ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦାବାଗ୍ନି ଲୀଳା ରୀତିନୀତି ମତେ ଅନୁଷ୍ଠିତ ହୋଇଯାଇଛି। ପ୍ରତିପଦା ତିଥିରେ ଏହି ଲୀଳା ଅନୁଷ୍ଠିତ ହୋଇଥିଲା। ପୌରାଣିକ ଗାଥା ଅନୁଯାୟୀ ଦ୍ୱାପର ଯୁଗରେ କାଳିଆ ଦଳନ ପରେ ଗୋପୀ ଗୋପାଳମାନେ ଘରକୁ ନଯାଇ ଯମୁନା କୂଳରେ ରାତ୍ରିଯାପନ କରିଥିଲେ। ରାତ୍ରିରେ ସେଠାରେ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିର ମଧ୍ୟଭାଗରେ ଗୋପୀ ଗୋପାଳମାନେ ରହି ଯାଇଥିଲେ। ଭଗବାନ ଶ୍ରୀକୃଷ୍ଣ ଗୋପୀ ଗୋପାଳଙ୍କୁ ରକ୍ଷା କରିବାକୁ ଯାଇ ଏହି ଦାବାଗ୍ନିକୁ ଶୋଷଣ କରି ନେଇଥିଲେ। ସେହି ସ୍ମୃତିରେ ଶ୍ରୀକୃଷ୍ଣ ଲୀଳା କ୍ରମରେ ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢ଼ିସନ୍ଧ୍ୟା ଧୂପ ପରେ ଦକ୍ଷିଣ ଘରୁ ମଦନ ମୋହନ ରତ୍ନ ସିଂହାସନକୁ ବିଜେ କରିଥିଲେ। ପରେ ଆଜ୍ଞାମାଳ ପାଇ ନାଟମଣ୍ଡପରେ ପଡିଥିବା ଖଟ ଶେଯରେ ବିଜେ କରିଥିଲେ। ଏହି ପରିପ୍ରେକ୍ଷୀରେ ମାଟିମଣ୍ଡପ ସାହି ପକ୍ଷରୁ ଦାବାଗ୍ନି ଲୀଳା ପ୍ରସାଦ ଆଗତ କରାଯାଇଥିଲା। ପରେ ମହାପ୍ରଭୁଙ୍କ ଶୀତଳ ଭୋଗ ଓ ବନ୍ଦାପନାରେ ମଦନମୋହନ ଦକ୍ଷିଣ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲା।

Leave a Reply

Your email address will not be published. Required fields are marked *