ଶ୍ରୀମନ୍ଦିରରେ ଶିତଳଷଷ୍ଠୀ

ପୁରୀ ୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବୁଧବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ଶିତଳଷଷ୍ଠୀ ଉତ୍ସବ। ଏହି ଅବସରରେ ସ୍ୱତନ୍ତ୍ରନୀତି ମାନ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାଧୂପ ପରେ ଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ଖଟଶେଜରେ ବିଜେ ହୋଇଥିଲେ। ଏହାପରେ ମଇଲମ, ଆଲଟଲାଗି, ପଣା ଓ ଚନ୍ଦନ ଲାଗି ହୋଇ ବଡ଼ସିଂହାର ଭୋଗ ହୋଇଥିଲା। ପଞ୍ଚୁ ପାଣ୍ଡବ ସ୍ୱ ସ୍ୱ ବୃଷଭ ଓ ଯାନରେ ଆସି ଜଗମୋହନରେ ବିଜେ ହେବାପରେ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ସେମାନଙ୍କୁ ପ୍ରଦାନ କରିଥିଲେ। ଆଜ୍ଞାମାଳ ପ୍ରାପ୍ତ ପରେ ପଞ୍ଚମହାଦେବ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯିବା ପରେ ରୁନ୍ଧା ଫିଟିଥିଲେ। ମା’ଙ୍କ ଜଗମୋହନ ଖଟଶେଜ ଉପରେ ପଞ୍ଚୁ ପାଣ୍ଡବ ବିଜେ କରିଥିଲେ। ଖଟଶେଜ ଘରେ ଆଜ୍ଞାମାଳ ପାଇ ବିଜେ କରିଥିବା ଦୋଳ ଗୋବିନ୍ଦଙ୍କୁ ଘଣ୍ଟଛତା କାହାଳୀ ସହ ହାତରେ ନିଆଯାଇ ମହାଲକ୍ଷ୍ମୀଙ୍କ ମନ୍ଦିରରେ ବିରାଜ ମାନ କରିଥିବା ପଞ୍ଚୁ ମହାଦେବଙ୍କ ନିକଟରେ ବିଜେ କରାଯାଇଥିଲା। ପରେ ପାଣି ପଡ଼ି ସରଘରୁ ଶିତଳ ଛେକ ଆସିବାପରେ ପ୍ରସାଦଲାଗି ହୋଇଥିଲା। ସେଠାରେ ପଞ୍ଚୋପଚାର ବିଧିରେ ଏଗାର ପନ୍ତି ଭୋଗ ମଣୋହି କରାଯାଇଥିଲା। ମଣୋହି ପରେ ଠାକୁରଙ୍କୁ ବନ୍ଦାପନା କରାଯାଇଥିଲା। ନୀତି ସଂପନ୍ନ ପରେ ଦୋଳଗୋବିନ୍ଦ ଦକ୍ଷିଣ ଘରୁ ବାହୁଡ଼ା ବିଜେ କରିଥିଲେ। ପରେ ଅନ୍ୟାନ୍ୟ ନୀତି ସଂପାଦିତ ହୋଇଥିଲା।

Leave a Reply

Your email address will not be published. Required fields are marked *