ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପାଳିତ

ପୁରୀ, ୧୧/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀମନ୍ଦିରରେ ଶନିବାର ଦିନ ପାରମ୍ପାରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଛି ପବିତ୍ର ପ୍ରଥମାଷ୍ଟମୀ। ବିଶ୍ୱର ସବୁଠାରୁ ବଡ ଠାକୁର ଭାବେ ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥିଲା। ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ଶେଷ ହେବା ପରେ ତିନି ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ନୂଆଲୁଗା ଲାଗି କରିଥିଲେ। ପୂଜାପଣ୍ଡା, ପତି ମହାପାତ୍ର ଓ ମଦିରସ୍ଥ ସେବକ ତିନି ବାଡରେ ଚନ୍ଦନ ଲାଗି କରିଥିଲେ। ଚନ୍ଦନ ଲାଗି କରିବା ପରେ ଠାକୁରମାନଙ୍କୁ ବେଶ କରାଯାଇଥିଲା। ଏହି ବେଶରେ ଠାକୁରଙ୍କୁ ଛଅ ମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା। ଶ୍ରୀବିଗ୍ରହଙ୍କୁ କର୍ପୂର ଲାଗି କରି ପୁଷ୍ପାଳକ ସିହାଂସନରୁ ଓହ୍ଲାଇବା ପରେ ସୁଦୁ ସୁଆର ପୂଜା ଠା କରିଥିଲେ। ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ଥ ତିନି ବାଡରେ ବରୁଣ ପୂଜା କରିଥିଲେ। ମଧ୍ୟାହ୍ନ ଧୂପ ପରେ ମଙ୍ଗଳାର୍ପଣ ବଢ଼ି, ଫୁଲ ଝରିଆ ଆଦି ଓ ଛେଦା ପ୍ରସାଦ ଲାଗି କରାଯାଇ ବନ୍ଦାନା କରାଯାଇଥିଲା। ଏହି ଅବସରରେ ଏଣ୍ଡୁରୀ ପିଠା ସହିତ ନାଡୀ, ଢ଼ଉଳା, ଖଇର ଚୂଳ, ସାନ ଆରିସା, ସରପୁଳି, ପିଠା, କାନ୍ତି କାକରା, ଗଜା, ବଡି, ଡାଳିମ୍ବ, ଓରିଆ, ମୁଗ, କ୍ଷିରୀ ଇତ୍ୟାଦି ଭୋଗ କରାଯାଇଥିଲା। ପ୍ରଥମାଷ୍ଟମୀ ପର୍ବଟି ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀଦିନ ପୋରୁଆଁ କରାଯିବା ନୀତିକୁ ଯେଉଁ ଭକ୍ତଗଣ ଚର୍ମ ଚକ୍ଷୁରେ ଦର୍ଶନକରନ୍ତି ସେମାନଙ୍କର ପାପ ତାପ ଦୂର ହୋଇ ବୈକୁଣ୍ଠ ପ୍ରାପ୍ତି ସୁଗମ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଥିବା ଗବେଷକ ଡଃ. ନରେଶ ଚନ୍ଦ୍ର ଦାସ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *