ଶ୍ରୀମନ୍ଦିରରେ କାଳିଆ ଦଳନ ବେଶ ଓ ଧେନୁକାଶୁର ବଦ୍ଧ

ପୁରୀ:୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀକୃଷ୍ଣଙ୍କ ଲୀଳାକ୍ରମରେ ଗୁରୁବାର ଶ୍ରୀମନ୍ଦିରରେ କାଳିଆ ଦଳନ ବେଶ ଓ ଧେନୁକାଶୁର ବଦ୍ଧ ଶେଷ ହୋଇଛି। ମଧ୍ୟାହ୍ନ ଧୂପ ପରେ ଏଥିପାଇଁ ବେଶରେ ତିନି ଖଣ୍ଡା ଆଜ୍ଞାମାଳ ଲାଗି କରାଯାଇଥିଲା। ରାମକୃଷ୍ଣ ଓ ମଦନମୋହନ ପାଲିଙ୍କିରେ ବଡ ଦେଉଳ ପରିକ୍ରମା କରି ଲବଣିଖିଆ ମଣ୍ଡପକୁ ବିଜେ କରିଥିଲେ। ସେଠାରେ ମହାଭୋଇ ଘର ବୋହୂମାନେ ଠାକୁରଙ୍କୁ ବନ୍ଦାପନା କରିବା ସହ ସର ଲବଣୀ ଭୋଗ କରିଥିଲେ। ପରେ ଠାକୁର ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରିଥିଲେ। ମାର୍କଣ୍ଡ ଦିପିଦାଣ୍ଡି ପାଖରେ ଏକ ମଞ୍ଚ ନିର୍ମିତ ହୋଇ ଏଠାରେ କନାରେ ନିର୍ମିତ ହୋଇଥିବା ଏକ ସର୍ପ ଆଘାତ କଲା ପରେ ଜନୈକ ଗରୁଡ ବେଶରେ ଆସି ଅମୃତ ଲଡୁ ନେଇ ବିଷ ଝାଡିଥିଲେ। ପରେ ଠାକୁର ବାହୁଡା ବିଜେ କରି ଶ୍ରୀମନ୍ଦିରକୁ ଆସିବା ପରେ ଜୟବିଜୟ ଦ୍ୱାର ନିକଟରେ ବନ୍ଦାପନା କରାଯାଇଥିଲା। ଏହାପରେ ଠାକୁର ଏକାଦଶୀ ଭୋଗ ପରେ ଦକ୍ଷିଣ ଘରକୁ ବିଜେ କରିଥିଲେ। ଶ୍ରୀମନ୍ଦିର ମହାପ୍ରଭୁଙ୍କ କାଳିଆ ଦଳନ ବେଶରେ ବିମଣ୍ଡିତ କରାଯାଇ ସନ୍ଧ୍ୟା ଧୂପ ପରେ ପାଣି ପଡିଥିଲା। ଏହି ସମୟରେ ଜଗନ୍ନାଥ ବଲ୍ଲଭ ମଠକୁ ଆସିଥିବା ଦୁଇଟଇ ବୃହତ ଅମୃତ ଲଡୁ ପୁଷ୍ପାଳକ ମହାପ୍ରଭୁଙ୍କ ଶ୍ରୀହସ୍ତରେ ଲାଗି କରିଥିଲେ। ଏହି ବେଶରେ ଠାକୁର କାଠରେ ନିର୍ମିତ ଶ୍ରୀଭୁଜ ଓ ଶ୍ରୀପୟର ଲଗାଇଥିଲେ। ଏକ ସପ୍ତଫେଣିଆ କାଳିଆ ସର୍ପର ମସ୍ତକଟି ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ଖଞ୍ଜା ଯାଇଥିଲା। ବଳଭଦ୍ର ଦଣ୍ଡାୟମାନ ଭଙ୍ଗୀରେ ରହି ବାମ ହସ୍ତରେ ସୋଲ ନିର୍ମିତ ପଦ୍ମ କଢ଼ି ଓ ଡାହାଣ ହସ୍ତରେ ଅମୃତ ଲଡୁ ଧରିଥିଲେ। ଏହା ବ୍ୟତୀତ ସିହାଂସନ ଉପରେ କାଠ ନିର୍ମିତ ଗାଈ ବାଛୁରୀ ରଖା ଯାଇଥିଲା।

Leave a Reply

Your email address will not be published. Required fields are marked *