, ବହଭଦ୍ରଙ୍କୁ ଲୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ମାଣିକ୍ୟ ଚିତା ଲାଗି କରାଯାଇଥିଲା। ଝୁଣା ଓ ରାଶି ତେଲରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଓସୁଅ ବା ଅଠାରେ ତିନୋଟି ଯାକ ସୁବର୍ଣ୍ଣ ଚିତା ପ୍ରଭୁଙ୍କ କପାଳରେ ଶୀର୍ଷ ଭାଗରେ ଲଗାଯାଇଥିଲା। ସ୍ୱର୍ଣ୍ଣ ଚିତାରେ ପାଟ ଡୋର ସାହାର୍ଯ୍ୟରେ କପାଳ ବେଶର ଉପରି ଭାଗରେ ଏହାକୁ ଦୃଢ଼ ଭାବେ ବନ୍ଧା ଯାଇଥିଲା। ସୂଚନାଯୋଗ୍ୟ ସ୍ନାନ ପୂର୍ଣ୍ଣିମା ଦିନ ରାତ୍ରରେ ଶ୍ରୀବିଗ୍ରହମାନଙ୍କର କପାଳ ବେଶରୁ ଏହି ଚିତା ଓଲାଗି କରାଯାଇ ରଥଯାତ୍ରାକୁ ବିଜେ ସମୟରେ ସୋଲର ଚିତା ଲଗାଯାଇଥିଲା। ଅମାବାସ୍ୟା ଅବସରରେ ଏହି ସୁବର୍ଣ୍ଣ ଚିତାକୁ ଭଣ୍ଡାର ଘରୁ ଅଣାଯାଇ ଶ୍ରୀମନ୍ଦିର ପରିସରରେ ଦେଉଳକରଣ, ତଢ଼ାଉକରଣ ଓ ବଣିଆ ସେବକଙ୍କ ଦ୍ୱାରା ସଫା କରାଯିବା ପରେ ମହାପ୍ରଭୁଙ୍କ ମସ୍ତକରେ ଲଗାଯାଇଥିଲା।

Leave a Reply

Your email address will not be published. Required fields are marked *